ହଂକଂ ଓପନ୍‌ ଦ୍ୱିତୀୟ ପର୍ଯ୍ୟାୟରେ ସାଇନା, ସିନ୍ଧୁ, ପ୍ରଣୟ

କୋଲୁନ୍‌: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲ୍‌, ପିଭି ସିନ୍ଧୁ ଏବଂ ଏଚ୍‌ଏସ୍‌ ପ୍ରଣୟ ହଂକଂ ଓପନ୍‌ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୪୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ବୁଧବାର ପ୍ରଥମ ଦିନ ମହିଳା ଏକକରେ ସାଇନା ୨୧-୧୯, ୨୩-୨୧ରେ ଡେନ୍‌ମାର୍କର ମେଟେ ପୌଲସେନ୍‌ଙ୍କୁ ଏବଂ ସିନ୍ଧୁ ୨-୧୮, ୨୧-୧୦ରେ ହଂକଂର ଲିଉଙ୍ଗ୍‌ ୟୁଏଟ୍‌ ୟିଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେହିଭଳି ପୁରୁଷ ଏକକରେ ପ୍ରଣୟ ୧୯-୨୧, ୨୧-୧୭, ୨୧-୧୫ରେ ସ୍ଥାନୀୟ ଖେଳାଳି ହୁ ୟୁନ୍‌ଙ୍କୁ ହରାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ତେବେ ପୁରୁଷ ଏକକରେ ପରୁପଲ୍ଲୀ କାଶ୍ୟପ, ସୌରଭ ବର୍ମା ଏବଂ ବି ସାଇ ପ୍ରଣୀତଙ୍କ ଅଭିଯାନ ଆରମ୍ଭରୁ  ଶେଷ ହୋଇଛି। କାଶ୍ୟପ ୨୧-୧୫, ୯-୨୧, ୨୦-୨୨ରେ କୋରିଆର ଲି ଡଙ୍ଗ୍‌ କିଉନଙ୍କଠୁ, ସୌରଭ ୧୫-୨୧, ୮-୨୧ରେ ଇଣ୍ଡୋନେସିଆର ଟମି ସୁଗିର୍ତୋଙ୍କଠୁ ଏବଂ ପ୍ରଣୀତ ୮-୨୧, ୧୬-୨୧ରେ କୋରିଆର ସନ୍‌ ଓ୍ଵାନ୍‌ ହୋଙ୍କଠୁ ହାରି ବିଦାୟ ନେଇଛନ୍ତି। ମହିଳା ଯୁଗଳରେ ଅଶ୍ୱିନୀ ପୋନାପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ  ୧୧-୨୧, ୨୧-୧୯, ୧୯-୨୧ରେ ଚାଇନିଜ୍‌ ଯୋଡ଼ି ହୁଆଙ୍ଗ୍‌ ଡୋଙ୍ଗ୍‌ପିଙ୍ଗ୍‌ ଓ ଲି େଓ୍ଵନ୍‌ମେଇଙ୍କଠୁ ହାରି ପ୍ରଥମ ପର୍ଯ୍ୟାୟରୁ ସ୍ୱଦେଶ ଫେରିଛନ୍ତି।

ସମ୍ବନ୍ଧିତ ଖବର