ହଂକଂ ଓପନ୍ କ୍ବାର୍ଟରରେ ଶ୍ରୀକାନ୍ତ, ସିନ୍ଧୁ, ପ୍ରଣୟ, କାଶ୍ୟପ ବିଦା

ନୂଆଦିଲ୍ଲୀ : କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା ବେଳେ ପିଭି ସିନ୍ଧୁ, ଏଚ୍‌ଏସ୍‌ ପ୍ରଣୟ ଏବଂ ପରୁପଲ୍ଲୀ କାଶ୍ୟପ ପରାଜୟର ସାମ୍‌ନା କରିଛନ୍ତି। ଜାପାନ ପ୍ରତିଦ୍ବନ୍ଦ୍ବୀ କେଣ୍ଟୋ ମୋମୋଟାଙ୍କଠାରୁ ପ୍ରଥମ ରାଉଣ୍ଡ ବାଇ ପାଇଥିବ‌ା ପୂର୍ବତନ ଶୀର୍ଷ ମାନ୍ୟତା ଶ୍ରୀକାନ୍ତ ଗୁରୁବାର ଦ୍ବିତୀୟ ରାଉଣ୍ଡରେ ନିଜ ଦେଶର ସୌରଭ ବର୍ମାଙ୍କୁ ୨୧-୧୧, ୧୫-୨୧ ଓ ୨୧-୧୯ରେ ପରାସ୍ତ କରି ୭ ମାସ ପରେ ପ୍ରଥମ ଥର ଲାଗି କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଶେଷ ଥର ପାଇଁ ସେ ଚଳିତ ବର୍ଷ ଏପ୍ରିଲରେ ସିଙ୍ଗାପୁର ଓପନ୍‌ କ୍ବାର୍ଟର ଫାଇନାଲ୍‌ ପହଞ୍ଚିଥିଲେ। ତେବେ ବିଶ୍ବ ବିଜୟିନୀ ସିନ୍ଧୁ ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗ୍‌ବାମ୍ରୁଙ୍ଗ୍‌ଫାନ୍‌ଙ୍କ ନିକଟରୁ ୨୧-୧୮, ୧୧-୨୧ ଓ ୨୧-୧୬ରେ ହାରି ବିଦାୟ ନେଇଛନ୍ତି। ତାଙ୍କ ବ୍ୟତୀତ ପ୍ରଣୟ ଓ କାଶ୍ୟପ ଦ୍ବିତୀୟ ରାଉଣ୍ଡ୍‌ ହାରି ବିଦାୟ ନେଇଛନ୍ତି। ପ୍ରଣୟ ଗୁରୁବାର ଦ୍ବିତୀୟ ରାଉଣ୍ଡରେ ଷଷ୍ଠ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ତାରକା ଜୋନାଥନ କ୍ରିଷ୍ଟିଙ୍କଠାରୁ ୧୨-୨୧ ଓ ୧୯-୨୧ରେ ହାରିଯାଇଛନ୍ତି। ସେହିପରି କାଶ୍ୟପ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେ ତାରକା ଚୋଉ ତିନ୍‌ ଚେନ୍‌ଙ୍କ ନିକଟରୁ ୨୧-୧୨, ୨୧-୨୩ ଓ ୧୦-୨୧ରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳରେ ସାତ୍ତ୍ବିକ୍‌ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ଯୋଡ଼ି ଏହି ରାଉଣ୍ଡରେ ୟୁଟା ୱାଟନବି ଓ ଅରିସା ହିଗାସେନୋଙ୍କ ନିକଟରୁ ୧୯-୨୧ ଓ ୧୨-୨୧ରେ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର