ଏସିଆ କପ୍‌: ଟସ୍‌ ଜିଣି ହଂକଂର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

ଦୁବାଇ: ଏସିଆ କପ୍‌ରେ ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ଟିମ୍‌ ହଂକଂକୁ ମୁକାବିଲା କରି ଅଭିଯାନ ଆରମ୍ଭ କରୁଛି। ଟସ୍‌ ଜିଣି ହଂକଂ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟୀତ୍ୱ ମିଳିଛି।

ଏସିଆ କପ୍‌ର ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହଂକଂ ସେତେଟା ଭଲ ଖେଳି ନଥିଲା। ବ୍ୟକ୍ତିିଗତ ଭାବେ ଅଂଶୁମାନ ରଥ ବି ମାତ୍ର ୧୯ ରନ୍‌ କରିଥିଲେ। ଯାହାକୁ ଭାରତ ବିପକ୍ଷରେ ସୁଧାରିବାକୁ ସେ ଚେଷ୍ଟା କରିବେ। ପୂର୍ବରୁ ଆଫଗାନିସ୍ତାନ ଓ ବାଂଲାଦେଶକୁ ହରାଇ ସାରିଥିବାରୁ ଭାରତକୁ ମଧ୍ୟ ହଂକଂ କଡ଼ା ଟକ୍କର ଦେବ ବୋଲି ଅଂଶୁମାନ ଆଶା ରଖିଛନ୍ତି। ୧୭ ଦିନିକିଆ ଖେଳି ଗୋଟିଏ ଶତକ ସହ ୭୫୪ ରନ୍‌ କରିଥିବା ଅଂଶୁମାନ ବାମହାତୀ ବ୍ୟାଟିଂ କରନ୍ତି। ମଙ୍ଗଳବାର ପାଳି ଆରମ୍ଭ କରିବା ସହ ସେ ମଧ୍ୟ ହଂକଂର ନେତୃତ୍ୱ ଭାର ତୁଲାଇବେ। ତାଙ୍କର ମଧ୍ୟ ଓ୍ଵିକେଟ୍‌ ରକ୍ଷଣ ଏବଂ ସ୍ପିନ୍‌ ବୋଲିଂ ଦକ୍ଷତା ରହିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ସେ ହଂକଂ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ।

ବିରାଟ କୋହଲିଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ରୋହିତ ଶର୍ମା ଭାରତର ଅଧିନାୟକ ଦାୟିତ୍ୱ ତୁଲାଇବେ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ତୁଳନାତ୍ମକ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ହଂକଂକୁ ହାଲ୍‌କା ଭାବେ ନେବେ ନାହିଁ ବୋଲି ରୋହିତ କହିଛନ୍ତି। ଶୀର୍ଷକ୍ରମ ବେଶ୍‌ ଶକ୍ତିଶାଳୀ ଥିଲେ ମଧ୍ୟ ଭାରତ ବି କିଛି ମାସ ହେବ ମଧ୍ୟକ୍ରମକୁ ନେଇ ଚିନ୍ତିତ ଅଛି। ଏଣୁ ହଂକଂ ବିପକ୍ଷରେ ମଧ୍ୟକ୍ରମକୁ ସଜାଡ଼ି ପାକିସ୍ତାନ ମୁକାବିଲାକୁ ଯିବାକୁ ଭାରତ ଲକ୍ଷ୍ୟ ରଖିଛି। ପାକିସ୍ତାନର ବାମହାତୀ ବୋଲରଙ୍କୁ ଆଖି ଆଗରେ ରଖି ଭାରତ ଶ୍ରୀଲଙ୍କାର ଜଣେ ଥ୍ରୋ ଡାଉନ୍‌ ବିଶେଷଜ୍ଞଙ୍କୁ ଖାସ୍‌ ଏସିଆ କପ୍‌ ପାଇଁ ନିଯୁକ୍ତ କରିଛି। ଧାଓ୍ଵନ-ରୋହିତ ପାଳି ଆରମ୍ଭ କରିବା ପରେ ଲୋକେଶ ରାହୁଲ ତୃତୀୟ ସ୍ଥାନରେ ଆସିବାର ସଂକେତ ମିଳିଛି। ବୋଲିରେ ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ ବୁମରା ଯୋଡ଼ି ପୁଣି ଫେରିବେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ।
ସମ୍ଭାବ୍ୟ ହଂକଂ: ଅଂଶୁମାନ ରଥ (ଅଧିନାୟକ), ଏଜାଜ ଖାନ୍‌, ବାବର ହାୟାତ, ନିଜାକତ ଖାନ୍‌, କ୍ରିଷ୍ଟୋଫର କାର୍ଟର, କିଞ୍ଚିତ ସାହା, ଏହସାନ ଖାନ୍‌, ସ୍କଟ୍‌ ମ୍ୟାକେଞ୍ଚି, ତନବୀର ଆଫଜଲ, ଏହସାନ ନଓ୍ଵାଜ, ନଦୀମ ଅହମ୍ମଦ।

ସମ୍ବନ୍ଧିତ ଖବର