ଅସହାୟ ଏସିଆ୫ ଦଳ, ୪ ବିଜୟରେ ସନ୍ତୁଷ୍ଟ

ମସ୍କୋ: ମସ୍କୋ ବିଶ୍ୱକପରେ ଏସିଆନ୍‌ କନଫେଡେରେସନର ପାଞ୍ଚଟି ଦଳ ଅଂଶ ଗ୍ରହଣ କରିଥିଲେ। ଜାପାନ, ଇରାନ, ସାଉଦି ଆରବ ଓ ଦକ୍ଷିଣ କୋରିଆ ସହ ଅଷ୍ଟ୍ରେଲିଆ ଏସୀୟ କନଫେଡେରେସନର ସଦସ୍ୟ ଭାବେ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏମାନେ ସମସ୍ତେ କିସ୍ତିରେ ପ୍ରଭାବୀ ପ୍ରଦର୍ଶନ କଲେ। ହେଲେ କେହି ବି ପ୍ରି-କ୍ୱାର୍ଟର ଆଗକୁ ବଢ଼ି ପାରିଲେନି। ଦକ୍ଷିଣ କୋରିଆ ବିଜେତା ଜର୍ମାନିକୁ ହରାଇ ପ୍ରତିଯୋଗିତାର ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କଲା। ଏହା ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇ ସାରିଥିଲା। ଜାପାନ ନକ୍‌ଆଉଟ୍‌କୁ ଗଲା ହେଲେ ସେଠାରେ ହାରି ହତାଶ ହେଲା। ସୋମବାର ବେଲଜିୟମ ବିପକ୍ଷ ମ୍ୟାଚ୍‌ରେ ଜାପାନ ଏକଦା ୨-୦ରେ ଆଗୁଆ ଥିଲା। ପରବର୍ତୀ ସମୟରେ ତିନିିଟି ଗୋଲ୍‌ ବରଣ କରି କ୍ୱାର୍ଟର ଫାଇନାଲ୍‌ ଟିକେଟ ସହ ବିଶ୍ୱମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମକୁ ହରାଇବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କଲା। ବେଲଜିୟମକୁ ହରାଇ ଥିଲେ ଜାପନ ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲ୍‌ ଯାଇ ଥାଆନ୍ତା।

ସେହିଭଳି ୨୦୦୨ରେ ଦକ୍ଷିଣ କୋରିଆ ସହ ଯୁଗ୍ମ ଭାବେ ବିଶ୍ୱକପ୍‌ ଆୟୋଜନ କରିବା ପରେ ଶେଷ ୮ ଦଳ ମଧ୍ୟରେ ରହିବାରେ ପ୍ରଥମ ଏସୀୟ ଦଳ ହୋଇ ଥାଆନ୍ତା। ହେଲେ ଦୁର୍ଭାଗ୍ୟଜନକ ଭାବେ ଷ୍ଟପେଜ୍‌ ଟାଇମରେ ହିଁ ଗୋଲ୍‌ ବରଣ କରି ଜାପାନ ଏଭଳି ଏକ ସୁଯୋଗକୁ ହାତଛଡ଼ା କଲା। ଜାପାନର ସ୍ୱପ୍ନ ବି ସେହିଠାରେ ଭାଙ୍ଗି ଚୁରମାର ହୋଇଗଲା। ଏହି ଦଳ ଅବଶ୍ୟ ସେନେଗାଲ ସହ ସାମନ ପଏଣ୍ଟ ପାଇବା ପରେ ଭାଗ୍ୟବଳରେ ଫେୟାର ପ୍ଲେ (କମ୍‌ ସଂଖ୍ୟକ ହଳଦିଆ କାର୍ଡ)ରେ ଆଗୁଆ ରହି ପ୍ରି-କ୍ୱାର୍ଟରକୁ ଯାଇଥିଲା। ଇରାନ, ସାଉଦି ଆରବ , ଦକ୍ଷିଣ କୋରିଆ ଏବଂ ଜାପାନ ପ୍ରତ୍ୟେକ ଅବଶ୍ୟ ଗୋଟିଏ ଲେଖାଏଁ ବିଜୟ ହାସଲ କଲେ। ଏସୀୟ କନଫେଡେରେସନର ସଦସ୍ୟ ଥିବା ଅଷ୍ଟ୍ରେଲିଆ ଏକମାତ୍ର ଏସୀୟ ପ୍ରତିନିଧି ଭାବେ ବିଜୟ ଶୂନ୍ୟ ରହିଲା। ଅବଶ୍ୟ ଏହା ୨୦୧୪ ବ୍ରାଜିଲ ବିଶ୍ୱକପରେ ଏସୀୟ ରାଷ୍ଟ୍ରଗୁଡ଼ିକ କରିଥିବା ପ୍ରଦର୍ଶନଠାରୁ ଢେର ଭଲ। ସେଥର ଏସୀୟ ରାଷ୍ଟ୍ରଗୁଡ଼ିକ ଗୋଟିଏ ହେଲେ ବି ମ୍ୟାଚ୍‌ ଜିତି ନଥିଲେ। ବିଡ଼ମ୍ବନାର ବିଷୟ ଯେ ଏସୀୟ ରାଷ୍ଟ୍ରଗୁଡ଼ିକ ଏ ପର୍ଯ୍ୟନ୍ତ କେବଳ ଦୁଇଥର ପ୍ରି-କ୍ୱାର୍ଟର ଫାଇନାଲ୍‌ ବାଧା ଡେଇଁ ସେମିଫାଇନାଲ୍‌ ଖେଳିଛନ୍ତି। ୨୦୦୨ରେ ଆୟୋଜକ ଦକ୍ଷିଣ କୋରିଆ ନିଜ ଘରୋଇ ମାଟିରେ ସେମିଫାଇନାଲ୍‌ ଖେଳିଥିଲା। ଏହା ପୂର୍ବରୁ ଉତ୍ତର କୋରିଆ ୧୯୯୬ ଇଂଲଣ୍ଡ ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଖେଳିଥିଲା। ତେବେ ଏସିଆ କନଫେଡେରେସନରୁ ପ୍ରଥମ ଥର ପାଇଁ ପାଞ୍ଚଟି ଦଳ ଅଂଶ ଗ୍ରହଣ କରିଥିଲେ। ଏସିଆ ମହାଦେଶ ୨୦୨୨ରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଆୟୋଜନ କରିବ। କାତାରର ଦୋହାରେ ବିଶ୍ୱକପର ସେହି ସଂସ୍କରଣ ଖେଳାଯିବ। ଆୟେଜକ ରାଷ୍ଟ୍ର ଭାବେ କାତାର ସେବର୍ଷର ବିଶ୍ୱକପ୍‌ ଖେଳିବାର ସୌଭାଗ୍ୟ ଲାଭ କରିବ। ଏହା ହେଲେ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ୬ ଏସୀୟ ରାଷ୍ଟ୍ର ଖେଳିବେ। ଚୀନ ବିଶ୍ୱକପରେ ଅଂଶ ଗ୍ରହଣ କରିବାର ସ୍ୱପ୍ନ ଦେଖୁଥିଲା ବେଳେ ଏହାକୁ ୨୦୨୬ ବିଶ୍ୱକପକୁ ଅପେକ୍ଷା କରିବାକୁ ହେବ। କାରଣ ୨୦୨୬ରେ ବିଶ୍ୱକପ୍‌ର ଦଳସଂଖ୍ୟା ୩୨ରୁ ୪୮କୁ ବଢ଼ାଇବାକୁ ଫିଫା ଚିନ୍ତା କରୁଛି।
ଜାପାନ: ଏସୀୟ ରାଷ୍ଟ୍ର ମଧ୍ୟରୁ ଜାପାନ ଓ ଇରାନ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲେ। ସମୁରାଇ ଜାପାନ ଗ୍ରୁପ ଏଚ୍‌ର ଦ୍ୱିତୀୟ ସ୍ଥାନରେ ରହି ଏକମାତ୍ର ଏସୀୟ ସଦସ୍ୟ ଭାବେ ନକଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିଲା। ଜାପାନ ତା ପ୍ରଥମ ମୁକାବିଲାରେ କଲମ୍ବିଆକୁ ୨-୧ରେ ହରାଇ ଥିଲା। ସେନେଗାଲ ବିପକ୍ଷ ଦ୍ୱିତୀୟ ମୁକାବିଲାକୁ ୨-୨ରେ ଅମୀମାଂସିତ ରଖିଥିଲା। ତୃତୀୟ ତଥା ଶେଷ ମୁକାବିଲାରେ କିନ୍ତୁ ପୋଲାଣ୍ଡଠାରୁ ୦-୧ରେ ହାରି ଯାଇଥିଲା। ଫଳରେ ଆଫ୍ରିକୀୟ ରାଷ୍ଟ୍ର ସେନେଗାଲ ସହ ସମାନ ୪ ପଏଣ୍ଟ ପାଇଥିଲା। ହେଲେ ଫେୟାର ପ୍ଲେରେ ଭଲ କରି ପ୍ରି-କ୍ୱାର୍ଟର ବା ନକଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା।
ସାଉଦି ଆରବ: ସାଉଦି ଆରବ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ରୁଷିଆଠାରୁ ଉଦଘାଟନୀ ମୁକାବିଲାରେ ୦-୫ରେ ହାରିବା ପରେ ଉରୁଗୁଏଠାରୁ ୦-୧ରେ ପରାଜିତ ହୋଇଥିଲା। ଶେଷ ମ୍ୟାଚ୍‌ରେ ଅବଶ୍ୟ ଇଜିପ୍ଟକୁ ୨-୧ରେ ହରାଇ ବିଜୟ ସାନ୍ତ୍ୱନା ସହ ବିଦାୟ ନେଇଥିଲା। ଗ୍ରୁପ୍‌-ଏରେ ଏହି ଦଳ ଇଜିପ୍ଟ ଉପରକୁ ତୃତୀୟ ସ୍ଥାନରେ ରହିଥିଲା।
ଅଷ୍ଟ୍ରେଲିଆ: ଗ୍ରୁପ୍‌-ସିରେ ଥିବା ଅଷ୍ଟ୍ରେଲିଆ ତାର ବିଜୟ ଖାତା ଖୋଲି ପାରି ନଥିଲା। ଫ୍ରାନ୍ସଠାରୁ ୧-୨ ଏବଂ ପେରୁଠାରୁ ୦-୨ରେ ହାରିଥିଲା। ଡେନମାର୍କ ବିପକ୍ଷ ମୁକାବିଲାକୁ ଅବଶ୍ୟ ୧-୧ରେ ଅମୀମାଂସିତ ରଖିଥିଲା। ମାତ୍ର ୧ ପଏଣ୍ଟ ପାଇ ନିଜ ଗ୍ରୁପର ଚତୁର୍ଥ ସ୍ଥାନରେ ରହି ପ୍ରି-କ୍ୱାର୍ଟରକୁ ଯାଇ ପାରି ନଥିଲା।
ଇରାନ: ୧-୦ରେ ମରକ୍କୋକୁ ହରାଇ ଇରାନ ପ୍ରତିଶ୍ରୁତି ଭରା ଆରମ୍ଭ କରିଥିଲା। ଦ୍ୱିତୀୟ ମ୍ୟାଚରେ କିନ୍ତୁ ସ୍ପେନଠାରୁ ୦-୧ରେ ହାରି ଯାଇଥିଲା। ପର୍ତୁଗାଲ ବିପକ୍ଷ ତୃତୀୟ ତଥା ଶେଷ ଲିଗ୍‌ ମୁକାବିଲାକୁ ୧-୧ରେ ଅମୀମାଂସିତ ରଖିବା ପରେ ୪ ପଏଣ୍ଟ ପାଇ ଗ୍ରୁପ୍‌-ବିର ତୃତୀୟ ସ୍ଥାନରେ ରହି ବିଦାୟ ନେଇଥିଲା।
ଦକ୍ଷିଣ କୋରିଆ: ଗ୍ରୁପ୍‌-ସିରେ ଥିବା ଦକ୍ଷିଣ କୋରିଆ ତା’ର ପ୍ରଥମ ଦୁଇ ମୁକାବିଲାରେ ପରାଜିତ ହୋଇଥିଲା। ସ୍ୱିଡେନଠାରୁ ୦-୧ ଓ ମେକ୍ସିକୋଠାରୁ ୧-୨ରେ ପରାଜିତ ହୋଇଥିଲା। ହେଲେ ତୃତୀୟ ମ୍ୟାଚ୍‌ରେ ପ୍ରତିଯୋଗିତାର ସବୁଠାରୁ ବଡ଼ ବିଜୟ ହାସଲ କରି ବିଜେତା ଜର୍ମାନିକୁ ବିଦାୟର ରାସ୍ତା ଦେଖାଇ ଦେଇଥିଲା। ବୃହତ୍‌ ବିଜୟ ତ ପାଇଥିଲା। ହେଲେ ନିଗ ଗ୍ରୁପର ତୃତୀୟ ସ୍ଥାନରେ ରହିଥିବାରୁ ଆଗକୁ ବଢ଼ି ପାରି ନଥିଲା।
ହତାଶ ହଣ୍ଡା
ମସ୍କୋ: ବେଲଜିୟମଠାରୁ ହାରି ଜାପାନ ମସ୍କୋ ଫୁଟବଲ୍‌ ବିଶ୍ୱକପରୁ ବିଦାୟ ନେବା ପରେ ଏହି ଦେଶର ପୁରୁଖା ଖେଳାଳି କିଶୁକେ ହଣ୍ଡା ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ହଣ୍ଡା ସୋମବାର ରାତିରେ ପଡ଼ିଆକୁ ବିଳମ୍ବରେ ଓହ୍ଲାଇଥିଲେ। ହେଲେ ନିଜ ଦଳର ୨-୩ ପରାଜୟକୁ ଏଡ଼ାଇ ପାରି ନଥିଲେ। ହଣ୍ଡା ଜାପାନ ପକ୍ଷରୁ ୯୭ ମ୍ୟାଚ୍‌ ଖେଳି ୩୭ ଗୋଲ୍‌ କରିଥିଲେ। ତାଙ୍କୁ ଜାପାନର ସର୍ବଶ୍ରେଷ୍ଠ ଫୁଟବଲରର ମାନ୍ୟତା ମିଳେ। ୨୦୧୦ ଏବଂ ୨୦୧୪ ଜାପାନ ବିଶ୍ୱକପ୍‌ ଦଳର ମଧ୍ୟ ସେ ସଦସ୍ୟ ଥିଲେ। ୨୦୧୧ରେ ଏଏଫସି ଏସିଆନ୍‌ କପରେ ଜାପାନକୁ ବିଜୟୀ କରାଇବା ସହ ହଣ୍ଡା ସେହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତିନିଟି ବିଶ୍ୱକପ୍‌ (୨୦୧୦, ୨୦୧୪ ଓ ୨୦୧୮)ରେ ଗୋଲ୍‌ କରିବାରେ ସେ ହେଉଛନ୍ତି ଜାପାନର ପ୍ରଥମ ଏବଂ ଏକମାତ୍ର ଖେଳାଳି । ହେଲେ ସେ କେବେବି ଜାପାନ ଫୁଟବଲ୍‌ ଦଳକୁ ପ୍ରି-କ୍ୱାର୍ଟର ଆଗକୁ ନେଇ ପାରି ନଥିଲେ।
କୋରିଆ ପ୍ରଶଂସକ ଅଣ୍ଡା ଫିଙ୍ଗିଲେ
ସିଓଲ, : ଚଳିତ ଫିଫା ବିଶ୍ୱକପ୍‌ରେ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇ ବିଜେତା ଜର୍ମାନିକୁ ବିଦାୟ ରାସ୍ତା ଦେଖାଇଥିବା ଦକ୍ଷିଣ କୋରିଆ ଦଳ କିନ୍ତୁ ସ୍ୱଦେଶ ଫେରିବା ପରେ ପ୍ରଶଂସକଙ୍କ ଅଣ୍ଡା ମାଡ଼ର ଶିକାର ହୋଇଛନ୍ତି। କାରଣ କୋରିଆ ମଧ୍ୟ ପ୍ରଥମ ରାଉଣ୍ଡ୍‌ ଟପି ନ ପାରି ସ୍ୱେଦେଶ ଫେରିଥିଲା। ସୋମବାର ଇଞ୍ଚିଅନ୍‌ ବିମାନବନ୍ଦରରେ ଏଭଳି ଘଟଣା ଘଟିଥିଲା। ଦେଶରେ ଅଣ୍ଡା ଓ ଟଫି ଫିଙ୍ଗିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ସବୁକିଛି ଅଭିଯୋଗକାରୀଙ୍କ ଉପରେ ନିର୍ଭର କରାଯାଏ। କୋରିଆ ଫୁଟ୍‌ବଲ୍‌ ସଂଘ (କେଏଫ୍‌ଏ) କିନ୍ତୁ ସମ୍ପୃକ୍ତି ପ୍ରଶଂସକମାନଙ୍କ ବିରୋଧରେ ଯିବ ନାହିଁ ବୋଲି କହିଛି। ୪ ବର୍ଷ ତଳେ ବ୍ରାଜିଲ୍‌ ବିଶ୍ୱକପ୍‌ରୁ ୨ ପରାଜୟ ଏବଂ ଗୋଟିଏ ଅମୀମାଂସିତ ସହିତ ଫେରିବା ପରେ ମଧ୍ୟ କୋରିଆ ଦଳକୁ ଟଫି ଫିଙ୍ଗିଥିଲେ ପ୍ରଶଂସକ। କୋରିଆରେ ଏସବୁକୁ ଅଣ୍ଡା ଫିଙ୍ଗାକୁ ଆକ୍ରମଣ ଏବଂ ଟଫି ଫିଙ୍ଗାକୁ ଅପମାନ ଭାବେ ଗଣାଯାଉଥିଲେ ଅଭିଯୋଗକାରୀଙ୍କ ଅଭିଯୋଗ ଆବଶ୍ୟକ ପଡ଼ିଥାଏ।

ସମ୍ବନ୍ଧିତ ଖବର