ହାଇଦ୍ରାବାଦକୁ ଜିତାଇଲେ ହୁଦା

ଶେଷ ବଲ୍‌ରେ ୧ ଓ୍ଵିକେଟରେ ହାରିଲା ମୁମ୍ବାଇ

ହାଇଦ୍ରାବାଦ: ଏକାଦଶ ଆଇପିଏଲ୍‌ର ସପ୍ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଗୁରୁବାର ୧ ଓ୍ଵିକେଟ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି। ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏକାଦା ଭଲ ସ୍ଥିତିରେ ଥିବା ହାଇଦ୍ରାବାଦ ଅଚାନକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୭ ରନ୍‌ରେ ୯ ଓ୍ଵିକେଟ୍‌ ହରାଇ ଅଡ଼ୁଆରେ ପଡ଼ିଥିଲା। ହେଲେ ଦଳର ଯୁବ ତାରକା ଦୀପକ ହୁଦା (୩୨* ରନ୍‌, ୨୫ ବଲ୍‌, ୧ ଚୌକା, ୧ ଛକା)ଙ୍କ ସମୟ ଉପଯୋଗୀ ତଥା ସାହାସୀ ବ୍ୟାଟିଂ ପାଇଁ ଶେଷ ବଲ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ଅପେକ୍ଷାକୃତ ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନଙ୍କ ୪୫ (୨୮ ବଲ୍‌, ୮ ଚୌକା)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ୮୮ ରନ୍‌ରେ ମାତ୍ର ୩ ଓ୍ଵିକେଟ୍‌ ହରାଇ ଦୃଢ଼ ସ୍ଥିତିରେ ଥିଲା। ଏହା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ମୁମ୍ବାଇ ବୋଲର ମାତ୍ର ୪୯ ରନ୍‌ରେ ଘରୋଇ ହାଇଦ୍ରାବାଦର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତେବେ ହୁଦା ଶେଷ ବ୍ୟାଟ୍ସମ୍ୟାନ୍‌ ବିଲି ଷ୍ଟାନଲେକଙ୍କୁ ସାଥୀ କରି ଶେଷ ବଲ୍‌ରେ ହିଁ ବିଜୟ ମୁଣ୍ଡି ମାରିଥିଲେ। ହାଇଦ୍ରାବାଦକୁ ବିଜୟ ପାଇଁ ଶେଷ ଓଭରରୁ ୧୧ ରନ୍‌ର ଦରକାର ଥିଲା। ବେନ୍‌ କଟିଂଙ୍କ ଏହି ଓଭରର ପ୍ରଥମ ବଲ୍‌କୁ ଛକା ମାରି ହୁଦା ତାହାକୁ ୫ ବଲ୍‌ରୁ ୫ ରନ୍‌କୁ କମାଇ ଆଣିଥିଲେ। ସେହିଭଳି ଶେଷ ବଲ୍‌ରୁ ବିଜୟ ପାଇଁ ମାତ୍ର ୧ ରନ୍‌ର ଦରକାର ଥିଲା ବେଳେ ଏହାକୁ ଚୌକା ମାରି ହାଇଦ୍ରାବାଦକୁ ଲଗାତାର ଦ୍ୱିତୀୟ ବିଜୟ ଉପହାର ଦେଇଥିଲେ। ଅନ୍ୟ ପକ୍ଷରେ ପୁଣଇ ଥରେ ଶେଷ ଓଭର ରୋମାଞ୍ଚରେ ଫସୀ ମୁମ୍ବାଇ ଲଗାତାର ଦ୍ୱିତୀୟ ପରାଜୟ ବରିଥିଲା। ୪ ଓଭରରେ ମାତ୍ର ୧୩ ରନ୍‌ ଦେଇ ୧ ଓ୍ଵିକେଟ୍‌ ଅକ୍ତିଆର କରିଥିବା ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଧାଓ୍ଵନ ପ୍ରତିଯୋଗିତାର ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ କମଳା ରଙ୍ଗ ଟୋପି ପାଇଥିଲେ। ଗୁରୁବାର ମୁକାବିଲାରେ ୪ ଓ୍ଵିକେଟ୍‌ ନେଇଥିବା ମୁମ୍ବାଇ ସ୍ପିନର ମୟଙ୍କ ମାର୍କଣ୍ଡ ସର୍ବାଧିକ ଓ୍ଵିକେଟ୍‌ ହାସଲକାରୀ ହୋଇ ବାଇଗଣୀ ଟୋପିର ଅଧିକାରୀ ହୋଇଥିଲେ। ଏହା ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ତା ପାଳି ଆରମ୍ଭରୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ମାତ୍ର ୧୪୭ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଏଭିନ ଲୁଇସ୍‌ ସର୍ବାଧିକ ୨୯ ରନ୍‌ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଓ କିରଣ ପୋଲାର୍ଡ ୨୮ ରନ୍‌ ଲେଖାଏଁ କରିଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୧୪୭/୮ (ଏଭିନ ଲୁଇସ୍‌ ୨୯, ସୂର୍ଯ୍ୟ କୁମାର ଯାଦବ ୨୮, କିରଣ ପୋଲାର୍ଡ ୨୮, ସନ୍ଦୀପ ଶର୍ମା ୨/୨୫, ସିଦ୍ଧାର୍ଥ କୌଲ ୨/୨୯, ବିଲି ଷ୍ଟାନଲେକ ୨/୪୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୫୧/୯ (ଶିଖର ଧାଓ୍ଵନ ୪୫, ଦୀପକ ହୁଦା ୩୨*, ମୟଙ୍କ ମାର୍କଣ୍ଡ ୪/୨୩, ମୁସ୍ତାଫିଜୁର ରେହମାନ ୩/୨୪)।

ସମ୍ବନ୍ଧିତ ଖବର