ହାଇଦ୍ରାବାଦଠୁ ହାରିଲା ଦିଲ୍ଲୀ

ହାଇଦ୍ରାବାଦ: ଆଇପିଏଲ୍‌-୧୧ର ୩୬ତମ ମ୍ୟାଚ୍‌ରେ ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ଓ୍ଵିକେଟ୍‌ରେ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସକୁ ପରାସ୍ତ କରି ୪ ଘଣ୍ଟା ପରେ ପୁଣି ଶୀର୍ଷକୁ ଉଠିଛି। ଶନିବାର ସଂଧ୍ୟାରେ ଚେନ୍ନାଇ ଶୀର୍ଷକୁ ଉଠିଥିଲେ ମଧ୍ୟ ପୁଣି ଦ୍ୱିତୀୟକୁ ଖସିଯାଇଛି। ହାଇଦ୍ରାବାଦ ନବମ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ଦଶମରୁ ସପ୍ତମ ପରାଜୟ ବରଣ କରି ପ୍ଲେ ଅଫ୍‌ ଦୌଡ଼ରୁ ଏକ ପ୍ରକାର ଦୂରେଇ ଯାଇଛି।

ଉପ୍ପଲ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ ଟସ୍‌ ଜିତିବା ପରେ ସମ୍ଭବତଃ ଚଳିତ ଋତୁର ପ୍ରଥମ ଦଳ ଭାବେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗତ ମ୍ୟାଚ୍‌ରେ ବିଜୟୀ ଦିଲ୍ଲୀ ପାଇଁ ମୁମ୍ବାଇର ବିସ୍ମୟ ତରୁଣ ପୃଥ୍ଵୀ ସ’ ଧୂଆଁଧାର ଆରମ୍ଭ ଦେଇଥିଲେ। ସେ ୨୫ ବଲ୍‌ରୁ ୫୦ ରନ୍‌ ପୂର୍ଣ୍ଣ କରିବାରୁ ପାଓ୍ଵାର ପ୍ଲେ ୬ ଓଭରରେ ଦିଲ୍ଲୀ ୧ ଓ୍ଵିକେଟ୍‌ ହରାଇ ୬୦ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲା। ପୃଥ୍ଵୀଙ୍କ ସହିତ ପାଳି ଆରମ୍ଭ କରିଥିବା ଅଷ୍ଟ୍ରେଲୀୟ ତାରକା ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୨) ରନ୍‌ ଆଉଟ୍‌ ହୋଇ ଫେରିଥିଲେ। ପୃଥ୍ଵୀ (୬୫, ୩୬ ବଲ୍‌, ୬ ଚୌକା, ୩ ଛକା) ଏବଂ ଶ୍ରେୟସ ଆୟର୍‌ (୪୪, ୩୬ ବଲ, ୩ ଚୌକା, ୨ ଛକା) ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୫୧ ବଲ୍‌ରୁ ୮୬ ରନ୍‌ ଯୋଡ଼ିବା ଦିଲ୍ଲୀକୁ ଦମ୍ଭିଲା ସ୍ଥିତିରେ ପହଞ୍ଚାଇଥିଲା। ୧୧.୪ ଓଭରରେ ଦିଲ୍ଲୀ ୧୦୦ ରନ୍‌ ଅତିକ୍ରମ କରିଯିବାରୁ ବଡ଼ ସ୍କୋର୍‌ର ସମ୍ଭାବନା ସୃଷ୍ଟି କରିଥିଲା। କିନ୍ତୁ ଉଭୟଙ୍କ ଆଉଟ୍‌ ଦିଲ୍ଲୀକୁ ହଠାତ୍‌ ୧୭ ଓଭର ବେଳକୁ ୧୩୪/୫ରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା। ବିଜୟ ଶଙ୍କର (୨୩*, ୧୩ ବଲ୍‌ରୁ ୧ ଚୌକା, ୧ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଅବଶ୍ୟ ଦିଲ୍ଲୀ ୧୬୩ ରନ୍‌ର ଆହ୍ଵାନଭରା ସ୍କୋର୍‌ କରି ଦେଇଥିଲା। ହାଇଦ୍ରାବାଦ ପକ୍ଷରୁ ଚୂଡାନ୍ତ ଏକାଦଶକୁ ଫେରିଥିବା ଭୁବନେଶ୍ୱର କୁମାର (୪-୦-୩୩-୦) ଓ୍ଵିକେଟଶୂନ୍ୟ ରହିଥିବା ବେଳେ ଆଫଗାନିସ୍ତାନ ସ୍ପିନର୍‌ ରସିଦ୍‌ ଖାନ୍‌ (୪-୦-୨୩-୨) ସଫଳତମ ବୋଲର ରହିଥିଲେ। ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

୧୬୪ ରନ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ପାଇଁ ଶିଖର ଧାଓ୍ଵନ (୩୩, ୩୦ ବଲ୍‌, ୨ ଚୌକା, ୧ ଛକା) ଏବଂ ଆଲେକ୍ସ ହେଲ୍‌ସ (୪୫, ୩୧ ବଲ୍‌, ୩ ଚୌକା, ୩ ଛକା) ପ୍ରଥମ ଓ୍ଵିକେଟ୍‌ରେ ୯ ଓଭରରେ ୭୬ ରନ୍‌ ଉଠାଇଥିଲେ। ପାଓ୍ଵାର ପ୍ଲେ ୬ ଓଭରରେ ୬୧ ରନ୍‌ ଉଠାଇଥିଲେ। ଷଷ୍ଠ ଓଭରରେ ଅଭେଶ ଖାନ୍‌ଙ୍କୁ ୪ ଛକା ସହିତ ୨୭ ରନ୍‌ ଆଦାୟ କରିଥିଲେ। ତେବେ ପଡ଼ିଆ କଟକଣା ହଟିଯିବା ପରେ ଦିଲ୍ଲୀ ବୋଲର ପ୍ରାଧାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ଲେଗ୍‌ସ୍ପିନର୍‌ ଅମିତ୍‌ ମିଶ୍ରା ତାଙ୍କ ୪ ଓଭରରେ ମାତ୍ର ୧୯ ରନ୍‌ ଦେଇ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଧାଓ୍ଵନ ଓ ହେଲ୍‌ସଙ୍କୁ ବୋଲଡ କରିଦେବା ହାଇଦ୍ରାବାଦର ଗତିରୋଧ କରିଥିଲା। ମଝି ୬ ଓଭର ବାଉଣ୍ଡରୀଶୂନ୍ୟ ରହିବାରୁ ଚାପ ବଢ଼ିଥିଲା। ମନୀଷ ପାଣ୍ଡେ କିନ୍ତୁ ଡାନ୍‌ କ୍ରିଷ୍ଟିଆନଙ୍କୁ ୨ ଚୌକା ମାରି ଆଶା ବଢ଼ାଇଥିଲେ। ମନୀଷ ପାଣ୍ଡେ (୨୧, ୧୭ ବଲ୍‌)ଙ୍କୁ ଆଉଟ୍‌ କରି ଲିଆମ୍‌ ପ୍ଲଙ୍କେଟ୍‌ ୧୮ତମ ଓଭରରେ ମାତ୍ର ୪ ରନ୍‌ ଦେବାରୁ ଚାପ ପୁଣି ଫେରିଥିଲା। ପ୍ଲଙ୍କେଟ୍‌ କିନ୍ତୁ ୟୁସୁଫ୍‌ ପଠାନ୍‌ଙ୍କ କ୍ୟାଚ୍‌ ହାତଛଡ଼ା କରି ଖଳ ନାୟକ ସାଜିଥିଲେ। ଶେଷ ଓଭରରୁ ୧୪ ରନ୍‌ ଆବଶ୍ୟକ ପଡ଼ିଥିଲା। ୟୁସୁଫ୍‌ ପଠାନ୍‌ (୨୭*, ୧୨ ବଲ୍‌, ୨ ଚୌକା, ୨ ଛକା) ଡାନ୍‌ କ୍ରିଷ୍ଟିଆନଙ୍କ ପ୍ରଥମ ୪ ବଲ୍‌ରୁ ୧୩ ରନ୍‌ ଆଦାୟ (୨, ୬, ୪, ୧) କରିନେଇଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୩୨*, ୩୦ ବଲ୍‌, ୧ ଛକା) ୧ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ: ୨୦ ଓଭରରେ ୧୬୩/୫ (ପୃଥ୍ଵୀ ସ’-୬୫, ଶ୍ରେୟସ ଆୟର୍‌-୪୪, ଋଷବ ପନ୍ତ୍‌-୧୮, ବିଜୟ ଶଙ୍କର-୨୩*, ରସିଦ୍‌ ଖାନ୍‌-୨/୨୩, ସିଦ୍ଧାର୍ଥ କୌଲ୍‌-୧/୩୭)। ସନ୍‌ରାଇଜର୍ସ ହାଇଦ୍ରାବାଦ: ୧୯.୫ ଓଭରରେ ୧୬୪/୩ (ଆଲେକ୍ସ ହେଲ୍‌ସ-୪୫, ଶିଖର ଧାଓ୍ଵନ-୩୩, କେନ୍‌ ଓ୍ଵିଲିୟମ୍‌ସନ୍‌-୩୨*, ୟୁସୁଫ୍‌ ପଠାନ-୨୭*, ଅମିତ୍‌ ମିଶ୍ରା-୨/୧୯, ଲିଆମ୍‌ ପ୍ଲଙ୍କେଟ୍‌-୧/୨୭)।

ସମ୍ବନ୍ଧିତ ଖବର