ଦିଲ୍ଲୀକୁ ହରାଇ ହାଇଦ୍ରାବାଦ ଶୀର୍ଷରେ

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୬ତମ ମ୍ୟାଚ୍‌କୁ ଘରୋଇ ପରିବେଶରେ ଖେଳିଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଡରିଯାଇଛି। ଗତ ମ୍ୟାଚ୍‌ରେ ୮ ରନ୍‌ରେ ୭ ୱିକେଟ୍ ହରାଇବାର ଭୂତ ବି ଏହି ଦଳକୁ ଗୋଡ଼ାଇଛି। ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ହାଇଦ୍ରାବାଦ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ସହିତ ଶୀର୍ଷକୁ ଉଠିଥିବାବେଳେ ଦିଲ୍ଲୀ ପଞ୍ଜମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ’ (୧୧, ୧୧ ବଲ୍‌) ଏବଂ ଶିଖର ଧାୱନ (୧୨, ୧୪ ବଲ୍‌) ନିରାଶ କରିଥିଲେ। ଯୁବ ପ୍ରତିଭା ଋଷବ ପନ୍ତ୍‌, ରାହୁଲ ତିୱାତିଆ , କଲିନ୍ ଇନ୍‌ଗ୍ରାମ ପ୍ରତ୍ୟେକ ୫ ରନ୍ ଲେଖାଏଁ କରିଥିଲେ। ଫଳରେ ଦିଲ୍ଲୀ ୭୫ ରନ୍‌ରେ ୫ ୱିକେଟ୍‌ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ଅଧିନାୟକ ‌ଶ୍ରେୟସ ଆୟର (୪୩, ୪୧ ବଲ୍‌, ୩ ଚୌକା, ୧ ଛକା) ୧୭ତମ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଅନ୍ୟ କାହାରିଠାରୁ ସମର୍ଥନ ପାଇନଥିଲେ। ଶେଷ ଭାଗରେ କ୍ରିସ୍ ମୋରିସ୍ (୧୭, ୧୫ ବଲ୍‌) ଏବଂ ଅକ୍ଷର ପଟେଲ୍ (୨୩*, ୧୩ ବଲ୍‌, ୧ ଚୌକା, ୨ ଛକା) ଦ୍ରୁତ ଖେଳିବାରୁ ଦିଲ୍ଲୀ ସମ୍ମାନଜନକ ସ୍କୋର୍ କରିପାରିଥିଲା। ଶେଷ ଓଭର ବୋଲିଂ କରିଥିବା ସିଦ୍ଧାର୍ଥ କଉଲଙ୍କ ଶେଷ ୩ ବଲ୍‌ରୁ ୧୪ ରନ୍ (୬, ୨, ୬) ଆଦାୟ କରିଥିଲେ ପଟେଲ୍‌। ଏଥି ସହିତ ଦିଲ୍ଲୀ ୧୨୯/୮ରେ ଅଭିଯାନ ଶେଷ କରିଥିଲା। ହାଇଦ୍ରାବାଦ ପକ୍ଷରୁ କାମଚଳା ଅଧିନାୟକ ଭୁବନେଶ୍ବର କୁମାରଙ୍କ ସହିତ ମହମ୍ମଦ ନବି, ସିଦ୍ଧାର୍ଥ କଉଲ୍‌ ୨ ଲେଖାଏଁ ଏବଂ ରସିଦ୍‌ ଖାନ୍‌ ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଡେଭିଡ୍ ୱାର୍ନର ଏବଂ ଜନି ବେୟାରଷ୍ଟୋ ପ୍ରଥମ ୱିକେଟ୍ ପାଇଁ ଓଭର ପିଛା ୧୦ ରନ୍ ହାରରେ ୬୪ ରନ୍ କରିଥିଲେ। ବିଗତ ୩ ମ୍ୟାଚ୍‌ରେ ଶତକୀୟ ଭାଗୀଦାରି କରିଥିବା ଏହି ବିଦେଶୀ ଯୋଡ଼ି କିନ୍ତୁ ଏଥର ଏହାକୁ ଦୋହରାଇ ପାରିନଥିଲେ। ୬୪ ରନ୍‌ ଭାଗୀଦାରି ମଧ୍ୟରୁ ବେୟାର‌ଷ୍ଟୋ (୪୮, ୨୮ ବଲ, ୯ ଚୌକା, ୧ ଛକା) ଅଧିକ ରନ୍ କରିଥିଲେ ମଧ୍ୟ ଆଗ ଆଉଟ୍‌ ହୋଇଥିଲେ। ଶାନ୍ତ ପଡ଼ିଯାଇଥିବା ୱାର୍ନର (୧୦, ୧୮ ବଲ) ପରବର୍ତୀ ଓଭରରେ ନିରାଶ କରିଥିଲେ। ବିଜୟ ଶଙ୍କର (୧୬), ମନୀଷ ପାଣ୍ଡେ (୧୦), ଦୀପକ ହୁଦା (୧୦) ମଧ୍ୟ ବିଶେଷ ପ୍ରଭାବ ଛାଡ଼ି ପାରିନଥିଲେ। କିନ୍ତୁ ସାମୟିକ ଚାପ ପରେ ମହମ୍ମଦ ନବି (୧୭*, ୯ ବଲ, ୨‌ ଚୌକା, ୧ ଛକା) ଏବଂ ୟୁସୁଫ ପଠାନ୍ (୯*, ୧୧ ବଲ, ୧ ଚୌକା) ୯ ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ।

ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୨୯/୮ (ଶ୍ରେୟସ ଆୟର-୪୩, ଅକ୍ଷର ପଟେଲ୍‌-୨୩*, ମହମ୍ମଦ ନବି-୨/୨୧, ଭୁବନେଶ୍ବର କୁମାର-୨/୨୭, ସିଦ୍ଧାର୍ଥ କଉଲ୍‌-୨/୩୫, ରସିଦ୍ ଖାନ୍‌-୧/୧୮, ସନ୍ଦୀପ ଶର୍ମା-୧/୨୫)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୧୩୧/୫ (ଜନି ବେୟାରଷ୍ଟୋ-୪୮, ମହମ୍ମଦ ନବି-୧୭*, ୟୁସୁଫ ପଠାନ୍‌-୯*, ଈଶାନ୍ତ ଶର୍ମା-୧/୫, ଅକ୍ଷର ପଟେଲ-୧/୧୮, ରାହୁଲ ତିୱାତିଆ-୧/୧୦, କାଗିସୋ ରବାଦା-୧/୩୨, ସନ୍ଦୀପ ଲାମିଚାନ୍-୧/୩୨)।

ସମ୍ବନ୍ଧିତ ଖବର