ଧଓ୍ଵନ, ଓ୍ଵିଲିୟମ୍ସଙ୍କ ଅର୍ଦ୍ଧଶତକ, ଚେନ୍ନାଇକୁ ୧୮୦ ରନର ଲକ୍ଷ୍ୟ ଦେଲା ହାଇଦ୍ରାବାଦ

ପୁନେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୬ତମ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୮୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇନିଂସ ଆରମ୍ଭରୁ ହାଇଦ୍ରାବାଦ ନିଜ ଓପନର ଆଲେକ୍ସ ହେଲ୍ସଙ୍କୁ ହରାଇଥିଲେ ମଧ୍ୟ ଅନ୍ୟତମ ଓପନର ଶିଖର ଧଓ୍ଵନ ଓ କେନ ଓ୍ଵିଲିୟମ୍ସ ଲଢୁଆ ବ୍ୟାଟିଂ କରୁ ଦଳକୁ ବିପଦରୁ ଉଦ୍ଧାର କରିବା ସହ ୧୨୩ ରନର ପାର୍ଟନରସିପ କରିଥିଲେ । ତେବେ ଦଳର ସ୍କୋର ୧୪୧ ହୋଇଥିବା ବେଳେ ଉଭୟ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ ଫେରିବା ପରେ ଦଳ ପୁଣି ବିପଦରେ ପଡିଯାଇଥିଲା । ତେବେ ଶେଷ ବେଳକୁ ଦିପକ ହୁଦା ଓ ସକିବୁଲ ହସଲ ସତର୍କତାର ସହ ଖେଳିବା ସହ ଦଳର ସ୍କୋରକୁ ୧୭୯ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।
ଚେନ୍ନାଇ ତରଫରୁ ସାର୍ଦ୍ଦୁଳ ଠାକୁର ୨ଟି ଏବଂ ଡେ୍ଵନ ବ୍ରାଭୋ ଓ ଦିପକ ଚହର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୯ ବିଜୟ ସହ ୧୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଉପରେ ରହିଛି । ସେହିପରି ଚେନ୍ନାଇ ୧୧ଟି ମ୍ୟାଚ ଖେଳି ୭ ବିଜୟ ୪ ପରାଜୟ ସହ ୧୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର