ମୁମ୍ବାଇର ହୋସ୍‌ ଉଡ଼ାଇଲା ହାଇଦ୍ରାବାଦ

ମୁମ୍ବାଇ: ମାର୍ଗଦର୍ଶକ ସଚିନ ତେନ୍ଦୁଲକରଙ୍କ ଜନ୍ମଦିବସରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଆଇପିଏଲ୍‌ ଇତିହାସରେ ସର୍ବନିମ୍ନ ସ୍କୋର୍‌ ସହିତ ଆଉ ଏକ ଲଜ୍ଜା ଜନକ ପରାଜୟ ବରଣ କରିଛି। ଚଳିତ ଆଇପିଏଲ୍‌ର ମଙ୍ଗଳବାର ୨୩ତମ ମ୍ୟାଚ୍‌ରେ ଅତି ଦୟନୀୟ ବ୍ୟାଟିଂ କରି ମାତ୍ର ୧୧୮ ରନ୍‌ର ବିଜୟ ଲକ୍ଷ୍ୟକୁ ବି ହାସଲ କରି ପାରି ନାହିଁ। ଏହି ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍‌ ଏକ ଅଙ୍କରେ ସୀମିତ ରହି ଯାଇଥିଲା ବେଳେ ସମଗ୍ର ଦଳ ମାତ୍ର ୮୭ ରନ୍‌ କରି ପାରିଛି। ସେପଟେ ଆଇପିଏଲ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ସନରାଇଜର୍ସ ହାଇଦ୍ରାବାଦ ୩୧ ରନ୍‌ର ଜବରଦସ୍ତ ବିଜୟ ହାସଲ କରିଛି। ଦୁଇ ଆଫଗାନିସ୍ତାନ ବୋଲର ମହମ୍ମଦ ନବି (୩-୦-୨୩-୧) ଓ ରସିଦ୍‌ ଖାନ୍‌ (୪-୧-୧୧-୨)ଙ୍କ ସହ କେରଳୀ ବୋଲର ବାସିଲ ଥମ୍ପି (୧.୫-୦-୪-୨) ଏବଂ ପଞ୍ଜାବୀ ତାରକା ସିଦ୍ଧାର୍ଥ କୌଲ (୪-୦-୨୩-୩) ମିଳିତ ଭାବେ ମୁମ୍ବାଇର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରସିଦ୍‌ଙ୍କ ମେଡେନ୍‌ ଓଭର ମଧ୍ୟ ମଙ୍ଗଳବାର ମୁକାବିଲାର ଅନ୍ୟତମ ଆକର୍ଷଣ ଥିଲା। ସେ ତାଙ୍କ ମିତ୍ତବ୍ୟୟୀ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗତଥର ବିଜେତା ମୁମ୍ବାଇ ୨୧ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ନିଜ ଗୋଡ଼ ନିଜେ ହାଣିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଏଭିନ ଲୁଇସ୍‌ (୫), ଈଶାନ କିଷାନ (୦) ଓ ଅଧିନାୟକ ରୋହିତ ଶର୍ମା (୨) ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେବା ପରେ ଆରମ୍ଭରୁ ସହଜ ମନେ ହେଉଥିବା ମୁମ୍ବାଇର ପଶ୍ଚାତଧାବନ କଷ୍ଟକର ହୋଇ ଯାଇଥିଲା। ସୂର୍ଯ୍ୟକୁମାର ଯାଦବ (୩୪ ରନ୍‌, ୩୮ ବଲ୍‌, ୪ ଚୌକା) ଓ କ୍ରୁନାଲ ପାଣ୍ଡ୍ୟା (୨୪ ରନ୍‌, ୨୦ ବଲ୍‌, ୪ ଚୌକା) ଅବଶ୍ୟ ଚତୁର୍ଥ ଓ୍ଵିକେଟ୍‌ରେ ୪୦ ରନ୍‌ର ଭାଗୀଦାରି କରି ମୁମ୍ବାଇକୁ ଆଶା ଦେଇଥିଲେ। ହେଲେ କ୍ରୁନାଲଙ୍କୁ ରସିଦ ଏକାଦଶ ଓଭରରେ ଆଉଟ୍‌ କରିବା ପରେ ମ୍ୟାଚ୍‌ର ମୋଡ଼ ପୂରା ବଦଳି ଯାଇଥିଲା। ମୁମ୍ବାଇ ମାତ୍ର ୨୬ ରନ୍‌ ଭିତରେ ତା’ର ଶେଷ ୭ ଓ୍ଵିକେଟ୍‌ ହରାଇ ୧୮.୫ ଓଭରରେ କେବଳ ୮୭ ରନ୍‌ରେ ସୀମିତ ରହି ଯାଇଥିଲ। ସେପଟେ ଆଇପିଏଲ୍‌ ଇତିହାସରେ ତୃତୀୟ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ଉଭୟ ଦଳ ଅଲଆଉଟ୍‌ ହୋଇଥିଲେ। ହାଇଦ୍ରାବାଦ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଥିଲା। ମୁମ୍ବାଇ କିନ୍ତୁ ସେହି ୬ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା। ମୁମ୍ବାଇ ମଧ୍ୟ ଆଜି ତା’ର ଆଇପିଏଲ୍‌ ଇତିହାସର ସର୍ବନିମ୍ନ ଦଳଗତ ସ୍କୋର କରିଥିଲା।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦର ଆରମ୍ଭ ବି ଥିଲା ଅତ୍ୟନ୍ତ ବିପର୍ଯ୍ୟୟ ଭରା। ଦ୍ୱିତୀୟ ଓଭରରେ ଶିଖର ଧାଓ୍ଵନ ଏବଂ ଋଦ୍ଧିମାନ ସାହାଙ୍କ ଓ୍ଵିକେଟ୍‌ ସହ ପାଓ୍ଵାର ପ୍ଲେର ୬ ଓଭର ଭିତରେ ଏହି ଦଳ ନିଜର ୪ ଜଣ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୨୯) ଏବଂ ୟୁସୁଫ ପଠାନ (୨୯) କିଛି ସମୟ ଲଢ଼ିଥିଲେ। ଉଭୟ ମିଳିତ ଭାବେ ସ୍ଥିତିକୁ ପୂରା ସଜାଡ଼ି ପାରି ନଥିଲେ। ଫଳରେ ସନ୍‌ରାଇଜର୍ସର ଓ୍ଵିକେଟ୍‌ ପତନ ଧାରା ପୂର୍ବବତ୍‌ ଅବ୍ୟାହତ ରହିଥିଲା। ପ୍ରଥମ ୫ ଓ୍ଵିକେଟ୍‌ ୬୩ ରନ୍‌ରେ ହରାଇଥିବା ଏହି ଦଳ ଆହୁରି ଦୟନୀୟ ବ୍ୟାଟିଂ କରିବା ପରେ ଶେଷ ୫ ଓ୍ଵିକେଟ୍‌ ମାତ୍ର ୫୪ ରନ୍‌ରେ ଖସି ଯାଇଥିଲା। ଶେଷରେ ୮ ବଲ୍‌ ପୂର୍ବରୁ ସମସ୍ତ ଓ୍ଵିକେଟ୍‌ ହରାଇ ସନ୍‌ରାଇଜର୍ସ ମାତ୍ର ୧୧୭ ରନ୍‌ରେ ଅଟକି ଯାଇଥିଲା। ମ୍ୟାକକ୍ଲିନାଘନ, ହାର୍ଦିକ ଓ ମୟଙ୍କ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ସନରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ୧୧୭ (କେନ୍‌ ଓ୍ଵିଲିୟମସନ୍‌ ୨୯, ୟୁସୁଫ ପଠାନ ୨୯, ମନୀଷ ପାଣ୍ଡେ ୧୬, ମୟଙ୍କ ମାର୍କଣ୍ଡ ୨/୧୫, ହାର୍ଦିକ ପାଣ୍ଡ୍ୟା ୨/୨୦, ମିଚେଲ ମ୍ୟାକକ୍ଲିନାଘନ ୨/୨୨)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭରରେ ୮୭ (ସୂର୍ଯ୍ୟ କୁମାର ଯାଦବ ୩୪, କ୍ରୁନାଲ ପାଣ୍ଡ୍ୟା ୨୪, ସିଦ୍ଧାର୍ଥ କୌଲ ୩/୨୩, ରସିଦ ଖାନ୍‌ ୨/୧୧, ବାସିଲ ଥମ୍ପି ୧.୫-୦-୪-୨।

ସମ୍ବନ୍ଧିତ ଖବର