ହାଇଦ୍ରାବାଦ ପ୍ଲେ ଅଫ୍‌ ପକ୍କା :ପୁଣି ଅଳ୍ପ ରନ୍‌ କରି ଜିତିଲା:ଲଗାତାର ପଞ୍ଚମ ବିଜୟ

ବାଙ୍ଗାଲୋର୍‌ ପଡ଼ିଲା ଆଶଙ୍କାରେହାଇଦ୍ରାବାଦ, ୭|୫: ୧୧୮, ୧୩୨, ୧୫୧ ରନ୍‌ କରିବା ପରେ ଏହାକୁ ବଞ୍ଚାଇ ଜିତିଥିବା ହାଇଦ୍ରାବାଦ ସୋମବାର ୧୪୬ ରନ୍‌ କରି ମଧ୍ୟ ଜିତିଗଲା। ଲଗାତାର ପଞ୍ଚମ ବିଜୟ ସହିତ ଶୀର୍ଷ ସ୍ଥାନକୁ ଦୃଢ଼ କରି ପ୍ରଥମ ଦଳ ଭାବେ ମଧ୍ୟ ପ୍ଲେ ଅଫ୍‌ ଯୋଗ୍ୟତାକୁ ନିଶ୍ଚିତ କରିନେଲା। ସୋମବାର ଆଇପିଏଲ୍‌-୧୧ର ୩୯ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଉତ୍କଣ୍ଠାପୂର୍ଣ୍ଣ ଭାବେ ୫ ରନ୍‌ରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗଲୋର୍‌କୁ ପରାସ୍ତ କରି ଏକ ପ୍ରକାର ବିଦାୟ ରାସ୍ତା ଦେଖାଇଦେଲା। ହାଇଦ୍ରାବାଦ ଦଶମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ୧୬ ପଏଣ୍ଟ୍‌ ପାଇଥିବା ବେଳେ ବାଙ୍ଗାଲୋର୍‌ ଦଶମ ମ୍ୟାଚ୍‌ରୁ ସପ୍ତମ ପରାଜୟ ସହିତ କେବଳ ଅବଶିଷ୍ଟ ୪ ମ୍ୟାଚ୍‌ ଫଳାଫଳର ଗାଣେତିକ ହିସାବ ଅପେକ୍ଷାରେ ରହିଲା। ବିଗତ ୫ ମ୍ୟାଚ୍‌ ଜିତି ହାଇଦ୍ରାବାଦ ମଧ୍ୟ ଅନେକଙ୍କୁ ଚମତ୍କତ କରିଦେଇଛି।
୧୪୭ ରନ୍‌ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର୍‌ ପାଓ୍ଵାର୍‌ ପ୍ଲେ ୬ ଓଭରରେ ୧ ଓ୍ଵିକେଟ୍‌ ହରାଇ ୫୫ ରନ୍‌ ସଂଗ୍ରହ କରି ଭଲ ସ୍ଥିତିରେ ରହିଥିଲା। ମଧ୍ୟକ୍ରମରେ କିନ୍ତୁ ହାଇଦ୍ରାବାଦ ବୋଲର୍‌ ପ୍ରାଧାନ୍ୟ ବିସ୍ତାର କରିବାରୁ ମ୍ୟାଚ୍‌ରେ ରୋମାଞ୍ଚ ଜାରି ରହିଥିଲା। ପ୍ରାରମ୍ଭିକ ଯୋଡ଼ି ମନନ ଭୋରା (୮) ଏବଂ ପାର୍ଥିବ ପଟେଲ (୨୦) ନିରାଶ କରିଥିଲେ। ଏକାଧିକ କ୍ୟାଚ୍‌ ହାତଛଡ଼ା କରି ହାଇଦ୍ରାବାଦ୍‌ ମ୍ୟାଚ୍‌ ଛାଡ଼ିବା ସ୍ଥିତି ସୃଷ୍ଟି କରିଥିଲା। ହେଲେ ଏବି ଡି’ଭିଲିୟର୍ସ (୫, ୮ ବଲ୍‌)ଙ୍କୁ ରସିଦ୍‌ ଖାନ୍‌ ବୋଲଡ କରିଦେବା ଏବଂ ବିରାଟ କୋହଲି (୩୯, ୩୦ ବଲ୍‌, ୫ ଚୌକା, ୧ ଛକା)ଙ୍କୁ ସକିବ୍‌ ଅଲ୍‌ ହାସନ୍‌ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇ ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ମନଦୀପ୍‌ ସିଂହ (୨୧*, ୨୩ ବଲ୍‌) ଏବଂ କଲିନ୍‌ ଗ୍ରାଣ୍ଡ୍‌ହୋମ୍‌ (୩୩, ୨୯ ବଲ୍‌, ୧ ଚୌକା, ୨ ଛକା) ଶେଷ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ବିଜୟ ଛଡ଼ାଇ ପାରିନଥିଲେ। ଶେଷ ୨ ଓଭରରୁ ଦଳକୁ ୧୯ ରନ୍‌ ଆବଶ୍ୟକ ଥିଲା। ସିଦ୍ଧାର୍ଥ କଉଲ୍‌ ଏବଂ ଭୁବନେଶ୍ୱର କୁମାର ଯଥାକ୍ରମେ ୭ ଓ ୬ ରନ୍‌ ଦେଇ ଦଳକୁ ପୁଣି ଏକ ରୋମାଞ୍ଚକ ବିଜୟ ଦେଇଥିଲେ। ଶେଷ ବଲ୍‌ରେ ଛକା ଆବଶ୍ୟକ ପଡ଼ିଥିବା ବେଳେ ଗ୍ରାଣ୍ଡହୋମ୍‌ଙ୍କୁ ଭୁବନେଶ୍ୱର କୁମାର ବୋଲ୍‌ଡ କରି ଦେଇଥିଲେ। କେନ୍‌ ଓ୍ଵିଲିୟମ୍‌ସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ପୂର୍ବରୁ ଉପ୍ପଲର ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସୋମବାର ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଭାବହୀନ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟସ୍‌ମ୍ୟାନ ଆଲେକ୍ସ ହେଲ୍‌ସ (୫, ୫ ବଲ୍‌) ଏବଂ ଶିଖର ଧାଓ୍ଵନ (୧୩, ୧୯ ବଲ୍‌) ସଂଘର୍ଷ କରିଥିଲେ। ମନୀଷ ପାଣ୍ଡେ (୫) ମଧ୍ୟ ନିରାଶ କରିଥିଲେ। ପାଓ୍ଵାର ପ୍ଳେ’ ଭିତରେ ୨ ଓ୍ଵିକେଟ୍‌ ହରାଇ ମାତ୍ର ୩୮ ରନ୍‌ କରିଥିବା ହାଇଦ୍ରାବାଦ ନବମ ଓଭର ବେଳକୁ ୪୮/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଆଉ ଏକ ଦାୟିତ୍ୱପୂର୍ଣ୍ଣ ଅର୍ଧଶତକ (୫୬, ୩୯ ବଲ୍‌, ୫ ଚୌକା, ୨ ଛକା) ହାସଲ କରି ଦଳକୁ ଉଦ୍ଧାର କରିଥିଲେ। ବାଂଲାଦେଶୀ ଅଲରାଉଣ୍ଡର୍‌ ସକିବ୍‌ ଅଲ୍‌ ହାସନ୍‌ (୩୫, ୩୨ ବଲ୍‌, ୫ ଚୌକା)ଙ୍କୁ ସାଥୀ କରି ଓ୍ଵିଲିୟମ୍‌ସନ୍‌ ଚତୁର୍ଥ ଓ୍ଵିକେଟ୍‌ ପାଇଁ ୬୪ ରନ୍‌ ଯୋଡ଼ିଥିଲେ। କିନ୍ତୁ ଓ୍ଵିଲିୟମ୍‌ସନଙ୍କୁ ଉମେଶ ଯାଦବ ଆଉଟ୍‌ କରି ଗୋଟିଏ ଦିନ ପରେ ପୁଣି ବାଇଗଣୀ ଟୋପିର ଅଧିକାରୀ ହୋଇଥିଲେ। ଓ୍ଵିଲିୟମ୍‌ସନ୍‌ଙ୍କ ଆଉଟ୍‌ ପରେ ହଠାତ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ହାଇଦ୍ରାବାଦ ୪ ଓଭର ଏବଂ ୩୪ ରନ୍‌ ଭିତରେ ଶେଷ ୭ ଓ୍ଵିକେଟ୍‌ ହରାଇ ଦେବାରୁ ୧୪୬ ରନ୍‌ରେ ସୀମିତ ରହିଥିଲା। ଚଳିତ ଋତୁରେ ପ୍ରଥମ ଦଳ ଭାବେ ହାଇଦ୍ରାବାଦ ମଧ୍ୟ ଅଲଆଉଟ୍‌ ହୋଇଥିଲା। ଏହି ସମୟରେ ବିରାଟ କୋହଲି ଦୁଇଟି ରନ୍‌ ଆଉଟ୍‌ କରିବା ଉଲ୍ଲେଖନୀୟ ଥିଲା। ଶେଷ ଓଭରରେ ୩ ଓ୍ଵିକେଟ୍‌ ପଡ଼ିଥିଲା। ବାଙ୍ଗାଲୋର୍‌ ପକ୍ଷରୁ ଦୁଇ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ (୪-୦-୨୫-୩) ଏବଂ ଟିମ୍‌ ସାଉଦି (୪-୦-୩୦-୩) ଅତ୍ୟନ୍ତ ପ୍ରଭାବୀ ବୋଲିଂ କରିଥିଲେ।
ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ: ୨୦ ଓଭରରେ ୧୪୬ (କେନ୍‌ ଓ୍ଵିଲିୟମ୍‌ସନ୍‌-୫୬, ସକିବ୍‌ ଅଲ ହାସନ୍‌-୩୫, ମହମ୍ମଦ ସିରାଜ୍‌-୩/୨୫, ଟିମ୍‌ ସାଉଦି-୩/୩୦, ୟୁଜବେନ୍ଦ୍ର ଚହଲ୍‌-୧/୨୫, ଉମେଶ ଯାଦବ-୧/୩୬)। ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ୨୦ ଓଭରରେ ୧୪୧/୬ (ବିରାଟ କୋହଲି-୩୯, କଲିନ୍‌ ଗ୍ରାଣ୍ଡ୍‌ହୋମ୍‌-୩୩, ମନଦୀପ୍‌ ସିଂହ-୨୩*, ପାର୍ଥିବ ପଟେଲ୍‌-୨୦, ସକିବ୍‌ ଅଲ୍‌ ହାସନ-୨/୩୬, ସନ୍ଦୀପ ଶର୍ମା-୧/୨୦, ସିଦ୍ଧାର୍ଥ କଉଲ୍‌-୧/୨୫, ଭୁବନେଶ୍ୱର କୁମାର-୧/୨୭, ରସିଦ୍‌ ଖାନ୍‌-୧/୩୧)।

ସମ୍ବନ୍ଧିତ ଖବର