ଆଇଲିଗ୍ ଦଳ ଓହରିବା ପ୍ରସଙ୍ଗ: ଶୃଙ୍ଖଳା ସମିତି ନେବ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି

ଭୁବନେଶ୍ବର: ସୁପରକପ୍ ଫୁଟବଲ୍ ପ୍ରତିଯୋଗିତାରୁ ଓହରି ଯାଇଥିବା ୭ ଆଇ-ଲିଗ୍ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଶନିବାର ଭୁବନେଶ୍ବରରେ ବସିଥିବା ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍)ର ଲିଗ୍ ସମିତି ବୈଠକ ପରେ ଏହି ଆଭାସ ମିଳିଛି। ବୈଠକ ପରେ ସମିତି ଏହି ମାମଲାକୁ ମହାସଂଘର ଶୃଙ୍ଖଳା ସମିତି ନିକଟକୁ ପଠାଇ ଦେଇଛି। ଶୃଙ୍ଖଳା ସମିତି ହିଁ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସମିତି ତରଫରୁ ଏଆଇଏଏଫ୍ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଖେଳୁଥିବା ଖେଳାଳିଙ୍କ ବୟସ ନିର୍ଧାରଣ ଲାଗି ଆସନ୍ତା ଋତୁରୁ ଟିଡବ୍ଲ୍ୟୁଥ୍ରୀ ପଦ୍ଧତିର ଉପଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଉପକନିଷ୍ଠ ସ୍ତରୀୟ ଫୁଟ୍‌ବଲ୍‌ରେ ହେଉଥିବା ବୟସ ଜାଲିଆତିକୁ ରୋକାଯାଇ ପାରିବ। ସେହିପରି  ଆସନ୍ତା ହିରୋ ଉପକନିଷ୍ଠ ଓ କନିଷ୍ଠ ଫୁଟ୍‌ବଲ୍ ଲିଗ୍‌  ୨୦୧୯-୨୦ରେ ଅଂଶ ଗ୍ରହଣ କରୁଥିବା ଖେଳାଳିଙ୍କ ଅସ୍ଥି-ବୟସ ରେଟିଂ ଯଥାକ୍ରମେ ୧୩.୪ ଓ ୧୫.୪ ହେବା ଦରକାର ବୋଲି ସମିତି ଘୋଷଣା କରିଛି। ଅନ୍ୟପକ୍ଷରେ ରିଅଲ କଶ୍ମୀର-ମୀନର୍ଭା ପଞ୍ଜାବ ଏଫ୍‌ସି ଫେବ୍ରୁଆରି ୧୮ ଆଇଲିଗ୍ ମ୍ୟାଚ୍ ପୁନର୍ବାର ଖେଳାଯିବନି। ଏହି ମ୍ୟାଚ୍‌କୁ ପୁଲୱାମା ଆତଙ୍କାବାଦୀ ଆକ୍ରମଣ ପରେ ସ୍ଥଗିତ ରଖି ଦିଆଯାଇଥିଲା। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ମୀନର୍ଭା ସେତେବେଳେ ଶ୍ରୀନଗର ଯିବାକୁ ରାଜି ନହେବାରୁ  ଏହାକୁ ଅନ୍ୟ ଏକ ତାରିଖରେ କରିବାକୁ ଏଆଇଏଫ୍‌ଏଫ୍ ଜରୁରୀକାଳୀନ ସମିତି ନିଷ୍ପତ୍ତି ନେଇଥିଲା। ହେଲେ ଏବେ ଏହି ଦୁଇ ଦଳ ପୁନର୍ବାର ମ୍ୟାଚ୍ ଖେଳିବା ପରିବର୍ତେ ପଏଣ୍ଟ ବାଣ୍ଟିବାକୁ ରାଜି ହୋଇ ଯାଇଛନ୍ତି। ଫଳରେ ରିଅଲ କଶ୍ମୀର ୨୦ ମ୍ୟାଚ୍‌ରୁ ୩୭ ପଏଣ୍ଟ ସହ  ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ଆଇଲିଗ୍ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ମୀନର୍ଭା ପଞ୍ଜାବ ସେହି ୨୦ ମ୍ୟାଚ୍‌ରୁ ମାତ୍ର ୧୮ ପଏଣ୍ଟ ଅର୍ଜନ କରି ନବମ ସ୍ଥାନରେ ରହିଛି। ଆଇ-ଲିଗ୍‌ର ଚେନ୍ନାଇ ସିଟି ଏଫ୍‌ସି ଏବଂ ମୀନର୍ଭା ପଞ୍ଜାବ ମ୍ୟାଚ୍ ଫିକ୍ସ ଥିଲା ବୋଲି ମ୍ୟାଚ୍ ରେଫରି ଆଶଙ୍କା ଜାହିର କରିଥିଲେ। ଏଆଇଏଫଏଫ୍ ନୈତିକ ଅଧିକାରୀ ମାମଲାର ତଦନ୍ତ କରିବା ପରେ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟ ଦେଇଥିଲେ। ସମିତି ଶନିବାର ବୈଠକରେ ତାଙ୍କ ରିପୋର୍ଟକୁ ଗ୍ରହଣ କରିଛି। ଫଳରେ ଏହି ମ୍ୟାଚ୍ ନେଇ ଥିବା ସବୁପ୍ରକାର ଆଶଙ୍କା ଦୂର ହୋଇଛି। ଶନିବାରର ବୈଠକରେ ଏଆଇଏଫ୍‌ଏଫ୍‌ର  ବରିଷ୍ଠ ଉପସଭାପତି ସୁବ୍ରତ ଦତ୍ତ, ଲିଗ୍ ସମିତି ସଦସ୍ୟ ବିକେ ରୋକା, ଚିରାଗ ତନ୍ନା, ରୋଚକ ଲାଙ୍ଗର, ଆଇଲିଗ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନନ୍ଦୋ ଧର, ଆଇନ ପରାମର୍ଶଦାତା ସମିତି ମୁଖ୍ୟ ରାହୁଲ ମାସ୍କେରେନହାସ ଏବଂ କ୍ରୀଡ଼ା ସ୍ବାସ୍ଥ୍ୟ ସମିତିର ମୁଖ୍ୟ ଭେସ୍ ପେସ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର