ଦୂତିଙ୍କୁ ‘ଆପଲ’ ଉପହାର

ଭୁବନେଶ୍ବର: କାତାରର ‌ଦୋହାଠାରେ ଗତମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୁଇଟି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଆପଲ କଂପାନି ‘ଆଇ ଫୋନ୍’ ଉପହାର ଦେଇଛି। କଂପାନି ତରଫରୁ ତାଙ୍କୁ ଏକ ଘଡ଼ି ମଧ୍ୟ ମିଳିଛି। ଏକ ଫେସବୁକ୍‌ ପୋଷ୍ଟରେ ଦୂତି ଏହି ସୂଚନା ଦେଇଛନ୍ତି। ସେ ମଧ୍ୟ ନିଜ ନୂଆ ଫୋନର ଫଟୋ ନିଜ ଫେସବୁକ୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଦୂତି ଏହି ପ୍ରତିଯୋଗିତାର ୧୦୦ ମିଟରରେ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସତ୍ତ୍ବେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ତେବେ ୨୦୦ ମିଟରରେ କାଂସ୍ୟ ପଦକ ଜିତି ନେଇଥିଲେ। ଏସୀୟ ଦୌଡ଼କୁଦରେ ଏହା ତାଙ୍କର ତୃତୀୟ ପଦକ ଥିଲା। ୨୦୧୭ ମସିହାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୧୦୦ ମିଟର ଏବଂ ୪ ଗୁଣା ୧୦୦ ରିଲେ ଦୌଡ଼ରେ କାଂସ୍ୟ ପଦକ କରାୟତ କରିଥିଲେ। ଆଉ ଏକ ପୋଷ୍ଟରେ ଦୂତି ନିଜ ଖେଳ ଜୀବନର ଶ୍ରେୟ ବଡ଼ ଭଉଣୀ ସରସ୍ବତୀ ଚାନ୍ଦଙ୍କୁ ଦେଇଥିଲା ବେଳେ କିଟ୍, ରାଜ୍ୟସରକାର ଏବଂ ପ୍ରଶିକ୍ଷକ ଏନ୍ ରମେଶଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର