ମୁଁ ବହୁତ ଖୁସି: ମୁଖ୍ୟମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମରେ ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍‌ଫର୍‌ମାନ୍ସ କେନ୍ଦ୍ର କାର୍ଯ୍ୟାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ଖୁସି ଜାହିର କରିଛନ୍ତି। କେନ୍ଦ୍ରର ଉଦଘାଟନ କରିବା ସହ ଏହାକୁ ବୁଲି ଦେଖିବା ପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମରେ ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍‌ଫର୍‌ମାନ୍ସ କେନ୍ଦ୍ର ଖୋଲିବା ନେଇ ମୁଁ ବହୁତ ଖୁସି। ସେହିଭଳି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓଡ଼ିଶା କ୍ରୀଡ଼ାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି‌ହେଲା ବୋଲି ମତ ପ୍ରକାଶ କରିଥିଲେ। ଶ୍ରୀ ବେହେରା କହିଥିଲେ ମୁଁ ଏହି ଅବସରରେ ଅଭିନବ ବାବୁଙ୍କୁ ଧନ୍ୟବାଦ ଦେବି। ମାତ୍ର ୩ ମାସ ଭିତରେ ଏହି କେନ୍ଦ୍ରର ସବୁ କାମ ସରିଛି। ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଦ୍ବାରା ଆମ ଖେଳାଳିଙ୍କୁ ନେଇ ବିଭିନ୍ନ ତଥ୍ୟ ସଂଗ୍ରହ କରି‌ହେବ। ଏହାକୁ ସମୀକ୍ଷା ମଧ୍ୟ କରାଯିବ।  ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯିବ। ସମଗ୍ର ଭାରତ ବର୍ଷରେ ଏହି ଏକାଡେମି ହେଉଛି ସବୁଠାରୁ ଉନ୍ନତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର। ଓଡ଼ିଶା ସରକାର ରାଜ୍ୟର ସବୁ ଖେଳାଳିଙ୍କ ସହ ସବୁ କ୍ଷେତ୍ରରେ ଅଛନ୍ତି ଓ ରହିବେ। କ୍ରୀଡ଼ା ସଚିବ ବିଶାଲ ଦେବ କହିଥିଲେ ଏହି କେନ୍ଦ୍ର ହେଉଛି ଭାରତର ଶ୍ରେଷ୍ଠ। ରାଜ୍ୟର ୧୬ କ୍ରୀଡ଼ା‌ ଛାତ୍ରାବାସରେ ଥିବା ୧୦୦୦ରୁ ଅଧିକ ପିଲାଙ୍କୁ ଆମେ ପର୍ଯ୍ୟାୟ କ୍ରମେ ଆଣି ଏଠାରେ ସେମାନଙ୍କ ତଥ୍ୟ ଖସଡ଼ା ପ୍ରସ୍ତୁତ କରିବୁ। ବର୍ଷକୁ ଦୁଇ ଥର ସେମାନଙ୍କ ପ୍ରଦର୍ଶନର ତର୍ଜମା କରାଯିବ। ଓଡ଼ିଶା ପିଲା ମାଗଣାରେ ଏହି ସୁବିଧା ଉପଯୋଗ କରି ପାରିବେ। ବାହାର ପିଲାଙ୍କୁ କିନ୍ତୁ କିଛି ଦେୟ ଦେବାକୁ ପଡ଼ିବ। ବାହାରର ବିଶେଷଜ୍ଞଙ୍କ ସହ ସ୍ଥାନୀୟ ପ୍ରଶିକ୍ଷକଙ୍କୁ ମଧ୍ୟ ଏଠାରେ ନିଯୁକ୍ତ ଦିଆଯିବ। ଏହି ଅବସରରେ କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରୀଷ୍ଣା ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର