ଆଇସିସି-ବିସିସିଆଇ ଲଢ଼େଇରେ ମନୋହରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଦୁବାଇ: କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଏବଂ ବିସିସିଆଇ ପୁଣି ଥରେ ମୁହାଁମୁହିଁ ହୋଇଥିବା ବେଳେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଭାରତରେ କିଭଳି ଭାବେ କର ଛାଡ଼ ବ୍ୟବସ୍ଥା ଅଛି ଜାଣିବା ସତ୍ତ୍ବେ ଜଣେ ଭାରତୀୟ ଭାବେ ଶଶାଙ୍କ ବିସିସିଆଇକୁ ଧମକ ଦେବାକୁ ଏହାର ଅଧିକାରୀମାନେ ନାପସନ୍ଦ କରିଛନ୍ତି। ‘ଆଇସିସି ଲୋକଙ୍କ ଅପେକ୍ଷା ଶଶାଙ୍କ କର ଛାଡ଼ ବିଷୟରେ ଭଲ ଭାବେ ଜାଣିଛନ୍ତି, ୨୦୧୬ ଟି-୨୦ ବିଶ୍ବକପ୍‌ ବେଳେ ସେ ବିସିସିଆଇ ସଭାପତି ଥିଲେ ଏବଂ ସମସ୍ତ ପ୍ରକାର ଆର୍ଥିକ ନିଷ୍ପତ୍ତି‌ ସେ ନେଇଥିଲେ’ ବୋଲି ଜଣେ ବିସିସିଆଇ କର୍ମକର୍ତା ପ୍ରକାଶ କରିଛନ୍ତି। ଆଇସିସି ନିଜର ରାଜସ୍ବ ଢାଞ୍ଚା ପରିବର୍ତନ କରିଦେବାରୁ ଏଭଳି ଫଳ ହୋଇଛି। ସେଭଳି ପରିସ୍ଥିତିରେ ଭାରତରେ ଏହାର କାର୍ଯ୍ୟକାରି କରିବା ନେଇ ଆଲୋଚନା ହୋଇନଥିଲା। ଅଷ୍ଟ୍ରେଲିଆ ପାଇଁ ଗୋଟିଏ ନୀତି ଏବଂ ଭାରତ ପାଇଁ ଅଲଗା ନୀତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ଭାରତ ସରକାର କର ରିହାତି ଦେଉ ନଥିବାରୁ ବିସିସିଆଇର ରାଜସ୍ବ ଭାଗ କାଟିବାକୁ ଆଇସିସି ଗୁରୁବାର ଧମକ ଦେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ହେଉଥିବା ଆଇସିସି ପ୍ରତିଯୋଗିତାରେ ଭାରତ ସରକାର କର ରିହାତି ଦିଅନ୍ତୁ ବୋଲି ଆଇସିସି ଦାବି କରି ଆସୁଛି। ଭାରତରେ ଅନୁଷ୍ଠିତ ୨୦୧୬ ବିଶ୍ବ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର କର ରିହାତି ପାଇବାକୁ ଆଇସିସି କିନ୍ତୁ ଏପର୍ଯ୍ୟନ୍ତ ଅପେକ୍ଷା କରି ରହିଛି। ଏଥିଲାଗି ବିସିସିଆଇ ଭାରତ ସରକାରଙ୍କ ସହ ଆଲୋଚନା କରି ବାଟ ବାହାର କରିବାକୁ ଆଇସିସି ଚାହୁଁଛି। ସରକାର ମନା କରୁଥିବାରୁ ବିସିସିଆଇ ଏ ଦିଗରେ କିଂ କର୍ତବ୍ୟ ବିମୁଢ଼ ରହିଛି। ସେଥିପାଇଁ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ବେଳେ ଭାରତ ସରକାରଙ୍କୁ ଦେଇଥିବା କରକୁ ଆଇସିସି ରାଜସ୍ବର ବିସିସିଆଇକୁ ମିଳୁଥିବା ଭାଗରୁ କାଟି ରଖିବାକୁ ଆଇସିସି ଧମକ ଦେଇଛି।

ସମ୍ବନ୍ଧିତ ଖବର