ଆଇସିସି ଜାଣିନି ଦ୍ରାବିଡ଼ ଡାହାଣ ନା ବାମହାତୀ ବ୍ୟାଟ୍‌ସମ୍ୟାନ୍‌

କୋଲ୍‌କାତା: ଭାରତୀୟ ତାରକା ରାହୁଲ୍‌ ଦ୍ରାବିଡ଼ କେଉଁ ହାତରେ ବ୍ୟାଟିଂ କରୁଥିଲେ ତାହା ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପାଇଁ ଏବେ ବି ଅବୁଝା ରହିଛି। ୧୯୯୬ରୁ ୨୦୧୨ ମସିହା ପର୍ଯ୍ୟନ୍ତ ନିଜର ଲମ୍ବା କ୍ରିକେଟ୍‌ ଜୀବନ ମଧ୍ୟରେ ଭାରତ ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ୧୬୪ ଟେଷ୍ଟ୍‌ ଏବଂ ୩୪୪ ଦିନିକିଆ ମ୍ୟାଚ୍‌ ଖେଳିଥିବା ଦ୍ରାବିଡ଼ ଏହି ଦୁଇ ଫର୍ମାଟ୍‌ରେ ୨୪,୧୭୭ ରନ୍‌ କରିଛନ୍ତି। ହେଲେ ସେ କେଉଁ ହାତରେ ବ୍ୟାଟିଂ କରୁଥିଲେ ତାହା ଆଇସିସି ଜାଣିନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଇସିସି ତା’ର ୱେବ୍‌ସାଇଟ୍‌ର ହଲ୍‌ ଅଫ୍‌ ଫେମ୍‌ ପୃଷ୍ଠାରେ ଦ୍ରାବିଡ଼ଙ୍କୁ ଜଣେ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ତାଲିକାରେ ଉଲ୍ଲେଖ କରିଛି। ହେଲେ କ୍ରିକେଟ୍‌ ଜୀବନସାରା ଜଣେ ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ଥିଲେ ବୋଲି ଆଇସିସି କିପରି ଜାଣିପାରିଲାନି ତାହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ସୂଚନାଯୋଗ୍ୟ, ଦ୍ରାବିଡ଼ ପଞ୍ଚମ ଭାରତୀୟ ଭାବେ ଗତବର୍ଷ ସମ୍ମାନଜନକ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ। ତିରୁବନନ୍ତପୁରମ୍‌ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍‌ ଆରମ୍ଭ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର୍‌ ସୁନିଲ ଗାଭାସ୍କରଙ୍କଠୁ ଦ୍ରାବିଡ଼ ହଲ୍‌ ଅଫ୍‌ ଫେମ୍‌ ଟୋପି (କ୍ୟାପ୍‌) ଗ୍ରହଣ କରିଥିଲେ। ଗତବର୍ଷ ଜୁଲାଇରେ ଡବ୍‌ଲିନ୍‌ରେ ଆଇସିସି ବାର୍ଷିକ ସମ୍ମିଳନୀ ବେଳେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଓ ଇଂଲଣ୍ଡର ମହିଳା କ୍ରିକେଟର୍‌ କ୍ଲାଳେ ଟେଲରଙ୍କ ସହ ଦାବିଡ୍‌ଙ୍କ ନାମ ହଲ୍‌ ଅଫ୍‌ ଫେମ୍‌ରେ ଯୋଡ଼ି ହୋଇଥିଲା। ହେଲେ ଆଇସିସି ତାଙ୍କୁ ଡାହାଣ ବା ବାମହାତୀ ବୋଲି ଜାଣିନପାରିବା ପରିତାପର ବିଷୟ ହୋଇଛି।

ସମ୍ବନ୍ଧିତ ଖବର