ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଇସିସିର ଟ୍ବିଟ୍ ପରାମର୍ଶ:ଧୋନି ପଛରେ ଥି‌େଲ କ୍ରିଜ୍ ଛାଡ଼ନି

ଦୁବାଇ,: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୀମିତ ଓଭର କ୍ରିକେଟ୍‌ର ଶ୍ରେଷ୍ଠ ‘ଫିନିସର’ ଆଖ୍ୟା ପାଇଛନ୍ତି। ଷ୍ଟମ୍ପ ପଛରେ ବି ସେ କିଛି କମ୍ ଯାଦୁ ଦେଖାଉ ନାହାନ୍ତି। ଷ୍ଟମ୍ପିଂ ହେଉ କି ରନ୍ ଆଉଟ୍ ଆଖି ପିଛୁଳାକେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଝଟ୍‌କା ଉପରେ ଝଟ୍‌କା ଦେବାରେ ଧୋନି ପୂରା ଓସ୍ତାଦ। ୱେଲିଂଟନର ୱେଷ୍ଟପାକ୍ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଶେଷ ଦିନିକିଆରେ ସେ ଏହାର ବଳିଷ୍ଠ ଝଲକ ଦେଖାଇ ସାରିଛନ୍ତି। ଆଘାତ ପ୍ରାପ୍ତ ହୋଇ ତୃତୀୟ ଓ ଚତୁର୍ଥ ଦିନିକିଆ ଖେଳି ପାରି ନଥିବା ଧୋନି ପଞ୍ଚମ ଦିନିକିଆରେ ଫେରି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଜିମି ନୀସାମଙ୍କୁ ଯେଭଳି ଭାବେ ରନ୍ଆଉଟ୍ କଲେ ତାହା ଦେଖିଲା ଭଳି ଥିଲା। ୩୭ ବର୍ଷ ବୟସରେ ତାଙ୍କର ଏହି କ୍ଷେତ୍ରରକ୍ଷଣ ଦକ୍ଷତା ସବୁ କ୍ରିକେଟରଙ୍କ ପାଇଁ ଉଦାହରଣ ପାଲଟିଛି। ସେଥିପାଇଁ ଆଇସିସି ମାହିଙ୍କୁ ଟ୍ବିଟ୍ କରି ପ୍ରଶଂସା କରିଛି। ଅନ୍ୟପକ୍ଷରେ ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ‌ଧୋନି ପଛରେ ଥିଲା ବେଳେ କ୍ରିଜ୍ କୌଣସି ପରିସ୍ଥିତିରେ ନଛାଡ଼ିବାକୁ ପରାମର୍ଶ ଦେଇଛି। ଆଇସିସିର ଏହି ପରାମର୍ଶ କ୍ରିକେଟ୍ ଦୁନିଆରେ ବେଶ୍ ଚର୍ଚିତ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ ରବିବାର ନୀସାମ କେତେକ ଦର୍ଶନୀୟ ସଟ୍ ଖେଳି ୪୪ ରନ୍‌ରେ ଅପରାଜିତ ଥିବା ବେଳେ ଧୋନିଙ୍କ କ୍ଷେତ୍ରରକ୍ଷଣ ଦକ୍ଷତାର ନମୂନା ଦେଖିବାକୁ ମିଳିଥିଲା। କେଦାର ଯାଦବଙ୍କ ବଲ୍ ନୀସାମଙ୍କ ପ୍ୟାଡ୍‌ରେ ବାଜିବା ପରେ ଭାରତୀୟ ଖେଳାଳିମାନେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ। ଏଥିରେ ନିଜ ଏକାଗ୍ରତା ହରାଇ ନୀସାମ ଅଜାଣତରେ କ୍ରିଜ୍ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ସଜାଗ ଧୋନି ତୁରନ୍ତ ବଲ୍‌ ସଂଗ୍ରହ କରି ଷ୍ଟମ୍ପ ଭାଙ୍ଗି ଦେଇଥିଲେ। ସେତେବେଳେ ନୀସାମ କ୍ରିଜ୍ ବାହାରେ ଥିଲେ। ନୀସାମଙ୍କ ୱିକେଟ୍‌ ହିଁ ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼୍ ସାବ୍ୟସ୍ତ ହୋଇଥିଲା। ଭାରତ ସେହିଠାରେ ମ୍ୟାଚ୍‌କୁ ଫେରିବା ସହ ୱେଲିଂଟନ ଦିନିକିଆକୁ ୩୫ ରନ୍‌ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର