ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ୍‌: ଶେଷ୍ଠ ୫ ବ୍ୟାଟିଂ ତାଲିକାରେ ସ୍ଥାନ ପାଇଲେ ରୋହିତ ଓ ଧାଓ୍ଵନ

ଶ୍ରେଷ୍ଠ ୫ ବୋଲର ର‍୍ୟାଙ୍କିଙ୍ଗ ତାଲିକାରେ ବୁମରା ଓ କୁଲଦୀପ ଯାଦବ

ଦୁବାଇ: ଦୁଇ ଦିନ ତଳେ ଶେଷ ହୋଇଥିବା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପରେ ରବିବାର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର  ଦିନିକିଆ ର‍୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶୁକ୍ରବାର ବାଂଲାଦେଶକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଭାରତ ଶେଷ ବଲରେ ମ୍ୟାଚ ଜିତିବା ସହିତ ୭ମ ଥର ଏସିଆ କପ୍‌ର ଅଧିକାରୀ ହୋଇଛି। ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ ତାଲିକାର ଶ୍ରେଷ୍ଠ ୫ଟି ସ୍ଥାନରେ ରୋହିତ ଶର୍ମା(୨ୟ) ଓ ଶିଖର ଧାଓ୍ଵନ(୫ମ) ନିଜକୁ ସାମିଲ କରିପାରିଛନ୍ତି।

ଭାରତୀୟ ଓପନର ରୋହିତ ଶର୍ମା ଏବେ ବିରାଟ କୋହଲିଙ୍କ ପରେ ୨ୟ ସ୍ଥାନରେ ଅଛନ୍ତି। ଡାହାଣହାତୀ ବ୍ୟାଟସ୍‌ମ୍ୟାନ ରୋହିତ ଏସିଆ କପରେ ୫ଟି ଇନିଂସରେ ୩୧୭ ରନ୍‌ ଯୋଡ଼ିଥିଲେ। ଏଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ ଥିଲା।

ରୋହିତଙ୍କ ସାଥୀ ଖେଳାଳି ଶିଖର ଧାଓ୍ଵନଙ୍କୁ ଦିନିକିଆ ର‍୍ୟାଙ୍କିଙ୍ଗ ତାଲିକାରେ ୫ମ ସ୍ଥାନ ମିଳିଛି। ଧାଓ୍ଵନ ୪ଟି ସ୍ଥାନ ଉନ୍ନତି କରି ଏହି ୫ମ ସ୍ଥାନରେ ପହଞ୍ଚିଛନ୍ତି। ଏସିଆ କପ୍‌ରେ ଧାଓ୍ଵନ ୫ଟି ଇନିଂସରେ ୩୪୨ ରନ୍‌ ଯୋଡ଼ିଥିଲେ। ଏଥିରେ ୨ଟି ଶତକ ସାମିଲ ଥିଲା।

ଯଶପ୍ରୀତ ବୁମରାଙ୍କୁ ଆଇସିସି ଦିନିକିଆ ବୋଲିଂ ର‍୍ୟାଙ୍କିଙ୍ଗ ତାଲିକାରେ ଶ୍ରେଷ୍ଠ ସ୍ଥାନ ମିଳିଛି। ଏସିଆ କପରେ ବୁମରା ଉଲ୍ଲେଖନୀୟ ବୋଲିଂ କରିଥିଲେ। ୯ରୁ ଅଧିକ ଓଭରରେ ବ୍ୟାଟସ୍‌ମ୍ୟାନମାନେ ଚୌକା ମାରି ପାରି ନଥିଲେ। ବୁମରା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ୮ଟି ଓ୍ଵିକେଟ ନେଇ ୪ର୍ଥ ସ୍ଥାନ ହାସଲ କରିଥିଲେ। ଆଫଗାନିସ୍ତାନର ରସିଦ ଖାନଙ୍କୁ ଅଧିକ ଓ୍ଵିକେଟ ମିଳିଥିଲା। ଭାରତର ଅନ୍ୟତମ ବୋଲର କୁଲଦୀପ ଯାଦବ ୬ଟି ଇନିଂସରେ ୧୦ ଓ୍ଵିକେଟ ନେଇଥିଲେ। କୁଲଦୀପଙ୍କୁ ଆଇସିସି ଦିନିକିଆ ବୋଲିଂ ର‍୍ୟାଙ୍କିଙ୍ଗ୍‌ ତାଲିକାରେ ୩ୟ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର