ଆଇସିସି ଟେଷ୍ଟ୍‌ ମାନ୍ୟତା, ଶୀର୍ଷ-୧୦ରେ ସାମି, ମୟଙ୍କଙ୍କୁ ଜୀବନର ସର୍ବୋଚ୍ଚ ମାନ୍ୟତା

ଦୁବାଇ: ଇନ୍ଦୋରରେ ତିନି ଦିନରେ ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲଙ୍କୁ ଆଇସିସି ମାନ୍ୟତାରେ ନିଜ ନିଜ ଜୀବନର ସର୍ବୋଚ୍ଚ ମାନ୍ୟତା ମିଳିଯାଇଛି। ଏହି ଟେଷ୍ଟ୍‌ରେ ୭/୫୮ର ବୋଲି ଚିତ୍ର ପାଇଥିବା ସାମି ଶୀର୍ଷ-୧୦ରେ ପ୍ରବେଶ କରିଛନ୍ତି। ଆଇସିସି ମାନ୍ୟତାରେ ତାଙ୍କ ରେଟିଂ ପଏଣ୍ଟ୍‌ ୭୯୦ରେ ପହଞ୍ଚିଯାଇଥିଲା ବେଳେ ସେ ୮ ସ୍ଥାନ ଲମ୍ଫ ମାରି ସପ୍ତମରେ ପହଞ୍ଚିଛନ୍ତି। ଯାହାକି କପିଳ ଦେବ (୮୭୭) ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରା (୮୩୨)ଙ୍କ ପଛକୁ ତୃତୀୟ ଶ୍ରେଷ୍ଠ ଭାରତୀୟ ବୋଲର ରହିଛନ୍ତି। ସାମିଙ୍କ ବ୍ୟତୀତ ଏହି ମାନ୍ୟତାର ଶୀର୍ଷ-୧୦ରେ ଥିବା ଅନ୍ୟ ଭାରତୀୟ ଭାବେ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୭୮୦) ଦଶମ ସ୍ଥାନ ପାଇଛନ୍ତି। ବୁମ୍‌ରା (୮୦୨) ଏବେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଭାରତୀୟ ଭାବେ ବୋଲରଙ୍କ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ରବୀନ୍ଦ୍ର ଜାଦେଜା ୪ ସ୍ଥାନ ଲମ୍ଫ ମାରି ୩୫ରେ ପହଞ୍ଚିଥିଲା ବେଳେ ଈଶାନ୍ତ ଶର୍ମା ୨୦ ଓ ଉମେଶ ଯାଦବ ୨୨ତମ ସ୍ଥାନକୁ ଉଠିଛନ୍ତି।

ବୋଲରଙ୍କ ମାନ୍ୟତା‌ର ଶୀର୍ଷ-୧୦ରେ ୩ ଭାରତୀୟ ରହିଥିଲା ବେଳେ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ଶୀର୍ଷ-୧୦ରେ ୪ ଭାରତୀୟ ଆସ୍ଥାନ ଜମାଇଛନ୍ତି। ଅଧିନାୟକ ବିରାଟ କୋହଲି (୯୧୨) ଦ୍ବିତୀୟ, ଚେତେଶ୍ବର ପୂଜାରା (୭୯୦) ଓ ଆଜିଙ୍କ୍ୟ ରହାଣେ (୭୫୯) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଥିଲା ବେଳେ ରୋହିତ ଶର୍ମ (୭୦୧) ଦଶମ ସ୍ଥାନକୁ ଲମ୍ଫ ମାରିଛନ୍ତି। ତେବେ ବାଂଲାଦେଶ ବିପକ୍ଷ ଦ୍ବିଶତକୀୟ ପାଳି ପାଇଁ ମୟଙ୍କ ଏକାଦଶ ସ୍ଥାନକୁ ଉଠିଛନ୍ତି। ମାତ୍ର ୮ ଟେ‌ଷ୍ଟରୁ ୮୫୮ ରନ୍‌ କରିଥିବା ୨୮ ବର୍ଷ ବୟସ୍କ ମୟଙ୍କଙ୍କ ରେଟିଂ ପଏଣ୍ଟ୍‌ ୬୯୧ରେ ପହଞ୍ଚିଛି। ପ୍ରଥମ ୮ ଟେଷ୍ଟ୍‌ ମଧ୍ୟରେ ବିଶ୍ବର କେବଳ ଅନ୍ୟ ୭ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କଙ୍କଠୁ ଅଧିକ ରନ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୧୨୧୦), ଏଭରଟନ୍‌ ୱିକ୍‌ସ (୯୬୮), ସୁନିଲ ଗାଭାସ୍କର (୯୩୮), ମାର୍କ ଟେଲର (୯୦୬), ଜର୍ଜ ହେଡ୍‌ଲେ (୯୦୪), ଫ୍ରାଙ୍କ୍‌ ୱରେଲ୍‌ (୮୯୦) ଏବଂ ହର୍ବର୍ଟ ସଟ୍‌କ୍ଲିଫ୍‌ (୮୭୨) ରହିଛନ୍ତି। ଅନ୍ୟପକ୍ଷରେ ଆଇସିସି ଟେ‌ଷ୍ଟ୍‌ ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷ-୧୦ରେ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ରୂପରେ ଦୁଇ ଜଣ ଭାରତୀୟ ସ୍ଥାନ ବଜାୟ ରଖିଛନ୍ତି। ଜାଦେଜା (୪୧୭) ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଅଶ୍ବିନ୍‌ (୩୧୮) ଚତୁର୍ଥରେ ଅଛନ୍ତି। ଦଳଗତ ମାନ୍ୟତାରେ ଭାରତ ନିଜର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିନେଇଛି। କୋହଲିଙ୍କ ଦଳ ୧୧୯ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଦ୍ବିତୀୟରେ ଥିବା ନ୍ୟୁଜିଲାଣ୍ଡ (୧୦୯)ଠୁ ୧୦ ପଏଣ୍ଟ୍‌ ଉପରେ ରହଛି।

ସମ୍ବନ୍ଧିତ ଖବର