ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି କହିଲେ- ଅବସ୍ଥା ନୁହେଁ, ଚାପକୁ ସମ୍ଭାଳିବା ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ: ଆଉ କିଛି ଘଣ୍ଟା ପରେ ଟିମ୍‌ ଇଣ୍ଡିଆ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ। ଏହା ପୂର୍ବରୁ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମୁମ୍ବାଇସ୍ଥିତ ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ମୁଖ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ କୋହଲି କହିଛନ୍ତି, ଆମେ ପରିସ୍ଥିତିକୁ ନେଇ ଚିନ୍ତା କରୁ ନାହୁଁ। ଚାପକୁ ସମ୍ଭାଳିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ । ଆରମ ସମସ୍ତ ବୋଲର ପ୍ରସ୍ତୁତ ଅଛନ୍ତି, କେହି ବି ଥକିଲା ଭଳି ମନେ ହେଉ ନାହାନ୍ତି ବୋଲି ସେ କହିଛନ୍ତି।

କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ଯଦି ଆମେ ପୂରା କ୍ଷମତା ହିସାବରେ ଖେଳିବୁ ବିଶ୍ୱକପ୍‌ ଆସିବା ନିଶ୍ଚିତ। ଶାସ୍ତ୍ରୀ କହିଛନ୍ତି ୨୦୧୫ ତୁଳନାରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଜବୁତ ଅଛନ୍ତି। ବିଶ୍ୱକପ ୨୦୧୯ ଇଂଲଣ୍ଡରେ ମେ’ ମାସ ୩୦ ରୁ ଜୁଲାଇ ୧୪ ମଧ୍ୟରେ ଖେଳାଯିବ।

ମହେନ୍ଦ୍ର ସିଂହ ଧୋନି ମହାନ ଖେଳାଳି: ଶାସ୍ତ୍ରୀ

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ରବି ଶାସ୍ତ୍ରୀ ମହାନ ଖେଳାଳି ବୋଲି କହିଛନ୍ତି। ସେ କହିଛନ୍ତି, ବିଶ୍ୱକପ୍‌ ଟିମ୍‌ରେ ଧୋନିଙ୍କ ବଡ଼ ଭୂମିକା ରହିଛି। ଏହି ଫର୍ମାଟରେ ଧୋନିଙ୍କ ଠାରୁ ଆଉ କେହି ଭଲ ଖେଳାଳି ନାହାନ୍ତି। କାରଣ ସେ ଯେକୌଣସି ସମୟରେ ଖେଳର ଶୈଳୀକୁ ପରିବର୍ତ୍ତନ କରିପାରନ୍ତି।

ଭାରତ ବିଶ୍ୱକପ୍‌ରେ ନିଜର ଅଭିଯାନ ଜୁନ ୫ରୁ କରିବ। ଟିମ୍‌ର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଜୁନ ୧୬ରେ ଖେଳାଯିବ। ଚଳିତ ବିଶ୍ୱକପ୍‌ ରାଉଣ୍ଡ ରବିନ ଫମାର୍ଟରେ ଖେଳାଯାଉଛି। ଏଥିରେ ସମସ୍ତ ଟିମ୍‌ ଜଣେ ଅନ୍ୟ ସହିତ ଖେଳିବେ। ଅର୍ଥାତ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ଟିମ୍‌କୁ ୯-୯ ମ୍ୟାଚ୍‌ ଖେଳିବାକୁ ପଡ଼ିବ। ଏହା ପରେ ଶୀର୍ଷ ୪ଟି ଟିମ୍‌ ସେମିଫାଇନାଲରେ ମୁକାବିଲା କରିବେ। ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଜୁଲାଇ ୧୪ରେ ଖେଳାଯିବ।

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟକିପର), ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ (ଓ୍ଵିକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି

ସମ୍ବନ୍ଧିତ ଖବର