ଆଇସିସି ଓ୍ଵାଲର୍ଡ ଟେଷ୍ଟ ଚମ୍ପଅନ୍‌ସିପ୍‌: ଆସନ୍ତାବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବ ଭାରତ

ଆଗାମୀ ପାଞ୍ଚ ବର୍ଷ ପାଇଁ ଖେଳସୂଚୀ ଜାରି

ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ଆଇସିସି ଓ୍ଵାଲର୍ଡ ଟେଷ୍ଟ ଚମ୍ପିଅନସିପ୍‌ ୨୦୧୯ ଜୁଲାଇ ୧୫ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଭାରତ ଓୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ। ଆଇସିସି ପକ୍ଷରୁ ବୁଧବାର ଆଗାମୀ ପାଞ୍ଚ ବର୍ଷ(୨୦୧୮-୨୦୨୩) ପାଇଁ ଫ୍ୟୁଚର ଟୁର ପ୍ରୋଗ୍ରାମ(ଏଫଟିପି) ଜାରି କରି ଦିଆଯାଇଛି, ଯେଉଁଥିରେ କି ପ୍ରଥମ ଥର ପାଇଁ ଓ୍ଵାଲର୍ଡ ଟେଷ୍ଟ ଚମ୍ପଅନସିପ୍‌ ଓ ଦିନିକିଆ ଲିଗ୍‌କୁ ସାମିଲ କରାଯାଇଛି। ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏଫଟିପିକୁ ଅଧିକରୁ ଅଧିକ ଦ୍ୱିପାକ୍ଷୀକ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।

ପ୍ରଥମ ଥର ଆରମ୍ଭ କରାଯାଇଥିବା ଏହି ଟେଷ୍ଟ ଚମ୍ପିଅନ୍‌ସିପ ବିଶ୍ୱ ର‍୍ୟାଙ୍କିଙ୍ଗର ଶ୍ରେଷ୍ଠ ୯ଟି ଦେଶ ମଧ୍ୟରେ ଖେଳାଯିବ। ସମସ୍ତ ଟିମ୍‌କୁ ୬ଟି ଲେଖାଏଁ ମ୍ୟାଚ ଖେଳିବେ। ଘରୋଇ ପଡ଼ିଆରେ ୩ଟି ଓ ବିଦେଶରେ ୩ଟି ମ୍ୟାଚ ଖେଳିବାକୁ ହେବ। ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ଏହି ଟେଷ୍ଟ ଚମ୍ପିଅନସିପ ଖେଳାଯିବ। ଇଂଲଣ୍ଡର ଲଡର୍ସରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

କ୍ରିକେଟର ସବୁଠାର ବଡ଼ ସଂସ୍ଥା ‘ଆଇସିସି’ ଓ୍ଵାଲର୍ଡ ଟେଷ୍ଟ ଚମ୍ପିଅନସିପ୍‌ ବ୍ୟତୀତ ୧୩ଟି ଦେଶ ମଧ୍ୟରେ ମୁକାବିଲା ହେବାକୁ ଥିବା ଦିନିକିଆ ଲିଗ୍‌ ମଧ୍ୟ ଘୋଷଣା କରିଛି। ୨୦୨୦ ମେ ୧ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଦିନିକିଆ ଲିଗରେ ସମସ୍ତ ଟିମ୍‌କୁ ଅନ୍ୟ ଟିମ୍‌ ସହିତ ଘରୋଇ ଓ ବିଦେଶ ପଡ଼ିଆରେ ୮ଟି ଶୃଙ୍ଖଳା ଖେଳିବାକୁ ହେବ। ଦିନିକିଆ ଲିଗ୍‌ରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ୧୨ଟି ଦେଶ ଓ ନେଦରଲ୍ୟାଣ୍ଡକୁ ୧୩ତମ ଦେଶ ଭାବରେ ଭାଗ ନେବେ।

ସମ୍ବନ୍ଧିତ ଖବର