ଆଇସିସି ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ :ଭାରତ-ପାକ୍‌ ମୁକାବିଲା ନାହିଁ :ବିସିସିଆଇ-ସିଓଏ ମତପାର୍ଥକ୍ୟ

ବିସିସିଆଇ ଚାହୁଁଛି କୋହଲି ଆଫ୍‌ଗାନିସ୍ତାନ ଟେଷ୍ଟ୍‌ ଖେଳନ୍ତୁ

କୋଲ୍‌କାତା,: ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ ୨ ବର୍ଷ ଧରି ଆୟୋଜିତ ହେବାକୁ ଯାଉଛି। ଏହାର ଫାଇନାଲ୍‌ ୨୦୨୧ରେ ହେବ। ଏନେଇ ଏଠାରେ ଅନୁଷ୍ଠିତ ତିନିମାସିଆ ସମ୍ମିଳନୀର ଗୁରୁବାର ଅନ୍ତିମ ଦିବସରେ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଆଇସିସିର ଏହି ପ୍ରତିଯୋଗିତାରେ ଦୁଇ ପାରମ୍ପରିକ ଶତ୍ରୁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେଉନଥିବା ଜଣାପଡ଼ିଛି। ତେବେ ଉଭୟ ଦଳ ଯଦି ଫାଇନାଲ୍‌ ପ୍ରବେଶ ନକରନ୍ତି, ତାହାଲେ ଦର୍ଶକମାନେ ଭାରତ-ପାକ୍‌ ମୁକାବିଲା ଦେଖିବାରୁ ବଞ୍ଚିତ ହେବେ। ଆଇସିସିର ନୂଆ ନିୟମ ମୁତାବକ ଶୀର୍ଷ ମାନ୍ୟତା ୯ ଟେଷ୍ଟ ଖେଳୁଥିବା ଦେଶ ଦୁଇ ବର୍ଷ ଧରି ଆୟୋଜିତ ଏହ ପ୍ରତିଯୋଗିତାରେ ସର୍ବାଧିକ ୬ ଶୃଙ୍ଖଳା ଖେଳିବେ।

ଏଥିରେ ଅନ୍ୟ ୬ ଦଳ ବିପକ୍ଷରେ ଉଭୟ ଘରେ ଓ ବାହାରେ ୩ ଲେଖାଏଁ ଶୃଙ୍ଖଳା ଖେଳିବେ। ଫଳରେ ପ୍ରତ୍ୟେକ ଦଳ ୨୪ ମାସ ସମୟ ମଧ୍ୟରେ ୩୬ ଟେଷ୍ଟ ଖେଳିବେ। ପ୍ରତ୍ୟେକ ଦଳ ହିଁ କିଏ କାହା ସହିତ ଏବଂ କେତେ ବେଳେ ଖେଳିବେ ତାହା ଆଇସିସିର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଦ୍ୱାରା ଗୃହୀତ ହୋଇଛି। ଯଦି ଭାରତ ଓ ପାକିସ୍ତାନ ଫାଇନାଲ୍‌କୁ ଉନ୍ନୀତ ହୁଅନ୍ତି, ତେବେ ଏକ ନିରପେକ୍ଷ ସ୍ଥାନରେ ହିଁ ମୁହାଁମୁହିଁ ହେବେ। ଏନେଇ କିଛି ସ୍ଥାନ ସ୍ଥିର କରାଯାଇନାହିଁ। ୨୦୧୫ରୁ ୨୦୨୩ ମଧ୍ୟରେ ୬ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବାର ବୁଝାମଣା ହୋଇଥିବା ସତ୍ତ୍ୱେ ଭାରତ ଏହାକୁ ମାନୁନଥିବାରୁ ବିସିସିଆଇଠାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କ୍ଷତିପୂରଣ ଦାବି କରିଛି। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଲାଗିରହିଛି। ସେଥିପାଇଁ ଆଇସିସି ତା’ର ପ୍ରସ୍ତାବିତ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଭାରତ ଓ ପାକିସ୍ତାନ ମୁକାବିଲାକୁ ଏଡାଇବାକୁ ଚେଷ୍ଟା କରିଛି ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍‌ ରିଚାର୍ଡସନ୍‌ କହିଛନ୍ତି। କେବଳ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଅଂଶବିଶେଷ ନଥିବା ଜିମ୍ବାେଓ୍ଵ, ଆଫ୍‌ଗାନିସ୍ତାନ ଏବଂ ଆୟର୍ଲାଣ୍ଡ୍‌ ହିଁ ଏହି ସମୟ ମଧ୍ୟରେ ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିପାରିବେ।
ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏବଂ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ଗୋଟିଏ ପଟେ ଇଂଲଣ୍ଡ ଗସ୍ତ ପୂର୍ବରୁ ସେଠାରେ ପରିବେଶ ସହ ଖାପଖୁଆଇବା ପାଇଁ ଭାରତୀୟ ଦଳର ଖେଳାଳିମାନେ ଆଗୁଆ ସେଠାକୁ ଯିବାକୁ ଏବଂ କାଉଣ୍ଟି ଖେଳିବାକୁ ଇଛା ପ୍ରକାଶ କରିଥିଲା ବେଳେ ଅନ୍ୟପଟେ କାଉଣ୍ଟିକୁ ପଛରେ ପକାଇ ଅଧିନାୟକ କୋହଲି ଆଫ୍‌ଗାନିସ୍ତାନ ବିପକ୍ଷ ଟେଷ୍ଟ ଖେଳନ୍ତୁ ବୋଲି ବିସିସିଆଇ ଚାହୁଁଛି। ଚଳିତ ବର୍ଷ ଭାରତୀୟ କ୍ରିକେଟ୍‌ ଦଳ ୫ ଟେଷ୍ଟ, ୩ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ବିଶିଷ୍ଟ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ। ଏହା ପୂର୍ବରୁ ଆସନ୍ତା ଜୁନ୍‌ ୧୪ରୁ ଭାରତୀୟ ଦଳ ଆଫ୍‌ଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବାର ସୂଚୀ ରହିଛି।

ହେଲେ ସିଓଏଙ୍କ ସୁପାରିସ ଅନୁଯାୟୀ ଟେଷ୍ଟ ବିଶେଷଜ୍ଞମାନେ ଆଗୁଆ ଇଂଲଣ୍ଡ ଯାଇ ସେଠାରେ ପରିବେଶ ସହ ନିଜ ନିଜକୁ ଖାପଖୁଆଇବା ଉଚିତ୍‌। ଏପରିକି କୋହଲିଙ୍କ କାଉଣ୍ଟି ଖେଳିବାକୁ ମଧ୍ୟ ସିଓଏ ସମର୍ଥନ କରିଛି। ହେଲେ ବିସିସିଆଇ ଏହାର ଓଲଟା ବିଚାର କରିଛି। କୋହଲି ଆଫ୍‌ଗାନିସ୍ତାନ ଟେଷ୍ଟ ଖେଳିବାକୁ ବୋର୍ଡ ବାଧ୍ୟ କରୁଛି। କୋହଲି ନଖେଳିଲେ ସେ ପ୍ରତିପକ୍ଷକୁ ଅସମ୍ମାନ କରୁଛନ୍ତି ବୋଲି ଭ୍ରମଣକାରୀ ଆଫ୍‌ଗାନିସ୍ତାନ ଦଳକୁ ବାର୍ତା ଯିବ। ଆଉ ଯଦି ଅଧିନାୟକ କୋହଲିଙ୍କୁ ଆନ୍ତର୍ଜାତିକ ମ୍ୟାଚ୍‌ ନଖେଳିବାକୁ ଅନୁମତି ଦେବା ସାଙ୍ଗକୁ କାଉଣ୍ଟି ଖେଳିବାର ସୁଯୋଗ ଦିଆଯାଏ, ତେବେ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ବିସିସିଆଇ କହିଛି। ପୁଣି ପ୍ରସାରଣ ସଂସ୍ଥା ମଧ୍ୟ ଅସନ୍ତୁଷ୍ଟ ହେବେ। ଫଳରେ ଏବେ କୋହଲି କାଉଣ୍ଟି ଚୁକ୍ତିରୁ ଓହରିବେ କିମ୍ବା ଯୋଜନାରେ ପରିବର୍ତନ କରିବେ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ଅବଶ୍ୟ କୋହଲି କାଉଣ୍ଟି ଖେଳୁଥିଲେ ମଧ୍ୟ କେବଳ ଟେଷ୍ଟ ଖେଳିବାକୁ ଭାରତ ଆସି ପୁଣି ଫେରିଯାଇପାରିବେ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର