ଭାରତୀୟ କ୍ରିକେଟ୍ ଖେଳାଳି ସଂଘ (ଆଇସିଏ)ର ନିର୍ବାଚନରେ ଆଜାଦ-ଗାଏକ୍ବାଡ୍ ଲଢ଼େଇ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଗଠିତ ହୋଇଥିବା ଭାରତୀୟ କ୍ରିକେଟ୍ ଖେଳାଳି ସଂଘ (ଆଇସିଏ)ର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ପ୍ରକ୍ରିୟା ତିନି ଦିନ ଧରି ଚାଲିବ। ଗୁରୁବାର ସୁଦ୍ଧା ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ବିସିସିଆଇର ୯ ଜଣିଆ ପରିଚାଳନା ପରିଷଦ ପାଇଁ ଆଇସିଏର ମହିଳା ପ୍ରତିନିଧି ହେବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। କାରଣ ତାଙ୍କ ବିରୋଧରେ କେହି ନିର୍ବାଚନ ଲଢ଼ୁ ନାହାନ୍ତି। ସେହିଭଳି ସଭାପତି ଭାବେ ଅଶୋକ ମାଲହୋତ୍ରା ଏବଂ ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧି ଭାବେ ସୁରେନ୍ଦର ଖାନ୍ନା ନିର୍ବିବାଦୀୟ ଭାବେ ନିର୍ବାଚିତ ହେବା ମଧ୍ୟ ସ୍ପଷ୍ଟ ହୋଇ ଯାଇଛି। ଆଇସିଏର ୧୨୩୭ ସଦସ୍ୟ ଅନ୍ୟ କେତେକ ପଦ ପାଇଁ ଭୋଟ ଦେବେ। ସେଥିମଧ୍ୟରେ ବିସିସିଆଇ ପରିଚାଳନା ପରିଷଦକୁ ପୁରୁଷ ପ୍ରତିନିଧି ପଦ ପାଇଁ ଦୁଇ ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ବାଡ୍ ଏବଂ କିର୍ତ୍ତି ଆଜାଦଙ୍କ ମଧ୍ୟରେ ହେବାକୁ ଥିବା ଲଢ଼େଇ ବେଶ୍ ରୋଚକ ହେବ ବୋଲି ଆଶା କରାଯାଉଛି। ସେପଟେ ପୂର୍ବତନ କ୍ରିକେଟର ଅଶୁ ଦାନି ଏବଂ ହିତେଶ ମଜୁମଦାର ସଂପାଦକ ଏବଂ କିଶୋର କୁମାର ଓ ଭି କୃଷ୍ଣସ୍ବାମୀଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପଦ ପାଇଁ ଲଢ଼େଇ ହେବ। ପ୍ରକାଶ ଥାଉ କି ଲୋଧା ସମିତିର ସୁପାରିସକ୍ରମେ ପ୍ରଥମ ଥର ପାଇଁ ଭାରତରେ ଏହି କ୍ରିକେଟର ସଂଘ ଗଠିତ ହୋଇଛି।

ସମ୍ବନ୍ଧିତ ଖବର