ଆଇଟା-ଓଟିଏ ଟିଏସ୍‌: ସଂଗ୍ରାମ, ସୋହିନୀ ବିଜେତା

ଭୁବନେଶ୍ୱର: ଓଡ଼ିଶାର ସଂଗ୍ରାମ କୁମାର ପାତ୍ର (୧୬ ବର୍ଷରୁ କମ୍‌) ଏବଂ ସୋହିନୀ ସଂଜୟ ମହାନ୍ତି (୧୨ ବର୍ଷରୁ କମ୍‌) ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ (ଟିଏସ୍‌) ଟେନିସ୍‌ ପ୍ରତିଯୋଗିତାରେ ଟ୍ରଫି କରାୟତ କରିଛନ୍ତି। ସେହିଭଳି ୧୬ ବର୍ଷରୁ କମ୍‌ ବାଳକ ଯୁଗଳରେ ଓଡ଼ିଆ ଯୋଡ଼ି ବିଘ୍ନେଶ ନନ୍ଦ ଓ ଡି ଆର୍ଯ୍ୟନ ସ୍ୱାମୀ ମଧ୍ୟ ଟ୍ରଫି କରାୟତ କରିଥିଲେ। ଶୁକ୍ରବାର ୧୬ ବର୍ଷରୁ କମ୍‌ ବାଳକ ଏକକ ଫାଇନାଲ୍‌ରେ ସଂଗ୍ରାମ ୬-୪, ୬-୩ ସେଟ୍‌ରେ ପ୍ରତ୍ୟୁଷ ମହାନ୍ତିଙ୍କୁ ଏବଂ ୧୨ ବର୍ଷରୁ କମ୍‌ ବାଳିକା ଏକକରେ ସୋହିନୀ ୬-୧, ୬-୨ ସେଟ୍‌ରେ ମହିକା ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ। ୧୬ ବର୍ଷରୁ କମ୍‌ ବାଳକ ଯୁଗଳରେ ବିଘ୍ନେଶ- ଅର୍ଯ୍ୟନ୍‌ ୬-୧, ୭-୫ ସଟ୍‌ରେ ପ୍ରତ୍ୟୁଷ ମହାନ୍ତି ଓ ୟସରାଜ ନାୟକଙ୍କୁ ପରାସ୍ତ କରିଥିଲେ। ତେବେ ୧୨ ବର୍ଷରୁ କମ୍‌ ବାଳକରେ ଓଡ଼ିଶାର ଷ୍ଟିଭାନ ଅଙ୍କିତ୍‌ ଏକ୍କା ୩-୬, ୩-୬ ସେଟ୍‌ରେ ପଶ୍ଚିମବଙ୍ଗର ତମୋଘ୍ନ ଦାସଙ୍କଠୁ ଏବଂ ୧୬ ବର୍ଷରୁ କମ୍‌ ବାଳିକାରେ ସିମ୍ରନ ନେହା ଏକ୍କା ୬-୩, ୩-୬, ୩-୭, ୫-୭ ସେଟ୍‌ରେ ପଶ୍ଚିମବଙ୍ଗର ଅନନ୍ୟ ଯାଦବଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ।

ଶୁକ୍ରବାରର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଚିବ ତଥା ଓଡିଶା ଟେନିସ୍‌ ସଂଘର ସଭାପତି ମଧୁସୂଦନ ପାଢ଼ୀ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲା ଟେନିସ୍‌ ସଂଘ ସମ୍ପାଦକ ଅସିତ ପ୍ରଧାନ, ଭୁବନେଶ୍ୱର ଟେନିସ୍‌ ସଂଘ ସଭାପତି ଗିରିଜା ଶଙ୍କର ଆଚାର୍ଯ୍ୟ, ସମ୍ପାଦକ ବିଜୟ କୁମାର ସାହୁ, ପ୍ରତିଯୋଗିତାର ନିର୍ଦେଶକ ନାଗାରାଜୁ ଏମ୍‌, ରେଫରି ଯତିନ୍‌ ବତ୍ସ୍ୟ, ଓଡ଼ିଶା ଟେନିସ୍‌ ସଂଘର ପ୍ରବନ୍ଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର