ସିମ୍ରନ୍‌ଙ୍କୁ ଦ୍ୱିମୁକୁଟ: ସୋହିନୀ, ପ୍ରତ୍ୟୁଷ ବିଜେତା

ଆଇଟା ଟିଏସ୍‌ ଉଦ୍‌ଯାପିତ

ଭୁବନେଶ୍ୱର: ଟେନିସ୍‌ ଆସୋସିଏସନ୍‌ ଅଫ୍‌ ଭୁବନେଶ୍ୱର (ଟିଏବି) ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ (ଟିଏସ୍‌)ରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ରହିଛି। ୪ଟି ଏକକ ବର୍ଗରୁ ୩ଟିରେ ଓଡ଼ିଆ ପିଲା ବିଜେତା ହୋଇଥିବା ବେଳେ ୩ଟି ଯୁଗଳ ବର୍ଗରୁ ୨ଟିରେ ଓଡ଼ିଆ ପିଲାଙ୍କ ବିଜେତା ସମ୍ପୃକ୍ତି ରହିଛି। ସିମ୍ରନ୍‌ ଏନ୍‌ ଏକ୍କା ଦୁଇଟି ବର୍ଗରେ ବିଜେତା ହୋଇ ଦ୍ୱିମୁକୁଟ ଅର୍ଜନ କରିଛନ୍ତି। ୧୬ ବର୍ଷରୁ କମ୍‌ ଏକକ ବର୍ଗରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ସିମ୍ରନ୍‌ ୩-୬, ୬-୩, ୬-୨ରେ ଶୀର୍ଷମାନ୍ୟତା ବେଙ୍ଗଲ ଖେଳାଳି ସାନ୍ୟା ଯାଦବଙ୍କୁ ପରାସ୍ତ କରିଥିଲେ। ଏହାର ଯୁଗଳ ବର୍ଗରେ ସାନ୍ୟାଙ୍କୁ ସାଥୀ କରି ଏହି ଶୀର୍ଷମାନ୍ୟତା ଯୋଡ଼ି ୬-୦, ୬-୨ରେ ଦ୍ୱିତୀୟ ମାନ୍ୟତା ଓଡ଼ିଶା-ବେଙ୍ଗଲ ଯୋଡ଼ି ଅର୍ଚିତା ସାହୁ-ଚାର୍ଲୋଟ୍‌ ଲିୟୁଙ୍କୁ ପରାସ୍ତ କରିଥିଲେ। ୧୨ ବର୍ଷରୁ କମ୍‌ ବାଳକ ଏକକରେ ଓଡ଼ିଶାର ଷ୍ଟିଭାନ୍‌ ଅଙ୍କିତ ଏକ୍କା ୩-୬, ୨-୬ରେ ବେଙ୍ଗଲର ଅର୍ନବ ମନରାଲଙ୍କଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ଏହି ବୟସ ବର୍ଗର ବାଳିକା ବିଭାଗରେ ଓଡ଼ିଶାର ସୋହିନୀ ମହାନ୍ତି ଫାଇନାଲ୍‌ରେ ବେଙ୍ଗଲର ଚାର୍ଲୋଟ୍‌ ଲିୟୁଙ୍କୁ ୨-୬, ୭-୫, ୬-୩ରେ ପରାସ୍ତ କରି ବିଜେତା ମୁକୁଟ ହାତେଇଥିଲେ। ୧୬ ବର୍ଷରୁ କମ୍‌ ବାଳକରେ ଶୀର୍ଷ ମାନ୍ୟତାପ୍ରାପ୍ତ ପ୍ରତ୍ୟୁଷ ମହାନ୍ତି ୬-୧, ୬-୦ରେ ନିଜ ରାଜ୍ୟ ସାଥୀ ଆଶିଷ କୁମାର ପରିଡ଼ାଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ୧୨ ବର୍ଷରୁ କମ୍‌ ଯୁଗଳ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସାମର ବେଦ ଆଦିତ୍ୟ କାଲିଟା ଏବଂ ଓଡ଼ିଶାର କମଲେଶ ରଥ ଫାଇନାଲ୍‌ରେ ବେଙ୍ଗଲ ଯୋଡ଼ି ମୟନ୍ଦ ତିଓ୍ଵାରୀ ଓ ବେଦାନ୍ତ ଅଗ୍ରଓ୍ଵାଲଙ୍କୁ ୬-୨, ୬-୦ରେ ପରାସ୍ତ କରି ବିଜେତା ହୋଇଥିଲେ। ୧୬ ବର୍ଷରୁ କମ୍‌ ଯୁଗଳ ଫାଇନାଲରେ ବେଙ୍ଗଲର ରୋନକ ଘୋଷ-ଓ୍ଵାଟ୍‌ ଓବ୍ରାଏନ୍‌ଙ୍କଠାରୁ ୧-୬, ୧-୬ରେ ହାରି ମହମ୍ମଦ ଅରିବ୍‌ ଅଫଜଲ୍‌-ବିଘ୍ନେଶ ନନ୍ଦ ଉପ ବିଜେତା ହୋଇଥିଲେ। ବିଜେତା ଏବଂ ଉପ ବିଜେତାଙ୍କୁ ଯଥାକ୍ରମେ ୧୫ ଓ ୧୨ ଆଇଟା ପଏଣ୍ଟ୍‌ ମିଳିଛି। ଉଦ୍‌ଯାପନୀ ଉତ୍ସବରେ ଟିଏବିର ସଭାପତି ଗିରିଜା ଶଙ୍କର ଆଚାର୍ଯ୍ୟ, ସମ୍ପାଦକ ବିଜୟ କୁମାର ସାହୁ, ଉପ ସଭାପତି ବିଶ୍ୱଜିତ୍‌ ରଥ, ପ୍ରତିଯୋଗିତା ନିର୍ଦେଶକ ଡକ୍ଟର ଏମ୍‌ ନାଗରାଜୁ, ରେଫରି ଜତିନ ବତ୍ସ୍ୟ, ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର