ଇଜହାନଙ୍କୁ ଖେଳାଇଲେ ପରିଣୀତି ଚୋପ୍ରା 

ମୁମ୍ବାଇ: ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ପୁଅ ଇଜହାନଙ୍କୁ ଖେଳାଉଥିବାର ଫଟୋ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି। ଏଥିରେ ୫ ମାସର ଇଜହାନ ପରିଣୀତିଙ୍କ କୋଳରେ ବଶି ଖୁସିରେ ତାଙ୍କ ହାତକୁ କାମୁଡ଼ୁଥିବା ଦେଖିବାକୁ ମିଳୁଛି। ପରିଣୀତି ଏହି ଫଟୋ ପ୍ରକାଶ କରି ଲେଖିଛନ୍ତି ଯେ ମୁଁ ଏବେ ମାଉସି ବନିଗଲି। ଇଜୁ ଖାଇବା ଯୋଗ୍ୟ ଏବଂ ତାକୁ ଖାଇବାକୁ ମୋର ବହୁତ ଇଚ୍ଛା। ବର୍ତମାନ କିନ୍ତୁ ମୁଁ ତାକୁ ମୋ ହାତ ଖାଇବାକୁ ଅନୁମତି ଦେଇଛି। ସେହିଭଳି ସାନିଆଙ୍କୁ ଟ୍ବିଟ୍ କରି ଏହି ପିଲାଟିକୁ ମୁଁ ସବୁଦିନ ପାଇଁ ରଖି ପାରିବି ବୋଲି ମଧ୍ୟ ପରୀ କହିଛନ୍ତି। ସାନିଆ ଏହାର ଉତ୍ତର ରଖି ଇଜହାନଙ୍କ ପ୍ରତି ପରିଣୀତିଙ୍କ ଭଲ ପାଇବାକୁ ସମ୍ମାନ ଜଣାଇଛନ୍ତି।

ହେ ଭଗବାନ! ୟା’ଠାରୁ ଅଧିକ କୌଣସି କଥାରେ ମୁଁ ରାଜି ହୋଇପାରିବିନି ବୋଲି ସାନିଆ ଏହାର ଉତ୍ତର ରଖିଥିଲେ। ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କେଶରୀ’ରେ ନାୟିକା ଭୁମିକା ତୁଲାଇଥିବା ୩୦ ବର୍ଷୀୟା ପରିଣୀତି ସଂପ୍ରତି ସୁଟିଂରୁ ଛୁଟି ନେଇ ଦୁବାଇରେ ଥିବା ସାନିଆଙ୍କ ଘରକୁ ବୁଲିବାକୁ ଯାଇଛନ୍ତି। ଉଭୟ ସାନିଆ ଏବଂ ପରିଣୀତି ଇନଷ୍ଟାଗ୍ରାମରେ ବେଶ୍ ସକ୍ରିୟ ଅଛନ୍ତି। ସାନିଆ ମଧ୍ୟ ନିୟମିତ ଭାବେ ଇଜହାନଙ୍କ ଫଟୋ ନିଜ ଆକାଉଣ୍ଟରେ ପ୍ରକାଶ କରି ଥାଆନ୍ତି। ନିକଟରେ ଇଜହାନଙ୍କ ସହ ନେଇଥିବା ଏକ ସେଲ୍‌ଫିକୁ ସାନିଆ ପ୍ରକାଶ କରିଥିଲେ। ଯାହାର ପ୍ରତିକ୍ରିୟା‌ ରଖି ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅତି ସୁନ୍ଦର ବୋଲି ଲେଖିଥିଲେ। ସାନିଆ ଏବଂ ତାଙ୍କ ପାକିସ୍ତାନୀ ପତି ସୋଏବ ମଲ୍ଲିକ ଗତବର୍ଷ ଅକ୍ଟୋବର ମାସରେ ମାତାପିତା ହୋଇଥିଲେ।

ସମ୍ବନ୍ଧିତ ଖବର