ଅପୂର୍ବ ଶୃଙ୍ଖଳା ବିଜୟ

ପୋର୍ଟ ଏଲିଜାବେଥ୍‌,: ଦକ୍ଷିଣ ଆଫ୍ରିକା ମାଟିରେ ଯାହା ଆଗରୁ କେବେ ହୋଇନଥିଲା ତାହା ହେଲା। ଅପୂର୍ବ ଶୃଙ୍ଖଳା ବିଜୟ ହାସଲ କରିନେଲା କୋହଲି ବାହିନୀ। ୨୫ ବର୍ଷର ଦ୍ୱିପାକ୍ଷିକ କ୍ରିକେଟ୍‌ ସମ୍ପର୍କରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ଶୃଙ୍ଖଳା ଜିତି ଐତିହାସିକ ସଫଳତା ପାଇଲା। ରୋହିତ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଶତକ, କୁଲଦୀପ ଯାଦବଙ୍କ ୪ ଓ୍ଵିକେଟ୍‌ ସଫଳତା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ (୨/୩୦) ଓ କ୍ଷେତ୍ରରକ୍ଷଣ (ହାସିମ୍‌ ଆମଲା ରନ୍‌ ଆଉଟ୍‌) ବଳରେ ଭାରତ ମଙ୍ଗଳବାର ପୋର୍ଟ ଏଲିଜାବେଥ୍‌ରେ ଖେଳାଯାଇଥିବା ପଞ୍ଚମ ଦିନିକିଆରେ ଘରୋଇ ଦଳକୁ ୭୩ ରନ୍‌ରେ ହରାଇ ଏହି ଗୌରବମୟ ଅଧ୍ୟାୟ ସଂଯୋଗ କରିଛି। ଭାରତର ୨୭୪ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ୭.୪ ଓଭର ପୂର୍ବରୁ ୨୦୧ ରନ୍‌ରେ ସୀମିତ ରହିଥିଲା। ୬ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୪-୧ରେ ଅପରାଜେୟ ଅଗ୍ରଣୀ ନେଇଛି। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ମଧ୍ୟ କୁଲଦୀପ ଯାଦବ (୧୦-୦-୫୭-୪) ଏବଂ ହାର୍ଦିକ ପାଣ୍ଡ୍ୟା (୯-୦-୩୦-୨) ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଶୁକ୍ରବାର ଷଷ୍ଠ ତଥା ଶେଷ ଦିନିକିଆ ସେଞ୍ଚୁରିଅନ୍‌ରେ ଖେଳାଯିବ।
ଟସ୍‌ ଦକ୍ଷିଣ ଆଫ୍ରିକା ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଶିଖର ଧାଓ୍ଵନ ବିସ୍ଫୋରକ ଆରମ୍ଭ କରିଥିଲେ ମଧ୍ୟ ୨୩ ବଲ୍‌ରୁ ୩୪ ରନ୍‌ କରି ରବାଦାଙ୍କ ବୋଲିଂରେ ଆଉଟ୍‌ ହୋଇଥିଲେ। ତାଙ୍କ ପାଳିରେ ୮ ଦର୍ଶନୀୟ ଚୌକା ସାମିଲ ଥିଲା। ଶୃଙ୍ଖଳା ସାରା ଫର୍ମକୁ ନେଇ ସଂଘର୍ଷ କରୁଥିବା ରୋହିତ ଶର୍ମା ପ୍ରଥମରୁ ସତର୍କତାର ସହ ଖେଳିଥିଲେ ମଧ୍ୟ ପଞ୍ଚମ ଓଭର ପରେ ହଠାତ୍‌ ବିସ୍ଫୋରକ ରୂପ ନେଇଥିଲେ। ବଲ୍‌ ପିଛା ରନ୍‌ ସଂଗ୍ରହ କରି ନିଜର ୧୭ତମ ଦିନିକିଆ ଶତକ ହାସଲ କରି ନେଇଥିଲେ ରୋହିତ (୧୧୫, ୧୨୮ ବଲ୍‌, ୧ ଚୌକା, ୪ ଛକା)। ଦାୟିତ୍ୱର ସହ ବ୍ୟାଟିଂ କରୁଥିବା ବିରାଟ କୋହଲି (୩୬, ୫୪ ବଲ୍‌, ୨ ଚୌକା) ନିଜକୁ ରନ୍‌ ଆଉଟ୍‌ କରାଇ ଥିଲେ ମଧ୍ୟ ରୋହିତ ଶର୍ମାଙ୍କ ସହ ଶତକୀୟ ଭାଗୀଦାରି କରି ସାରିଥିଲେ। ଉଭୟ ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୧୮ ଓଭରରେ ୧୦୩ ରନ୍‌ ସଂଯୋଗ କରିଥିଲେ। କୋହଲିଙ୍କ ଭଳି ରାହାଣେ (୮) ମଧ୍ୟ ରନ୍‌ ଆଉଟ୍‌ ହୋଇଯିବାରୁ ଭାରତ ଦିଗହରା ହୋଇଥିଲା। ଏଥର କିନ୍ତୁ ରୋହିତ ଶର୍ମାଙ୍କ ସହ ଭୁଲ ବୁଝାମଣା ଥିଲା କାରଣ। ଚତୁର୍ଥ ମ୍ୟାଚ୍‌ ଭାରତ ଏଥର ମଧ୍ୟ ଆଶାଜନକ ସ୍କୋର୍‌ଠାରୁ କମ୍‌ରେ ମୀସିତ ରହିଥିଲା।

ବିଶେଷ କରି ଉଦୀୟମାନ ଲୁଙ୍ଗି ଏନ୍‌ଗିଡ଼ିଙ୍କ ଆଗରେ ଭାରତର ଏକାଧିକ ବଡ଼ ଖେଳାଳି ଫିକା ପଡ଼ିଥିଲେ। ରୋହିତ ଶର୍ମାଙ୍କ ସହିତ ଶ୍ରେୟସ ଆୟର (୩୦, ୩୭ ବଲ), ହାର୍ଦିକ ପାଣ୍ଡ୍ୟା (୦), ମହେନ୍ଦ୍ର ସିଂହ ଧୋନି (୧୩)ଙ୍କ ଓ୍ଵିକେଟ୍‌ ନେଇ ୪/୫୧ ପ୍ରଶଂସନୀୟ ବୋଲିଂ ଚିତ୍ର ପାଇଥିଲେ। ଶେଷ ୧୦ ଓଭରରେ ଭାରତ ୪ ଓ୍ଵିକେଟ୍‌ ହରାଇବା ଫଳରେ ମାତ୍ର ୫୪ ରନ୍‌ ଯୋଡ଼ି ଲଗାତାର ମ୍ୟାଚ୍‌ରେ ସମ୍ଭାବ୍ୟ ୩୦୦ ଛୁଇଁ ପାରିନଥିଲା। ୪୨ରୁ ୪୫ ଓଭର ଭିତରେ ଭାରତ ମାତ୍ର ୧୦ ରନ୍‌ରେ ୩ ଓ୍ଵିକେଟ୍‌ ହରାଇବାରୁ ଏଭଳି ହୋଇଥିଲା। ଶେଷ ୫ ଓଭରର ଭାରତ ମାତ୍ର ୩୪ ରନ୍‌ ଯୋଡ଼ିଥିଲା। ଚଳିତ ଶୃଙ୍ଖଳାରେ ତୃତୀୟ ଥର ପାଇଁ ଭାରତ ୩୦ ଓଭର ବେଳକୁ ୧୭୦ ଟପି ସାରିଥିଲେ ମଧ୍ୟ ଥରେ ମାତ୍ର ୩୦୦ ଟପିଛି।
ଜବାବରେ ହାସିମ୍‌ ଆମଲାଙ୍କ ଲଢ଼ୁଆ ବ୍ୟାଟିଂକୁ ହାର୍ଦିକ ପାଣ୍ଡ୍ୟା ରନ୍‌ ଆଉଟ୍‌ରେ ଶେଷ କରିଦେବା ପରେ କୁଲଦୀପ ଯାବବ ୪୨ତମ ଓଭରରେ ୩ ଓ୍ଵିକେଟ୍‌ ନେଇ ମ୍ୟାଚ୍‌କୁ ରୋମାଞ୍ଚକ ସମାପ୍ତିରୁ ରୋକିଥିଲେ। ଦକ୍ଷିଣ ଆଫ୍ରିକା ୪୨.୨ ଓଭରରେ ୨୦୧ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା।

ସମ୍ବନ୍ଧିତ ଖବର