କୋହଲି ବାହିନୀଙ୍କୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଅଭିନନ୍ଦନ

ଇସ୍‌ଲାମାବାଦ: ଅଷ୍ଟ୍ରେଲିଆକୁ ତା’ ମାଟି‌ରେ ଧୂଳି ଚଟାଇ ପ୍ରଥମ ଥର ଲାଗି ଟେଷ୍ଟ୍‌ ଶୃଙ୍ଖଳା ଜିତିବାର ଇତିହାସ ରଚିଥିବା ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ପୂର୍ବତନ ମହାନ୍‌ କ୍ରିକେଟର୍‌ ତଥା ଏବର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଏସୀୟ ଦଳ ଭାବେ ବିରାଟ ବାହିନୀ ଅଷ୍ଟ୍ରେଲିଆରେ ଦବ୍‌ଦବା ଦେଖାଇଥିବାରୁ ଏହି ପୂର୍ବତନ ପାକ୍‌ ଅଧିନାୟକ ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ପ୍ରଶଂସାରେ ପୋତି ପକାଇଛନ୍ତି। ସେ ଭାରତୀୟ ଦଳକୁ ଅଭିନନ୍ଦନ ବାର୍ତା ଟ୍ବିଟ୍‌ କରିଛନ୍ତି। ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ଶୃଙ୍ଖଳା ଜିତି ବିରାଟ ବାହିନୀ କେବଳ ଭାରତ ପାଇଁ ୭୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇନି, ବରଂ ସମଗ୍ର ଏସିଆ ମହାଦେଶ ପାଇଁ ଗର୍ବ ଆଣିଛି ବୋଲି ଇମ୍ରାନ୍‌ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ବରେ ପାକିସ୍ତାନ କ୍ରିକେଟ୍‌ ଦଳ ୧୯୯୨ରେ ସେହି ଅଷ୍ଟ୍ରେଲିଆରେ ବିଶ୍ବକପ୍‌ ବିଜେତା ହୋଇଥିଲା। ନିଜର ଜାଜ୍ଜୁଲ୍ୟମାନ କ୍ରିକେଟ୍‌ ଜୀବନରେ ଇମ୍ରାନ୍‌ ପାକିସ୍ତାନ ପାଇଁ ୮୮ ଟେଷ୍ଟ୍‌ ଓ ୧୭୫ ଦିନିକିଆ ମ୍ୟାଚ୍‌ ‌ଖେଳିଥିଲେ।

ସମ୍ବନ୍ଧିତ ଖବର