ଅଡ଼ୁଆରେ ପାଣ୍ଡ୍ୟା-ରାହୁଲ୍‌:ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ମହଙ୍ଗା ପଡ଼ିଲା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦେଶକ କରଣ ଜୋହରଙ୍କ ଚର୍ଚିତ ଟେଲିଭଜନ୍ କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଭାରତୀୟ କ୍ରିକେଟ୍‌ ଦଳର ଯୁବ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ସହିତ ଏହି କାର୍ଯ୍ୟକ୍ରମକୁ ଯାଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମଧ୍ୟ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବା ପରେ ଚାରିଆଡ଼ୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷ କରି ମହିଳାଙ୍କୁ ନେଇ ପାଣ୍ଡ୍ୟା କହିଥିବା କେତେକ ବିବାଦୀୟ କଥାକୁ କ୍ରୀଡ଼ାପ୍ରେମୀ କଟୁ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ପାଣ୍ଡ୍ୟା କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ସେ କ୍ଷମା ମାଗିବାର କିଛି ଘଣ୍ଟା ପରେ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ) ତାଙ୍କ ସହ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ, ୨୪ ଘଣ୍ଟା ଭିତରେ ସ୍ପଷ୍ଟୀକରଣ ଦେବାକୁ ସିଓଏ ତା’ ନୋଟିସରେ ସ୍ପଷ୍ଟ ନିର୍ଦେଶ ଦେଇଥିଲା। ପାଣ୍ଡ୍ୟା ନିଜ କୁକର୍ମ ପାଇଁ ଟିଟ୍ କରି କ୍ଷମା ମାଗି ଥିଲେ ବି ରାହୁଲ ରିପୋର୍ଟ ଲେଖା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା‌ ପ୍ରକାଶ କରି ନଥିଲେ। ମାମଲାରେ ବିସିସିଆଇ ଓ ଭାରତୀୟ କ୍ରିକେଟର ମର୍ଯ୍ୟାଦା ହାନୀ ହୋଇଥିବା ଆଶଙ୍କା କରି ସିଓଏ କିନ୍ତୁ ଏବେ ଅଣକ୍ରିକେଟ୍ କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟରଙ୍କ ଅଂଶଗ୍ରହଣ ଉପରେ ଅଙ୍କୁଶ ଲଗାଇବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ତେବେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ପାଣ୍ଡ୍ୟା ଓ ରାହୁଲଙ୍କଠାରୁ ଜବାବ ପାଇବା ପରେ ନିଆଯିବ ବୋଲି ସିଓଏର ମୁଖ୍ୟ ବିନୋଦ ରାଏ କହିଛନ୍ତି। ସୂଚନାଯୋଗ୍ୟ ଯେ ‘କଫି ୱିଥ୍ କରଣ’ ହେଉଛି ଏକ ସେଲିବ୍ରେଟି ଚାର୍ଟ ସୋ’। ପାଞ୍ଚଟି ସଫଳ ଋତୁ ପରେ ଚଳିତ ଥର ଏହାର ଷଷ୍ଠ ସଂସ୍କରଣ ଷ୍ଟାର ୱାର୍ଲଡ ଇଣ୍ଡିଆରେ ପ୍ରସାରିତ ହେଉଛି। ଏଥିରେ ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀମା‌ନେ ନିଜ ବ୍ୟକ୍ତିଗତ ଜୀବନର ଅନେକ ବିବାଦୀୟ ଏବଂ ଗୋପନ କଥା କହିବାର ଉଦାହରଣ ରହିଛି। ତେବେ ପ୍ରଥମ ଥର ପାଇଁ କୌଣସି କ୍ରିକେଟର ଏହି ସୋ’କୁ ଆସି ବିବାଦୀୟ ହୋଇ ପଡ଼ିଛନ୍ତି। ପାଣ୍ଡ୍ୟା ଏବଂ ରାହୁଲ ଅଂଶଗ୍ରହଣ କରିଥିବା ଅଧ୍ୟାୟ ଗତ ୬ ତାରିଖରେ ପ୍ରସାରିତ ହୋଇଥିଲା।

ସମ୍ବନ୍ଧିତ ଖବର