ଉଦ୍‌ଘାଟନୀରେ ରୋନାଲ୍‌ଡୋ, ରୋବି, ଆଇଦା ରୋମାଞ୍ଚ

ମସ୍କୋ: ଗୁରୁବାରଠୁ ରୁଷିଆ ରାଜଧାନୀ ମସ୍କୋରେ ଦୀର୍ଘ ୩୧ ଦିନ ଧରି ଚାଲିବ ଫୁଟ୍‌ବଲ୍‌ ବିଶ୍ୱକପ୍‌। ମସ୍କୋର ଲୁଝନିକି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଫୁଟ୍‌ବଲ୍‌ ମହାକୁମ୍ଭର ଉଦ୍‌ଘାଟନୀ ଉତ୍ସବ। ବ୍ରିଟିସ୍‌ ପପ୍‌ ଷ୍ଟାର୍‌ ରୋବି ଓ୍ଵିଲିୟମ୍ସ, ରୁଷିଆର ଆଇଦା ଗାରିଫୁଲିନା ଏବଂ ବ୍ରାଜିଲ୍‌ ଷ୍ଟ୍ରାଇକର୍‌ ରୋନାଲ୍‌ଡୋ ଏହି ଉତ୍ସବକୁ ରଙ୍ଗିନ କରିବେ। ଏମାନଙ୍କ ପ୍ରଦର୍ଶନରେ ଝୁମିବେ ଫୁଟ୍‌ବଲ୍‌ ପ୍ରେମୀ। ଏହି ଉତ୍ସବ ୨୦୧୮ ଫିଫା ବିଶ୍ୱକପ୍‌ ବଲ୍‌ ପଡ଼ିବାର ଅଧଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଉତ୍ସବକୁ ଷ୍ଟାଡିୟମରେ ପାଖାପାଖି ୮୦ ହଜାର ଦର୍ଶକ ଉପଭୋଗ କରିବାକୁ ଥିଲା ବେଳେ ଟିଭି ମାଧ୍ୟରେ ସାରା ବିଶ୍ୱରେ କୋଟି କୋଟି ଦର୍ଶକ ଏହାର ମଜା ଉଠାଇବେ। ରୋନାଲଡୋ ଖେଳାଳିଙ୍କ ପ୍ରତିନିଧି ଭାବେ ଉଦଘାଟନୀ ଉତ୍ସବରେ ଯୋଗଦେବେ। ଲୁଝନିକି ଷ୍ଟାଡିୟମର ୮୦ ହଜାର ଦର୍ଶକଙ୍କ ସମ୍ମୁଖରେ ସଂଗୀନ ପରିବେଷଣ କରିବା ନେଇ ରୋବି ବେଶ୍‌ ଉତ୍ସାହିତ। ଆଇଦା ମଧ୍ୟ ଉଲ୍ଲସିତ। ଉଭୟ ଏବେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଛନ୍ତି। ସେପଟେ ଏଥରର ବିଶ୍ୱକପ୍‌ ଉଦ୍‌ଘାଟନ ପୂର୍ବର ସବୁ ସଂସ୍କରଣଠାରୁ ଭିନ୍ନ ଏବଂ ଅଲଗା ହେବ ବୋଲି ଜଣା ପଡ଼ିଛି। ଏଥରର ଉଦ୍‌ଘାଟନୀରେ ସଂଗୀତ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଆଯିବା ସହ ମାତ୍ର ୩୦ ମିିନଟ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ସ୍ଥାନୀୟ ସମୟ ସଂଧ୍ୟା ୬ଟାରେ ଆରମ୍ଭ ହୋଇ ୬.୩୦ରେ ଶେଷ ହେବ। ରୋବି ଉଦଘାଟନୀ ଉତ୍ସବ ଲାଗି ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଗର୍ବ ଓ ଗୌରବର ବିଷୟ ବୋଲି ରୋନାଲ୍‌ଡୋ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର