ମହିଳା ଟି୨୦ ବିଶ୍ୱକପ : ବାଂଲାଦେଶକୁ ୧୮ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପରେ ଭାରତୀୟ ଦଳ ଲଗାତାର ୨ୟ ବିଜୟ ହାସଲ କରିଛି । ଆଜି ପର୍ଥଠାରେ ଅନୁଷ୍ଠିତ ମ୍ୟାଚରେ ଭାରତ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଛି । ପୂର୍ବ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।
ବାଂଲାଦେଶ ଦଳ ଟସଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ଭାରତୀୟ ଦଳ ନିଜର ଓପନିଂ ବ୍ୟାଟ୍ସମ୍ୟାନ ତାନିଆ ଭାଟିଆଙ୍କୁ ମାତ୍ର ୨ ରନରେ ହରାଇଥିଲେ ମଧ୍ୟ ଅନ୍ୟତମ ଓପନର ସେଫାଲି ବର୍ମା ମାତ୍ର ୧୭ ବଲରେ ଦ୍ରୁତ ୩୯ ରନ ସଂଗ୍ରହ କରି ବିପକ୍ଷ ଦଳର ବୋଲିଂକୁ ପ୍ରତିହତ କରିଥିଲେ । ସେ ଜୋମିମା ରୋଡ୍ରିଗସଙ୍କ ସହ ମିଶି ୩ୟ ଓ୍ଵିକେଟ ଯୋଡ଼ିରେ ୫୩ ରନ ସଂଗ୍ରହ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୪୨ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ଦଳ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୨୪ କରିପାରିଥିଲା । ଦଳ ପକ୍ଷରୁ ନିଗାର ସୁଲତାନା ସର୍ବାଧିକ ୩୫ ରନ କରିଥିଲେ । ଭାରତ ପକ୍ଷରୁ ପୁନମ ଯାଦବ ୩ଟି,ଶିଖା ପାଣ୍ଡେ ଓ ଅରୁନ୍ଧତି ରେଡ୍ଡୀ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର