ଆରମ୍ଭରୁ ସଂଘର୍ଷ, ରୋହିତଙ୍କ ପର କାଟିଲେ କୋହଲି

ଆଣ୍ଟିଗୁଆ ଟେଷ୍ଟ୍ ପ୍ରଥମ ଦିନ, ରାହାଣେ ଶତକରୁ ବଞ୍ଚିତ

ଆଣ୍ଟିଗୁଆ, ୨୨ା୮: ଟେଷ୍ଟ୍ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭରୁ ଭାରତ ସଂଘର୍ଷ କରିଛି। ଆଣ୍ଟିଗୁଆରେ ଗୁରୁବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ‌ ବିରାଟ କୋହଲି ବାହିନୀ ୨୫ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। କେଏଲ୍ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ଭାରତକୁ ପ୍ରତ୍ୟାବର୍ତନର ସ‌ୁଯୋଗ‌ ଦେଇଥିଲେ। ବର୍ଷା ବାଧାପ୍ରାପ୍ତରେ ‌ଶେଷ ଖବର ବେଳକୁ ଭାରତ ୬ ୱିକେଟ୍‌ରେ ୧୯୬ ରନ୍ କରିଥିଲା।
ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର୍‌ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍‌ରେ ଗୁରୁବାର ସକାଳେ ବର୍ଷା ଏବଂ ଓଦା ପଡ଼ିଆ ପାଇଁ ମ୍ୟାଚ୍‌ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଜାସନ୍ ହୋଲଡର୍ କିନ୍ତୁ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲେ। ହୋଡଲରଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରି‌‌‌‌ କେମାର ରୋଚ୍ ଗୋଟିଏ ଓଭରରେ ମୟଙ୍କ ଅଗ୍ରୱାଲ ଏବଂ ଚେତେଶ୍ବର ପୂଜାରାଙ୍କୁ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଉଭୟଙ୍କ କ୍ୟାଚ୍‌କୁ ୱିକେଟ୍ ପଛପଟେ ନେଇଥିଲେ ସାଏ ହୋପ୍‌। ମୟଙ୍କଙ୍କ ଆଉଟ୍‌କୁ ଅମ୍ପାୟାର୍ ନାକଚ କରି ଦେଇଥିଲେ ମଧ୍ୟ ଡିଆରଏସ୍ ଜିତି ନେଇଥିଲେ ହୋଲ୍‌ଡର। କିଛି ସମୟ ପରେ ଅଧିନାୟକ ବିରାଟ କୋହଲି (୯, ୧୨ ବଲ, ୨ ଚୌକା)ଙ୍କୁ ସାନନ୍ ଗାବ୍ରିଏଲ୍‌ ଝଟକା ଦେଇଥିଲେ। କୋହଲି ପଏଣ୍ଟ ଉପରେ‌ ଖେଳିଥିଲେ ମଧ୍ୟ ଗଲି ଅଞ୍ଚଳରେ ଥିବା ସାମରା ବ୍ରୁକ୍ସ ଡାହାଣକୁ ଡାଇଭ୍ କରି କ୍ୟାଚ୍‌ କରି ନେଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ କିନ୍ତୁ ରାହୁଲ ଏବଂ ରାହାଣେ ଘରୋଇ ଦଳକୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ। ଦ୍ବିତୀୟ ଅଧିବେଶନରେ ଭାରତ ଶାନ୍ତରେ ଖେଳି କେବଳ ରାହୁଲ (୪୪, ୯୭ ବଲ, ୫ ଚୌକା)ଙ୍କ ୱିକେଟ ହରାଇଥିଲା। ସ୍ପିନର୍ ରସ୍ତନ ଚେଜ୍‌ ନିଜ ପ୍ରଥମ ଓଭରରେ ହିଁ ୱିକେଟ୍ ପଛପଟେ ହୋପଙ୍କୁ ତୃତୀୟ କ୍ୟାଚ୍‌ ନେବାର ସ‌ୁଯୋଗ ଦେଇଥିଲେ। ଚା’ପାନ ବିରତି ପରେ ହନୁମା ବିହାରୀ (୩୨, ୫୬ ବଲ, ୫ ଚୌକା)ଙ୍କୁ କେମାର ରୋଚ୍‌ ନିଜ ତୃତୀୟ ଶିକାର କରିଥିଲେ। ସେହିଭଳି ଅଜିଙ୍କ୍ୟ ରାହାଣେ (୮୧, ୧୬୩ ବଲ, ୧୦ ଚୌକା)ଙ୍କୁ ସାନନ୍ ଗାବ୍ରିଏଲ୍‌ ବୋଲଡ୍ କରି ଭାରତକୁ ବଡ଼ ଝଟକା ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୬୪ ଓଭରରେ ୧୯୬/୬ (ଅଜିଙ୍କ୍ୟ ରାହାଣେ-୮୧, କେଏଲ୍ ରାହୁଲ-୪୪, ହନୁମା ବିହାରୀ-୩୨, ଋଷବ ପନ୍ତ୍‌-୧୫*, ରବୀନ୍ଦ୍ର ଜାଦେଜା‌-୧*, କେମାର ରୋଚ୍‌-୩/୩୪, ସାନନ୍ ଗାବ୍ରିଏଲ୍‌-୨/୪୯, ରସ୍ତନ ଚେଜ୍‌-୧/୩୫)।

ଅଶ୍ବିନ୍‌ଙ୍କୁ ନେଇ ଗାଭାସ୍କର ଅସନ୍ତୁଷ୍ଟ
ଭାରତ ଏହି ଟେଷ୍ଟ୍‌କୁ ୩ ପେସ୍ ବୋଲର ଏବଂ ଜଣେ ସ୍ପିନରଙ୍କୁ ନେଇ ଖେଳୁଛି। ଏକମାତ୍ର ସ୍ପିନର ହେଉଛନ୍ତି ରବୀନ୍ଦ୍ର ଜାଦେଜା। ଯିଏକି ଏକମାତ୍ର ଟୁର୍ ମ୍ୟାଚ୍‌ରେ ୧୫ ଓଭର ବୋଲିଂ କରି ୱିକେଟଶୂନ୍ୟ ରହିଥିଲେ। ଅନ୍ୟପକ୍ଷରେ ଭାରତର ଗତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ଆର୍ ଅଶ୍ବିନ୍‌ଙ୍କୁ ବାହାରେ ବସିବାକୁ ବାଧ୍ୟ କରାଯାଇଛି। ଆହତ ସମସ୍ୟା କାରଣରୁ ଅଷ୍ଟ୍ରେଲିଆ ଶୃଙ୍ଖଳାରୁ ବଞ୍ଚିତ ଅଶ୍ବିନ୍‌ ଲଗାତାର ଚତୁର୍ଥ ଟେଷ୍ଟ୍‌ ଖେଳିପାରିଲେନି। ଜାଦେଜା ଏବଂ କୁଲଦୀପଙ୍କ ପାଇଁ ଅଶ୍ବିନଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ମଧ୍ୟ ‌ଆଶଙ୍କା ଭିତରକୁ ଚାଲିଯାଇଛି। ଚଳିତ ବର୍ଷ ସେ‌ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି। ଆଣ୍ଟିଗୁଆ ଟେଷ୍ଟ୍‌ର ଚୂଡାନ୍ତ ଏକାଦଶରେ ଅଶ୍ବିନଙ୍କୁ ସ୍ଥାନ ମିଳିନଥିବାରୁ କିମ୍ବଦନ୍ତୀ ଭାରତୀୟ ବ୍ୟାଟସମ୍ୟାନ୍‌ ସୁନିଲ ଗାଭାସ୍କର ଏହାକୁ ସମାଲୋଚନା କରିଛନ୍ତି। ବିଶେଷ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଥିବାରୁ ଗାଭାସ୍କର ବିସ୍ମିତ ହୋଇଛନ୍ତି। ଇଣ୍ଡିଜ୍ ବିପକ୍ଷରେ ୧୧ ଟେଷ୍ଟ୍ ଖେଳି ଅଶ୍ବିନ୍‌ ୪ ଶତକ ସହିତ ୫୫୨ ରନ୍ ଏବଂ ୪ ଥର ୫ ୱିକେଟ୍‌ ସଫଳତା ସହିତ ୬୦ ୱିକେଟ୍ ନେଇଛନ୍ତି।

ରୋହିତଙ୍କ ପର କାଟିଲେ କୋହଲି

ଗତ ବିଶ୍ବକପ୍‌ ସମୟରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ମନାନ୍ତର ରହିଥିବା କଥା ଗଣମାଧ୍ୟମରେ ବେଶ ଚର୍ଚାରେ ରହି ଆସିଥିଲା। ଏବେ ଆଣ୍ଟିଗୁଆ ଟେଷ୍ଟ୍‌ରେ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସ‌ୁ‌ଯୋଗ ମିଳିନଥିବାରୁ କୋହଲି ତାଙ୍କ ପର କାଟୁଥିବା କଥା ଆଲୋଚନାର ପରିସରକୁ ଆସିଛି। ଭାରତ ଏହି ମ୍ୟାଚ୍‌ ଲାଗି ରୋହିତଙ୍କ ବଦଳରେ ଫର୍ମକୁ ନେଇ ସଂଘର୍ଷରତ ଅଜିଙ୍କ୍ୟ ରାହାଣେଙ୍କୁ ଖେଳାଇଛି। ସେହିଭଳି ରିଦ୍ଧିମାନ ସାହାଙ୍କ ବଦଳରେ ଋଷବ ପନ୍ତ୍‌ ଖେଳିଛନ୍ତି। ପଞ୍ଚମ ବୋଲର ବିକଳ୍ପ ରଖିଥିବା ହାଇଦ୍ରାବାଦୀ ଅଲରାଉଣ୍ଡର୍ ହନୁମା ବିହାରୀଙ୍କୁ ବି ସୁଯୋଗ ମିଳିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୪ ପେସ୍‌ ବୋଲର ସୂତ୍ରରେ ବିଶ୍ବାସ ରଖି କମିନ୍ସ,‌‌ ରୋଚ୍‌, ହୋଲଡର ଓ ଗାବ୍ରିଏଲଙ୍କୁ ଏକାଠି ଖେଳାଇଛି। ରସ୍ତନ ଚେଜ୍‌ ଏକମାତ୍ର ସ୍ପିନର୍ ରହିଛନ୍ତି। ଭାରତ ‘ଏ’ ବିପକ୍ଷରେ ଭଲ ଖେଳିଥିବା ବ୍ୟାଟସମ୍ୟାନ୍‌ ସାମରା ବ୍ରୁକ୍ସଙ୍କୁ ପଦାର୍ପଣ ସୁଗୋଗ ମିଳିଛି।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୩୫ ଓଭରରେ ୯୩/୪ (କେଏଲ୍ ରାହୁଲ-୪୪, ଅଜିଙ୍କ୍ୟ ରାହାଣେ-୨୭*, କେମାର ରୋଚ୍‌-୨/୧୭, ରସ୍ତନ ଚେଜ୍‌-୧/୦, ସାନନ୍ ଗାବ୍ରିଏଲ୍‌-୧/୩୮)।

ସମ୍ବନ୍ଧିତ ଖବର