ଇଣ୍ଡିଜ୍‌ ଗସ୍ତ:ବାଂଲାଦେଶର ପ୍ରଥମ ବିଜୟ

ଗୟନା: େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଗସ୍ତରେ ଥିବା ବାଂଲାଦେଶ କ୍ରିକେଟ୍‌ ଦଳ ଏଠାରେ ଖେଳା ଯାଇଥିବା ପ୍ରଥମ ଦିନିକିଆକୁ ୪୮ ରନ୍‌ରେ ଜିତିନେଇଛି। ଫଳରେ ତିନିଟିକିଆ ଶୃଙ୍ଖଳାରେ ବାଂଲାଦେଶ ୧-୦ରେ ଆଗୁଆ ହୋଇଯାଇଛି। ଦୁଇଟିଯାକ ଟେଷ୍ଟ୍‍ ହାରିବା ପରେ ଇଣ୍ଡିଜ୍‌ ଗସ୍ତରେ ବାଂଲାଦେଶର ଏହା ପ୍ରଥମ ବିଜୟ।
ସୋମବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪ ଓ୍ଵିକେଟ୍‌ ହରାଇ ୨୭୯ ରନ୍‌ କରିଥିଲା। ମାତ୍ର ୧ ରନ୍‌ରେ ଦଳ ଅନମଲ୍‌ ହକ୍‌ଙ୍କୁ ହରାଇ ବିପଦରେ ପଡ଼ିଥିଲା। ହେଲେ ଦ୍ୱିତୀୟ ଓ୍ଵିକେଟ୍‌ରେ ତମିମ ଇକ୍‌ବାଲ୍‌ (୧୩୦*) ଏବଂ ସାକିବ ଅଲ୍‌ ହାସନ୍‌ (୯୭)ଙ୍କ ଦ୍ୱି-ଶତକୀୟ ଭାଗୀଦାରି ବଳରେ ବଡ଼ ସ୍କୋର୍‌ କରି ନେଇଥିଲା। ତମିମ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷରେ ବାଂଲାଦେଶ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର କୀର୍ତିମାନ କରିଥିଲେ। ମୁସିଫିକର ରହିମ୍‌ ୩୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। େଓ୍ଵଷ୍ଟ୍‍ଇଣ୍ଡିଜ୍‌ ପକ୍ଷରୁ ଦେବେନ୍ଦ୍ର ବିଶୁ ୨ ଓ୍ଵିକେଟ୍‌ ନେଇଥିଲେ। ଏହାର ଜବାବରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୩୧ ରନ୍‌ କରିଥିଲା। ସିମ୍ରନ୍‌ ହେଟ୍‌ମିର୍‌ ୫୨ ଏବଂ କ୍ରିସ୍‌ ଗେଲ୍‌ ୪୦ ରନ୍‌ କରିଥିଲେ। ଅଧିନାୟକ ମାସରଫି ମୋର୍ତାଜା ୩୭ ରନ୍‌ ଦେଇ ୪ ଓ୍ଵିକେଟ୍‌ ନେଇ ବାଂଲାଦେଶକୁ ବିଜୟ ଭେଟି ଦେଇଥିଲେ। ନୂଆ କୀର୍ତିମାନ କରିଥିବା ତମିମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ।

ସମ୍ବନ୍ଧିତ ଖବର