ଭାରତ-ଚୀନ ଚେସ ସମ୍ମିଳନୀ ଉଦ୍‌ଯାପିତ:ଭାରତ ପ୍ରଥମ ଥର ବିଜେତା

ଭୁବନେଶ୍ବର: ଦୁଇ ବିକାଶଶୀଳ ଦେଶ ଭାରତ ଏବଂ ଚୀନ୍‌ ମଧ୍ୟରେ ଅନୁଷ୍ଠିତ ଚେସ୍ ସମ୍ମିଳନୀରେ ଭାରତ ପ୍ରଥମ ଥର ବିଜେତା ହୋଇଛି। କିଟ୍‌ ବିଶ୍ବବିଦ୍ୟାଳୟ ଚେସ୍ ହଲ୍‌ରେ ମଙ୍ଗଳବାର ଉଦ୍‌ଯାପିତ ତୃତୀୟ ସଂସ୍କରଣ ଶେଷ ଦିନରେ ଭାରତ ୯-୭ ମ୍ୟାଚ୍ ପଏଣ୍ଟରେ ଚୀନ୍‌କୁ ଚକ୍‌ମା ଦେଇ ଏହି ଗୌରବ ଅର୍ଜନ କରିଛି। ଷଷ୍ଠ ରାଉଣ୍ଡରେ ବିଜୟୀ ହୋଇ ସମ୍ଭାବନା ସୃଷ୍ଟି କରିଥିବା ଭାରତୀୟ ଯୁବ ଦଳ ଶେଷ ଦୁଇ ରାଉଣ୍ଡକୁ ଅମୀମାଂସିତ ରଖିବାରୁ ଏହି ବହୁ ପ୍ରତୀକ୍ଷିତ ସଫଳତା ପାଇଛି। ମଙ୍ଗଳବାର ଅଷ୍ଟମ ତଥା ଶେଷ ରାଉଣ୍ଡରେ ଭାରତକୁ ଅନ୍ୟୁନ ଅମୀମାଂସିତ କିମ୍ବା ବିଜୟ ଆବଶ୍ୟକ ଥିଲା। ଚତୁର୍ଥ ବୋର୍ଡରେ ଅରବିନ୍ଦ ଚିଦାମ୍ବରମ ପ୍ରତିପକ୍ଷ ଗ୍ରାଣ୍ଡମାଷ୍ଟର ଜୁ ୟିଙ୍ଗଲୁନଙ୍କୁ ହରାଇ ଦେଇଥିଲେ। ଦ୍ବିତୀୟ ଏବଂ ତୃତୀୟ ବୋର୍ଡରେ ଯଥାକ୍ରମେ ମୁରଲୀ କାର୍ତିକେୟନ ଓ ଶ୍ରୀନାଥ ନାରାୟଣନ ପ୍ରତିପକ୍ଷ ଜୁ ଜିଆଙ୍ଗ୍ୟୁ ଓ ବାଇ ଜିନସୀଙ୍କ ସହ ପଏଣ୍ଟ ଭାଗ କରିନେବାରୁ ଭାରତ ବିଜେତା ହେବା ନିଶ୍ଚିତ ହୋଇଥିଲା।

ପ୍ରଥମ‌ ବୋର୍ଡରେ କଡ଼ା ଲଢ଼େଇ ପରେ ଯୁବ ଗ୍ରାଣ୍ଡମାଷ୍ଟର ଆର୍ଯ୍ୟନ ଚୋପ୍ରା ଶୀର୍ଷ ମାନ୍ୟତାପ୍ରାପ୍ତ ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ଲୁ ସାଙ୍ଗଲେଇଙ୍କଠାରୁ ହାରିଯାଇଥିଲେ ମଧ୍ୟ ଭାରତର ଫଳାଫଳକୁ ଏହା ପ୍ରଭାବିତ କରିନଥିଲା। ମୁକାବିଲା ୨-୨ ପଏଣ୍ଟରେ ଅମୀମାଂସିତ ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ବାଣ୍ଟି ନେଇଥିଲେ। ୮ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭାରତ ୨ ବିଜୟ, ୫ ଅମୀମାଂସିତ ଓ ୧ ପରାଜୟ ସହିତ ୯ ପଏଣ୍ଟ୍ ଅର୍ଜନ କରିଥିଲା। ଚୀନ୍‌ ୭ ପଏଣ୍ଟରେ ସୀମିତ ରହି ଏହି ସମ୍ମିଳନୀରେ ପ୍ରଥମ ଥର ପରାଜୟ ମୁହଁ ଦେଖିଥିଲା। ୨୦୧୫ ହାଇଦ୍ରାବା‌ଦ ଏବଂ ୨୦୧୭ ଚୀନ୍‌ରେ ଅନୁଷ୍ଠିତ ପ୍ରଥମ ଦୁଇ ସଂସ୍କରଣରେ ଚୀନ୍‌ ବାଜି ମାରି ନେଇଥିଲା। ସାଙ୍ଗଲୁଇ କିନ୍ତୁ ବ୍ୟକ୍ତିଗତ ଭାବେ ସର୍ବାଧିକ ୫.୫ ପଏଣ୍ଟ ଅର୍ଜନ କରି ନିଜ ଖ୍ୟାତି ବଜାୟ ରଖିଥିଲେ।
ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଜେତା ଭାରତୀୟ ଦଳକୁ ୬ ଲକ୍ଷ ଏବଂ ଉପ ବିଜେତା ଚୀନ୍‌ ଦଳକୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଭୟ ରାଶିକୁ ସର୍ବଭାରତୀୟ ଚେସ୍ ସଂଘ ପ୍ରଦାନ କରିଥିଲା। ଓଡ଼ିଶା ସରକାର, କିଟ୍ ବିଶ୍ବବିଦ୍ୟାଳୟ, ସର୍ବଭାରତୀୟ ଚେସ୍ ସଂଘ, ଅଲ୍ ଓଡ଼ିଶା ଚେସ୍ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସମ୍ପାଦକ ଭରତ ସିଂହ ଚୌହାନ, କିଟ୍ ରେଜିଷ୍ଟ୍ରାର ସସ୍ମିତା ସାମନ୍ତ, ଏଓସିଏ ସଭାପତି ତଥା ଭାରତୀୟ ଦଳ ପ୍ରଶିକ୍ଷକ ଆଇଏମ ଶେଖର ଚନ୍ଦ୍ର ସାହୁ, ସମ୍ପାଦକ କୃଷ୍ଣକାନ୍ତ ଶର୍ମା, ଆୟୋଜନ ସମିତି ଅଧ୍ୟକ୍ଷ ରଂଜନ ମହାନ୍ତି, ଚୀନ୍‌ ଦଳ ପ୍ରଶିକ୍ଷକ ଗ୍ରାଣ୍ଡମାଷ୍ଟର ଜୁ ଜୁନ, କିଟ୍ ଓ କିସ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଭାଗ୍ୟଶାଳୀ ରଂଜନ
ଭାରତୀୟ ଦଳର ସଫଳତା ସହିତ ଅନ୍ୟ ଜଣେ ଓଡ଼ିଆ ବି ଅପୂର୍ବ ସଂଯୋଗର ସୂତ୍ରପାତ କରିଥିଲେ। ପୂର୍ବତନ ଖେଳାଳି ତଥା ଆୟୋଜନ ସମିତି ଅଧ୍ୟକ୍ଷ ରଂଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହା ସଫଳତାର ସହିତ ସମାପିତ ହୋଇଥିଲା। ଭାରତ ପ୍ରଥମ ଥର ବିଜେତା ହେବା ପରେ ରଂଜନ ଭାଗ୍ୟବାନ ବୋଲି ସ୍ବୀକାର କରିଥିଲେ ଆଇଏମ ଶେଖର ସାହୁ। ୨୦୧୫ ମସିହାରେ ଭାରତୀୟ ଦଳର ମୁଖ୍ୟ ଭାବେ ଦକ୍ଷିଣ‌ କୋରିଆର ସିଓନରେ ଏସୀୟ ଚେସ୍ ପ୍ରତିଯୋଗିତାରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲା। ଜ‌େଣ ବରିଷ୍ଠ ଆୟକର ଅଧିକାରୀ ‌େହାଇଥିଲେ ମଧ୍ୟ ଚେସ୍ ପ୍ରତି ତାଙ୍କ ଭଲ ପାଇବା ତାଙ୍କୁ ଏହି ଖେଳ ପ୍ରତି କିଛି କରିବାର ପ୍ରତିବଦ୍ଧତାରେ ବାନ୍ଧି ରଖିଛି।
ଅଲିମ୍ପିକ୍ସରେ ସାମିଲ ହେଉ
ଚେସ୍‌ରେ ଭାରତ ୬୦ରୁ ଊର୍ଧ୍ବ ଗ୍ରାଣ୍ଡମାଷ୍ଟର ସୃଷ୍ଟି କରିପାରିଛି। ବିଶ୍ବନାଥନ ଆନନ୍ଦ ବି‌ଶ୍ବ ବିଜେତା ହୋଇ ସାରିଛନ୍ତି। କିନ୍ତୁ ଏହି ଇନଡୋର୍ ଖେଳ ଅଲିମ୍ପିକ୍ସରେ ସାମିଲ ନ ଥିବାରୁ ଭାରତ ପଦକରୁ ବଞ୍ଚିତ ହୋଇଚାଲିଛି। ଚେସ୍‌ରେ ଭାରତର ବିଶେଷ ଦଖଲ ରହିଥିବାରୁ ଏହି ଖେଳକୁ ଅଲିମ୍ପିକ୍ସରେ ସାମିଲ କରାଗଲେ ଭଲ ହୁଅନ୍ତ‌ା ବୋଲି ମତ ଦେଇଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟରମାନେ। ଭାରତ-ଚୀନ୍‌ ଚେସ ସମ୍ମିଳନୀ ଶେଷରେ ‘ସମ୍ବାଦ’ ସହିତ କଥା ହେବାବେଳେ ବିଜେତାମାନେ ଏଭଳି ମତ ରଖିଥିଲେ। ‘‘ଚେସ୍ ଅଲିମ୍ପିକ୍ସରେ ସାମିଲ ‌େହବା ଉଚିତ। ଏଥି ପାଇଁ ଆଉ କେତେଦିନ ଲାଗିବ ମୋତେ ଜଣ ନାହିଁ। କିନ୍ତୁ ଏ କ୍ଷେତ୍ରରେ ଆମକୁ କାମ କରିବାର ଅଛି। ଚେସ୍ ଅଲିମ୍ପିଆଡରେ ୧୮୦ରୁ ଊର୍ଧ୍ବ ଦେଶ ଭାଗ ନେଉଛନ୍ତି। ଫୁଟବଲ୍ ପରେ ଏହା ଦ୍ବିତୀୟ ସର୍ବାଧିିକ ଦେଶର ଅଂଶଗ୍ରହଣ ହେ‌ାଇଥିବ। ଅଲିମ୍ପିକ୍ସରେ ସାମିଲ ହେଲେ ସୁନ୍ଦର ହୁଅନ୍ତା’’ ବୋଲି କହିଥିଲେ ଗ୍ରାଣ୍ଡମାଷ୍ଟର ଶ୍ରୀନାଥ ନାରାୟଣନ। ସମାନ ମତ ଦେଇଥିଲେ ଯୁବ ତାରକା ଅରବିନ୍ଦ ଚିଦାମ୍ବରମ। ଅଲିମ୍ପିକ୍ସରେ ଚେସ୍ ସାମିଲ କରାଯିବା ଉଚିତ। ମାତ୍ର ଏ କ୍ଷେତ୍ରରେ ଉଦ୍ୟମ ହେବା ଉଚିତ୍ ବୋଲି କହିଥିଲେ ଚିଦାମ୍ବରମ। ଆମେ ଚୀନ୍‌ ବିପକ୍ଷରେ ଭଲ ଭାବରେ ଜିତିଥିବାରୁ ଖୁସୀ ବୋଲି ପ୍ରକାଶ କରିଥ‌ିଲେ ଏହି ତାମିଲ ତାରକା।
ଭାରତ ଚାପରେ ଥିଲା
ଚୀନ୍‌ ବିପକ୍ଷରେ ଭାରତର ସ୍ମରଣୀୟ ବିଜୟ କାରଣରୁ ଖୁସୀ ହୋଇଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ଶେଖର ଚନ୍ଦ୍ର ସାହୁ। ଭାରତୀୟ ଖେଳାଳିଙ୍କ ସ୍ଥିର ଓ ସାହସିକ‌ ଖେଳ ଯୋଗୁଁ ଏହା ସମ୍ଭବ ହେଲା ବୋଲି ସେ କହିଛନ୍ତି। ଚୀନ୍‌ ଦଳ ଶକ୍ତିଶାଳୀ ଥିବାରୁ ଆମ ଉପରେ ଚାପ ରହିଥିଲା। ମୁଁ ‌କିନ୍ତୁ ଖେଳାଳିଙ୍କୁ ପ୍ରବର୍ତାଇଥିଲି ଏବଂ ନିଜ ସ୍ବାଭାବିକ ଖେଳକୁ ମୁକ୍ତଭାବେ ଖେଳିବାକୁ କହିଥିଲି। ବିଜୟ ପରାଜୟ ପ୍ରତି ଧ୍ୟାନ ନ ଦେବା ଏବଂ ଚାପ‌କୁ ନିମନ୍ତ୍ରଣ ନ କରିବା ଲାଗି ପରାମର୍ଶ ଦେଇଥିଲି। ଶେଷ ମିନିଟ୍ ପର୍ଯ୍ୟନ୍ତ ଆମେ ସ୍ଥିରଭାବେ ଖେଳିଥିଲୁ। ଗତ ବାଟୁମି ଅଲିମ୍ପିଆଡରେ ବିଶ୍ବନାଥନ ଆନନ୍ଦ ଓ ପି ହରିକୃଷ୍ଣାଙ୍କ ସହ ମିଶିବା ପରେ ପାଇଥିବା ଅଭିଜ୍ଞତା କାରଣରୁ ଶ୍ରୀନାଥ ନାରାୟଣନ ଚମତ୍କାର ଖେଳିଥିଲେ। ୧୨ ବର୍ଷରେ ଜାତୀୟ କନିଷ୍ଠ ବିଜେତା ହେ‌ାଇଥିବା ଅରବିନ୍ଦ ଚିଦାମ୍ବରମ ମଧ୍ୟ ନିଜ ଦକ୍ଷତାର ଭରପୁର ପ୍ରଦର୍ଶନ କରିଥିଲେ ବୋଲି କହିଥିଲେ ୧୯୯୨ ମସିହାରେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର ବନିଥିବା ଶ୍ରୀ ସାହୁ। ଭାରତ ଓ ଚୀନ୍‌ ମଧ୍ୟରେ ଚେସ୍ ସାମର୍ଥ୍ୟ ଓ ବଂଧୁତା ବଢ଼ାଇବା ପାଇଁ ଏଭଳି ଦ୍ବିପାକ୍ଷିକ ଚେସ୍ ସମ୍ମିଳନୀ ୨୦୧୫ ମସିହାରୁ ଆୟୋଜିତ ହୋଇ ଆସୁଛି‌ ବୋଲି କହିଥିଲେ ଶ୍ରୀ ସାହୁ।

ସମ୍ବନ୍ଧିତ ଖବର