ରାହାଣେ, ଋଷବ ବିପଦରୁ ବଞ୍ଚାଇଲେ

ୱେଷ୍ଟଇଣ୍ଡିଜ୍‌ର ୩୧୧ ଜବାବରେ ଭାରତ ୩୦୮/୪10

ହାଇଦ୍ରାବାଦ: ପ୍ରଥମ ଥର ପାଇଁ ଚଳିତ ଗସ୍ତରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଭାରତ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ସକାଳେ ଉମେଶ ଯାଦବ, ପୃଥ୍ବୀ ସ’ ଏବଂ ଅପରାହ୍ଣରେ ଅଜିଙ୍କ୍ୟ ରାହ‌ାଣେ ଓ ଋଷବ ପନ୍ତ ଭାରତକୁ ବିପଦରୁ ବାହାର କରିନେଇଛନ୍ତି। ଘରୋଇ ଭାରତୀୟ ଦଳ ମଧ୍ୟ ଏବେ ବଡ଼ ଅଗ୍ରଣୀ ପାଇଁ ଦୃଢ ମୂଳଦୁଆ ପକାଇ ନେଇଛି। ହାତରେ ୬ ୱିକେଟ୍ ଥାଇ ଭାରତ ପ୍ରଥମ ପାଳିରେ ମାତ୍ର ୩ ରନ୍ ପଛରେ ରହିଛି। ଶନିବାର ସକାଳେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିକୁ ୨୯୫/୭ରୁ‌ ଖେଳିଥିଲେ ମଧ୍ୟ ବିଶେଷ ଆଗକୁ ବଢ଼ି ନ ପାରି ୩୧୧ ରନ୍‌ରେ ସୀମିତ ରହିଯାଇଥିଲା। ସକାଳର ସମସ୍ତ ୩ ୱିକେଟ୍‌ ନେଇ ଉମେଶ ଯାଦବ ନିଜ ଖେଳ ଜୀବନର ଦ୍ବିତୀୟ ୫ ୱିକେଟ୍ ସଫଳତା ତଥା ଶ୍ରେଷ୍ଠ ବୋଲିଂ ଚିତ୍ର (୨୬.୪-୩-୮୮-୬) ପାଇଥିଲେ। ସକାଳର ପ୍ରଥମ ଓଭର‌ରେ ଦେବେନ୍ଦ୍ର ବିଶୁଙ୍କୁ ବୋଲଡ୍ କରି ଦେବା ପରେ ୧୦୨ତମ ଓଭରରେ ଲଗାତାର ବଲରେ ରସ୍ତନ୍ ଚେଜ୍ (୧୦୬, ୧୮୯ ବଲ, ୮ ଚୌକା, ୧‌ ଛକା) ଓ ସାନନ୍ ଗାବ୍ରିଏଲଙ୍କୁ ପ୍ୟାଭିଲିଅନ୍ ପଠାଇ ଇଣ୍ଡିଜ୍ ପାଳିରେ ଶେଷ ରେଖା ଟାଣିଥିଲେ। ଏଥି ସହ ମଧ୍ୟ ଉମେଶ ହ୍ୟାଟ୍ରିକ୍ ଅପେ‌କ୍ଷାରେ ରହିଛନ୍ତି। ଇଣ୍ଡିଜ୍ ବିପକ୍ଷରେ ମଧ୍ୟ ୧୯୯୯ ମସିହା ପରେ ପ୍ରଥମ ଭାରତୀୟ ଭାବେ ୬ ୱିକେଟ୍ ନେଇଛନ୍ତି ଉମେଶ। ଅନ୍ୟପକ୍ଷରେ ଇଣ୍ଡିଜ ପାଳି ଶେଷ ହେବା ପୂର୍ବରୁ କିନ୍ତୁ ରସ୍ତନ ଚେଜ୍ ଦେଶ ବାହାରେ ନିଜର ପ୍ରଥମ ଏବଂ ଭାରତ ବିପକ୍ଷରେ ଦ୍ବିତୀୟ ଶତକ ପୂର୍ଣ୍ଣ କରି ନେଇଥିଲେ। ଏହା ତାଙ୍କ ଚତୁର୍ଥ ଟେଷ୍ଟ ଶତକ। ଜବାବରେ ରାଜକୋଟ ଭଳି ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଧ୍ୟ ଲୋକେଶ ରାହୁଲ ବିଫଳ ହୋଇଥିଲେ। ମାତ୍ର ୪ ରନ୍ କରି ସେ ଅଧିନାୟକ ଜାସନ୍ ହୋଲଡରଙ୍କ ଦ୍ବାରା ବୋଲଡ ହୋଇଯାଇଥିଲେ। ସେତେବେଳକୁ କିନ୍ତୁ ଦଳୀୟ ସ୍କୋର ୬୧ ଛୁଇଁ ସାରିଥିଲା। କାରଣ ଅପରପାର୍ଶ୍ବରେ ପୃଥ୍ବୀ ସ’ ବିସ୍ଫୋରକ ବ୍ୟାଟିଂ କରୁଥିଲେ। ସେହିଭଳି ଚେତେଶ୍ବର ପୂଜାରା (୧୦, ୪୧ ବଲ) ଢ଼େର ସମୟ ରହିଥିଲେ ମଧ୍ୟ ପୃଥ୍ବୀଙ୍କ ସହ ହୋଇଥିବା ୩୭ ରନ୍ ଭାଗୀଦାରିରେ ବଡ଼ ଭାଗ ପକାଇନଥିଲେ। ପୃଥ୍ବୀ ସ’ (୭୦, ୫୩ ବଲ, ୧୧ ଚୌକା, ୧ ଛକା) ଏବଂ ପୂଜାରା (୧୦) ଲଗାତାର ଓଭରରେ ଆଉଟ୍‌ ହୋଇଯିବାରୁ ଭାରତ ୧୦୨/୩ରେ ପହଞ୍ଚିଥିଲା। ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଚତୁର୍ଥ ୱିକେଟ୍‌ ପାଇଁ ୬୦ ରନ୍ ଯୋଡ଼ିଥିଲେ। ଚା’ପାନ ବିରତିର କିଛି ସମୟ ପୂର୍ବରୁ କୋହଲି (୪୫, ୭୮ ବଲ, ୫ ଚୌକା) କିନ୍ତୁ ଜାସନ ହୋଲ୍‌ଡରଙ୍କ ଦ୍ବିତୀୟ ଶିକାର ହୋଇ ଫେରିଯାଇଥିଲେ। ଅପରାହ୍ନ ଅଧିବେସନରେ କିନ୍ତୁ ଅଜିଙ୍କ୍ୟ ରାହାଣେ (୭୫, ୧୭୪ ବଲ, ୬ ଚୌକା) ଏବଂ ଋଷବ ପନ୍ତ (୮୫*, ୧୨୦ ବଲ, ୧୦ ଚୌକା, ୨ ଛକା) ଅତୁଟ ପଞ୍ଚମ ୱିକେଟ୍‌ ପାଇଁ ୧୪୬* ରନ୍ ଯୋଡ଼ି ଇଣ୍ଡିଜ ବୋଲରଙ୍କୁ ନିରାଶ କରିବା ସହିତ ଭାରତକୁ ବଡ଼ ଅଗ୍ରଣୀର ସୁଯୋଗ ଦେଇଛନ୍ତି। ଉଭୟେ ବ୍ୟକ୍ତିଗତ ଭାବେ ମଧ୍ୟ ନିଜ ନିଜ ଶତକ ଆଡକୁ ଅଗ୍ରସର ହୋଇଛନ୍ତି।

ମିସ୍‌ବାଙ୍କୁ କାଟିଲେ କୋହଲି
ଅର୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ କୋହଲି (୪୫) ବ୍ୟକ୍ତିଗତ ଭାବେ ୨୭ ରନ୍‌ରେ ଥିବାବେଳେ ଏସୀୟ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ରନ୍ କରିଥିଲେ। ଏ କ୍ଷେତ୍ରରେ‌ ସେ‌ ପାକିସ୍ତାନର ମିସ୍‌ବା ଉଲ ହକ୍‌ଙ୍କୁ କାଟିଥିଲେ। ଅଧିନାୟକ ଭାବେ ମିସବା ୫୬ ମ୍ୟାଚ୍‌ରୁ ୪୨୧୪ ରନ୍ କରିଛନ୍ତି। ହେଲେ ୨୯ ବର୍ଷୀୟ କୋହଲି ୪୨ ମ୍ୟାଚ୍‌ରୁ ୬୫.୧୨ ହାରରେ ୪୨୩୩ ରନ୍ କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି (୩୪୫୪, ୬୦ ମ୍ୟାଚ୍‌), ସୁନୀଲ ଗାଭାସ୍କର (୩୪୪୯, ୪୭ ମ୍ୟାଚ୍‌) ପଛକୁ ପଛ ରହିଛନ୍ତି। ମୋଟ ଉପରେ ଗ୍ରେମ ସ୍ମିଥ (୮୬୫୯), ଆଲାନ ବର୍ଡର (୬୬୨୩) ଏବଂ ରିକି ପଣ୍ଟିଂ (୬୫୪୨) ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର