ଭାରତ ଏ’-ଇ˚ଲଣ୍ତ ଲାୟନ୍ସ ମ୍ୟାଚ୍‌ ପରିଚାଳନା ଦାୟିତ୍ବରେ ପ୍ରଶାନ୍ତ

କଟକ: ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳି ତଥା ବିସିସିଆଇ ପ୍ୟାନେଲ୍‌ ରେଫରି ପ୍ରଶାନ୍ତ ମହାପାତ୍ର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବତୀର୍ଣ୍ଣ ହୋଇଛନ୍ତି। ବୁଧବାରଠୁ ମହୀଶୂରରେ ଭାରତ ଏ’ ଓ ଇ˚ଲଣ୍ତ ଲାୟନ୍ସ ମଧ୍ୟରେ ଆରମ୍ଭ ହୋଇଥିବା ୪ ଦିନିଆ ମ୍ୟାଚ୍‌ରେ ସେ ମୁଖ୍ୟ ରେଫରି ଭାବେ ମ୍ୟାଚ୍‌ ପରିଚାଳନା କରୁଛନ୍ତି। ପୂର୍ବରୁ କେବଳ ବିସିସିଆଇର ଘରୋଇ ପ୍ରତିଯୋଗିତାଗୁଡ଼ିକରେ ରେଫରି ଭାବେ କାର୍ଯ୍ୟ କରିଥିଲା ବେଳେ ଏବେ ପ୍ରଥମ ଥର ପାଇଁ କୌଣସି ଆନ୍ତର୍ଜାତିକ ସ୍ତରର କ୍ରିକେଟର ପରିଚାଳନା ଭାର ପାଇଛନ୍ତି। ଏହାକୁ ମିଶାଇ ସେ ମୋଟ ୪୫ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପରିଚାଳନା କରିଛନ୍ତି। ପ୍ରଶାନ୍ତ ଖେଳ ଜୀବନରେ ୪୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲା ବେଳେ ୨୧୯୬ ରନ୍‌ କରିଛନ୍ତି। ଏଥିମଧ୍ୟରେ ୧୫୭* ତାଙ୍କର ସର୍ବାଧିକ ସ୍କୋର ରହିଛି। ଅନ୍ୟପକ୍ଷରେ ୧୭ ଲିଷ୍ଟ ଏ’ରୁ ୨୬୧ ରନ୍‌ କରିବାକୁ ସେ ସକ୍ଷମ ହୋଇଛନ୍ତି। ୨୦୦୨-୦୩ ଋତୁରେ ସେ ଶେଷଥର ପାଇଁ କ୍ରିକେଟ ଖେଳୁଥିଲା ବେଳେ ୨୦୦୮-୦୯ରେ ବସିସିଆଇ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥି ସହିତ ପ୍ରଶାନ୍ତ ଜାତୀୟ କ୍ରିକେଟ୍‌ ଏକାଡେମିର ଲେଭଲ-୨ ପ୍ରଶିକ୍ଷକ ପାଠ୍ୟକ୍ରମକୁ ମଧ୍ୟ ସଫଳତା ସହ ପାସ୍‌ କରିଛନ୍ତି। ଓଡ଼ିଶାରୁ ବର୍ତ୍ତମାନ ପ୍ରଶାନ୍ତଙ୍କ ସହ ସ˚ଜୟ ରାଉଳ, ପି ଜୟଚନ୍ଦ୍ର ବିସିସିଆଇ ପ୍ୟାନେଲ ରେଫରି ଭାବେ କାର୍ଯ୍ୟ କରୁଛନ୍ତି।

ଈଶ୍ବରନ୍‌ଙ୍କ ଶତକ: ଭାରତ-ଏ’ ୨୮୨/୩
ମହୀଶୁର: ସ୍ଥାନୀୟ ଶ୍ରୀକାନ୍ତଦତ୍ତ ନରସିଂହା ରାଜା ୱାଦେୟାର ପଡ଼ିଆରେ ଆରମ୍ଭ ହୋଇଛି ଭାରତ-ଏ ଓ ଇଂଲଣ୍ଡ ଲାୟନ୍‌ସ ମଧ୍ୟରେ ଦ୍ବିତୀୟ ତଥା ଶେଷ ୪ ଦିନିଆ ଟେଷ୍ଟ୍‌। ଭାରତୀୟ ଦିନିକିଆ ଦଳର ପ୍ରା‌ରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ (୮୧) ଓ ପ୍ରିୟଙ୍କ ପାଞ୍ଚଲ୍‌ (୫୦)ଙ୍କ ଅର୍ଧଶତକ ସାଙ୍ଗକୁ ଅଭିମନ୍ୟୁ ଈଶ୍ବରନ୍‌ (୧୧୭)ଙ୍କ ଚିତାକର୍ଷକ ଶତକ ବଳରେ ଘରୋଇ ଦଳ ପ୍ରଥମ ଦିବସରେ ୨୮୨/୩ରେ ସ୍ଥିତି ଦୃଢ଼ କରିନେଇଛି। ଏହି ମ୍ୟାଚ୍‌ରେ ନେତୃତ୍ବ ନେଉଥିବା ରାହୁଲ୍‌ ୧୧ ଚୌକା ଜରିଆରେ ୧୬୬ ବଲ୍‌ରୁ ୮୧ ରନ୍‌ କରିଥିଲା ବେଳେ ପ୍ରଥମ ୱିକେଟ୍‌ରେ ଈଶ୍ବରନ୍‌ଙ୍କ ସହ ୧୭୯ ରନ୍ ଯୋଡ଼ି ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ରାହୁଲ୍‌ଙ୍କ ଆଉଟ୍‌ ପରେ ପାଞ୍ଚଲ୍‌ଙ୍କୁ ସାଥୀ କରି ଈଶ୍ବରନ୍‌ ଦ୍ବିତୀୟ ୱି‌କେଟ୍‌ରେ ୭୩ ରନ୍ ଯୋଡ଼ି ଅତିଥି ଦଳର ବୋଲରମାନଙ୍କୁ ନିରାଶ କରିଥିଲେ। ୮୪.୫ ଓଭରରେ ପାଞ୍ଚଲ୍‌ ଆଉଟ୍‌ ହୋଇଯିବା କ୍ଷଣି ଷ୍ଟମ୍ପ୍‌ସ ପ୍ରତ୍ୟାହାର ହୋଇଥିଲା। ସେତେବେଳକୁ କରୁଣ ନାୟାର ୧୪ ରନ୍‌ରେ ଅପରାଜିତ ରହିଛନ୍ତି। ଅତିଥି ଦଳ ପକ୍ଷରୁ ବେଲି, ଚାପେଲ୍‌ ଓ ବେସ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଛନ୍ତି। ପୂର୍ବରୁ ଉଭୟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ଅମିମାଂସିତ ରହିଥିଲା।

ସମ୍ବନ୍ଧିତ ଖବର