‘ଭାରତ ପୁଣି ଜିତିବ’ ୪ ନମ୍ବରରେ କାର୍ତ୍ତିକଙ୍କ ସପକ୍ଷରେ ଓଡ଼ିଶା ଖେଳାଳି

‘ପାଗ ଅନୁସାରେ ସାମିଙ୍କୁ ସୁଯୋଗ ଦିଆଯାଉ’

କଟକ\ (ଦୀପ୍ତିରଞ୍ଜନ ସାମଲ): ଆଉ କିଛି ଘଣ୍ଟାର ଅପେକ୍ଷା। ମାଞ୍ଚେଷ୍ଟରରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁପ୍ରତିକ୍ଷୀତ ଲଢେଇ ହେବ। ଭାରତୀୟ ଏକାଦଶରେ ଧାଵନଙ୍କ ଅନୁପସ୍ଥିତିକୁ ରାହୁଲ ପୂରଣ କରିବେ। କିନ୍ତୁ ଚତୁର୍ଥ ସ୍ଥାନରେ ଦିନେଶ କାର୍ତ୍ତିକ ନା ବିଜୟ ଶଙ୍କର କିଏ ଖେଳିବ ତାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅଭିଜ୍ଞତା ଦୃଷ୍ଟିରୁ କେତେକ କାର୍ତ୍ତିକଙ୍କ ସପକ୍ଷରେ ଯାଉଥିବାବେଳେ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବାର ଏହା ଠିକ୍‌ ସମୟ ବୋଲି ଆଉ କିଛି ମତ ଦେଉଛନ୍ତି। ତେଣୁ ଏହି ମ୍ୟାଚକୁ ନେଇ ଓଡ଼ିଶା କ୍ରିକେଟର ମାନେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଛନ୍ତି।

ଭାରତ ବଡ ବ୍ୟବଧାନରେ ଜିତିବ
ପୂର୍ବରୁ ଇ˚ଲଣ୍ତକୁ ପାକିସ୍ତାନ ହରାଇଛି। ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାରତକୁ ହରାଇ ସାରିଛି। ତେଣୁ ଏହି ଦଳର ମନୋବଳ ଅଲଗା ପ୍ରକାର ରହିବ। କିନ୍ତୁ ଭାରତୀୟ ଖେଳାଳିଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ରବିବାର ଭଲ ସ˚ଘର୍ଷ ଦେଖିବାକୁ ମିଳିବ। ଆମେ ଭଲ ବ୍ୟବଧାନରେ ଜିତିବୁ। ସବୁ କ୍ଷେତ୍ରରେ ଆମେ ଭଲ କରିଆସିଛୁ, ଏଥର ମଧ୍ୟ ଭଲ କରିବୁ। ଦକ୍ଷିଣ ଆଫ୍ରିକା ସହ ଧୀମା ଆରମ୍ଭ ହୋଇଥିଲା, ଅଷ୍ଟ୍ରେଲିଆ ସହିତ ମିଳିତ ଉଦ୍ୟମ ଯୋଗୁଁ ଆମେ ଜିତିଲୁ। ତେଣୁ ଖେଳାଳିମାନଙ୍କର ମ୍ୟାଚ ବିଜୟୀ ହେବାର ଭୋକ ସବୁବେଳେ ରହୁଛି। ନ୍ୟୁଜିଲାଣ୍ତ ମ୍ୟାଚ ବାତିଲ ହେବାରୁ ଭାରତୀୟ ଖେଳାଳିଙ୍କ ଭୋକ ବଢିଯାଇଛି। ପାକିସ୍ତାନକୁ ହରାଇଲେ ଭୋକ ମେଣ୍ଟିଯିବ। ହେଲେ ବର୍ଷା ଯୋଗୁଁ ମ୍ୟାଚ ଫିକା ପଡିଯାଉଛି। ଆଶା କରୁଛି ରବିବାର ଭଲ ମ୍ୟାଚ ହେବ। ଭାରତୀୟ ଦଳ ସହିତ ଆମର ସମର୍ଥନ ସବୁବେଳେ ରହିବ। ଆମେ ମଧ୍ୟ ମ୍ୟାଚକୁ ଭଲରେ ଉପଭୋଗ କରିବୁ।
-ଗୋବିନ୍ଦ ପୋଦ୍ଦାର, ଓଡ଼ିଶା ରଣଜୀ ଅଧିନାୟକ

ଅଭିଜ୍ଞତା ଯୋଗୁଁ କାର୍ତ୍ତିକ ଖେଳନ୍ତୁ
ରବିବାରର ମ୍ୟାଚ ପାଇଁ ପାଗ ବହୁତ ଗୁରୁତ୍ବପୂର୍ଣ୍ଣ। ତଥାପି ଖେଳ ହେଲେ ଭାରତ ନିଶ୍ଚୟ ଜିତିବ। ବିଶ୍ବକପ୍‌ରେ ଭାରତ ସବୁବେଳେ ଜିତି ଆସୁଥିବାରୁ ଏଥର ମଧ୍ୟ ପାକିସ୍ତାନକୁ ହରାଇବ। ଯଦି ଭାରତ ବୋଲି˚ ଆରମ୍ଭ କରିବ ତାହାଲେ ଦଳ ପାଇଁ ବହୁତ ଭଲ ଓ ଜିତିବା ସମ୍ଭାବନା ବଢିଯିବ। ମେଘୁଆ ପାଗରେ ଅତିରିକ୍ତ ଦ୍ରୁତ ବୋଲରଙ୍କଠୁ ଦଳ ଫାଇଦା ପାଇବ। ପାକିସ୍ତାନ ଯଦି ବୋଲି˚ ଆରମ୍ଭ କରେ, ତାହେଲେ ଅଷ୍ଟ୍ରେଲିଆ ମ୍ୟାଚ ଭଳି ଆରମ୍ଭରୁ ଦୁଇଟି ପାଵାରପ୍ଲେରେ ଵିକେଟ ବଞ୍ଚାଇବାକୁ ହେବ। ଧାଵନଙ୍କ ଅନୁପସ୍ଥିତିରେ ରାହୁଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଚତୁର୍ଥ ସ୍ଥାନରେ କାର୍ତ୍ତିକଙ୍କୁ ସୁଯୋଗ ଦେଲେ ବ୍ୟାଟି˚ କ୍ରମ ଅଧିକ ମଜବୁତ ରହିବ। ତାଙ୍କ ପାଖରେ ଅଭିଜ୍ଞତା ଅଛି, ତେଣୁ ଚାପ ସମୟରେ ସେ ଦଳକୁ ଉଦ୍ଧାର କରିପାରିବେ।
-ଅରବିନ୍ଦ ସି˚ହ, କ୍ରିକେଟ ଖେଳାଳି

ଵାହାବ, ଆମିରଙ୍କୁ ସମ୍ଭାଳିନେଲେ ବଡ‌ ସ୍କୋର୍‌ ହେବ
ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ସବୁବେଳେ ସ˚ଘର୍ଷ ପୂର୍ଣ୍ଣ ହୋଇଥାଏ। ରବିବାର ବି ଭଲ ମ୍ୟାଚ ହେବ। ବିଶ୍ବକପ୍‌ରେ ସବୁବେଳେ ପାକିସ୍ତାନଠୁ ଭାରତ ଜିତିଆସିଛି। ପଛର କିଛି ମ୍ୟାଚକୁ ଛାଡ଼ିଦେଲେ ପାକିସ୍ତାନ ଅପେକ୍ଷା ଭାରତ ଅଧିକ ଶକ୍ତିଶାାଳୀ। ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ଅଧିକ ଅଛି। ସମସ୍ତେ ଭଲ ଫର୍ମରେ ଅଛନ୍ତି। ବିଶ୍ବକପ୍‌ରେ ବିଜୟ ଶଙ୍କର ନୂଆ ଖେଳାଳି। ତାଙ୍କ ଅପେକ୍ଷା ଦୀନେଶ କାର୍ତ୍ତିକଙ୍କ ଅଭିଜ୍ଞତା ଅଧିକ ରହିଛି। ତେଣୁ ମ୍ୟାଚରେ କାର୍ତ୍ତିକଙ୍କୁ ସୁଯୋଗ ଦିଆଯିବା ଦରକାର। ପାକିସ୍ତାନର ଵାହାବ ରିଆଜ, ମହମ୍ମଦ ଆମିରଙ୍କ ଦ୍ରୁତ ବୋଲି˚କୁ ଆରମ୍ଭରୁ ସମ୍ଭାଳିଗଲେ ଆମେ ବଡ ରନ୍‌ ଛିଡା କରିପାରିବୁ। ଅଷ୍ଟ୍ରେଲିଆ ସହିତ ଯେମିତି ରଣନୀତି ଥିଲା, ସେହିଭଳି ଏହି ମ୍ୟାଚରେ ମଧ୍ୟ ଵିକେଟ ରଖିପାରିଲେ ବଡ଼ ସ୍କୋର ହୋଇପାରିବ। ତଥାପି ୩୫୦ ରନ୍‌ ସ˚ଗ୍ରହ ହେଲେ ମ୍ୟାଚରେ ଭାରତର ଦବ୍‌ଦବା ରହିବ।
-ମାଧୁରୀ ମେହେଟ୍ଟା, ମହିଳା କ୍ରିକେଟର

ପାକିସ୍ତାନକୁ ହରାଇବା ଦକ୍ଷତା ଅଛି
ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ୬ଥର ଜିତିଛି। ଏଥର ମଧ୍ୟ ଆମେ ଜିତିବୁ। ପାକିସ୍ତାନକୁ ହରାଇବା ପାଇଁ ସବୁ ଦକ୍ଷତା ଭାରତୀୟ ଖେଳାଳିଙ୍କ ପାଖରେ ରହିଛି। ତଥାପି ଏହି ମ୍ୟାଚରେ ଧାଵନଙ୍କୁ ମିସ୍‌ କରିବୁ। ପ୍ରାରମ୍ଭିକ ଯୋଡିରେ ରୋହିତ ଶର୍ମାଙ୍କ ସହିତ କେଏଲ୍‌ ରାହୁଲ ଭଲ ବିକଳ୍ପ। ଚତୁର୍ଥ ସ୍ଥାନରେ ଦୀନେଶ କାର୍ତ୍ତିକ ଅଧିକ ପସନ୍ଦର ଖେଳାଳି। ପାକିସ୍ତାନର ଉନ୍ନତ ପେସ୍‌ ଆକ୍ରମଣକାରୀ ବୋଲର ଅଛନ୍ତି। କାର୍ତ୍ତିକ ଦ୍ରୁତ ବଲ୍‌କୁ ଭଲ ବ୍ୟାଟି˚ କରନ୍ତି। ତେଣୁ ବିଜୟ ଶଙ୍କରଙ୍କ ସ୍ଥାନରେ ସେ ମ୍ୟାଚରେ ଖେଳିବା ଉଚିତ୍‌। ପାଗ ଅନୁଯାୟୀ ତୃତୀୟ ଦ୍ରୁତ ବୋଲର ମ୍ୟାଚରେ ଅଧିକ ସହାୟକ ହେବ। ସେଥିପାଇଁ ମହମ୍ମଦ ସାମିଙ୍କୁ ଦଳରେ ନିଆଯିବ। ପାକିସ୍ତାନର ଵାହାବ, ଆମିର ବୋଲି˚କୁ ସାମ୍ନା କରିଦେଲେ ଆମେ ଫାଇଦାରେ ରହିବା। ଅନ୍ୟପକ୍ଷରେ ବାବର ଆଜମ, ଇମାମ ଉଲ ହକ୍‌, ଫକର ଜମାନ, ସର୍ଫରାଜ ଅହମ୍ମଦ, ମହମ୍ମଦ ହାଫିଜ୍‌ ହେଉଛନ୍ତି ପାକିସ୍ତାନର ବ୍ୟାଟି˚ ଶକ୍ତି। ତେଣୁ ଏମାନଙ୍କୁ ଶୀଘ୍ର ଆଉଟ କରିବାକୁ ହେବ।
-କାମେଶ୍ବର ବାରିକ, ଓଡ଼ିଶା କ୍ରିକେଟର

ରାହୁଲଙ୍କଠୁ ବଡ଼ ଆଶା
ଭାରତର ବ୍ୟାଟି˚ କ୍ରମ ବିଶ୍ବରେ ୧ନମ୍ବର। ତେଣୁ ପାକିସ୍ତନ ବିପକ୍ଷ ମ୍ୟାଚକୁ ନେଇ ଅଧିକ ଚିନ୍ତିତ ହେବା ଆବଶ୍ୟକ ନାହିଁ। ଭାରତ ନିଶ୍ଚିତ ବିଜୟୀ ହେବ। ବୋଲି˚ ଲାଇନ୍‌ ପ୍ରାୟତଃ ସମାନ ରହିବ। ତଥାପି ପାଗକୁ ଦେଖି ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ। ଚହଲ ବିଶେଷଜ୍ଞ ସ୍ପିନର ରହିବେ। ଆବଶ୍ୟକ ହେଲେ କେଦାର ଯାଦବ ସ୍ପିନ୍‌ ବୋଲି˚ କରିପାରିବେ। ପାକିସ୍ତାନ ତାହା ଦଳରେ କୌଣସି ପାରିବର୍ତ୍ତନ କରିନପାରେ। ପ୍ରଥମରୁ ୧୦ରୁ ୨୦ ଓଭର ଜଗି ରଖି ଖେଳିଲେ ଭଲ ରନ୍‌ ହେବ। ଆମେ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମ୍ନା କରିପାରିଛେ, ତେଣୁ ପାକିସ୍ତାନକୁ ସାମ୍ନା କରିବାରେ କୌଣସି ସମସ୍ୟା ରହିବନି। ଏହି ମ୍ୟାଚରେ ରାହୁଲ ପାଳି ଆରମ୍ଭ କରିବାକୁ ଯାଉଥିବାରୁ ତାଙ୍କଠୁ ବଡ଼ ରନ୍‌ ବାହାରିବା ଅଶା ରହିବ। ମୂଳଦୁଆ ମଜବୁତ ହେଲେ ଆମେ ୩୫୦ରୁ ଅଧିକ ରନ୍‌ ସ˚ଗ୍ରହ କରିପାରିବା।
-ସୂର୍ଯ୍ୟକାନ୍ତ ପ୍ରଧାନ, ରଣଜୀ ଦ୍ରୁତ ବୋଲର

ସମ୍ବନ୍ଧିତ ଖବର