ଭାରତୀୟ ଦୌଡ଼କୁଦ ଋତୁ ୬ ମାସ ବନ୍ଦ ରହିବ

ନୂଆଦିଲ୍ଲୀ: ମହାମାରୀ କରୋନା ଲାଗି ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ସହ କିଛି ଖେଳର ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ସ୍ଥଗିତ ହୋଇଯାଇଛି। କରୋନାର ପ୍ରଭାବ ମଧ୍ୟ ଭାରତୀୟ କ୍ରୀଡ଼ା ଉପରେ ପଡ଼ିଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗ୍ରାଁ ପ୍ରି ସିରିଜ ସହ ଏପ୍ରିଲରେ ହେବାକୁଥିବା ଫେଡେରେସନ୍‌ କପ୍‌କୁ ବାତିଲ କରି ଦେଇଛି। ଏବେ ଘରୋଇ ଦୌଡ଼କୁଦ ଋତୁକୁ ୬ ମାସ ଘୁଞ୍ଚାଇ ହେବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଆସନ୍ତା ୬ ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଘରୋଇ ଦୌଡ଼କୁଦ ପ୍ରତିଯୋଗିତା ବନ୍ଦ ରହିବ। ଏସବୁ ଆଖି ଆଗରେ ରଖି ଏଏଫ୍‌ଆଇ ମଧ୍ୟ ନୂଆ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ କରିବ। ସାଧାରଣତଃ ଘରୋଇ ଋତୁ ସେପ୍ଟେମ୍ବରରେ ଆରମ୍ଭ ହୋଇଥାଏ, କିନ୍ତୁ ଏବେ ଏହା ଅକ୍ଟୋବରକୁ ଘୁଞ୍ଚିବାର ସମ୍ଭାବନା ରହିଛି ବୋଲି ଭାରତୀୟ ଦୌଡ଼କୁଦ ହାଇପରଫର୍ମାନ୍ସ କେନ୍ଦ୍ର ନିର୍ଦେଶକ ଭୋଲକର ହର୍ମାନ ପ୍ରକାଶ କରିଛନ୍ତି। ସାରା ଦେଶରେ ଲକ୍‌ଡାଉନ୍‌ ପାଇଁ ଯେପରି ପରିସ୍ଥିତି ରହିଛି ପେସାଗତ ଖେଳାଳିମାନେ ନିଜର ଫିଟ୍‌ନେସ୍‌ ବଜାୟ ରଖିବା ସମ୍ଭବ ନୁହେଁ। ପୂର୍ବ ଅବସ୍ଥାକୁ ଫେରିବାକୁ ସେମାନଙ୍କୁ ୨-୩ ମାସ ଲାଗିଯିବ। ହେଲେ ପ୍ରମୁଖ ଖେଳାଳିମାନଙ୍କ ଉପରେ ଏହାର ପ୍ରଭାବ କମ୍‌ ପଡ଼ିବ। କାରଣ ସେମାନେ ଏବେ ଅଭ୍ୟାସରେ ଅଛନ୍ତି। ବିଶେଷ କରି ଏହାର ପ୍ରଭାବ ରାଜ୍ୟ ଓ ଜିଲ୍ଲାସ୍ତରରେ ବେଶି ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର