ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି: ମୁମ୍ବାଇରୁ ମହାଲଢ଼େଇ

ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ପ୍ରତୀକ୍ଷିତ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ମଙ୍ଗଳବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରୁ ମଧ୍ୟ ଭାରତ ଚଳିତବର୍ଷର ୫୦ ଓଭରିଆ ଅଭିଯାନ ଆରମ୍ଭ କରିବ। ଭାରତ ୨୦୨୦ର ପ୍ରଥମ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଛି। ହେଲେ ଏହା ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଥିଲା। ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ କୋହଲି ବାହିନୀର ଅସଲ ପରୀକ୍ଷା ହେବାକୁ ଯାଉଛି। ଗତବର୍ଷ ପ୍ରାରମ୍ଭରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ପାଞ୍ଚଟିକିଆ ଶୃଙ୍ଖଳାରେ ୩-୨ରେ ବିଜୟୀ ହୋଇଥିଲା। ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଶେଷ ତିନିଟି ମୁକାବିଲାରେ ଲଗାତାର ବିଜୟ ହାସଲ କରି କଙ୍ଗାରୁ ଦଳ ଶୃଙ୍ଖଳା ବିଜୟର ସ୍ବାଦ ଚାଖିଥିଲା। ଭାରତ ପାଖରେ ଏବେ ସେହି ଅପ୍ରତ୍ୟାଶିତ ପରାଜୟର ପ୍ରତିଶୋଧ ସୁଯୋଗ ରହିଛି। ସେପଟେ ଅଷ୍ଟ୍ରେଲିଆ ବିଜୟୀ ହେଲେ ଭାରତରେ ଲଗାତାର ଶୃଙ୍ଖଳା ବିଜୟର ବିରଳ କୀର୍ତ୍ତିମାନ ହାସଲ କରିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗତ ୬ ବର୍ଷ ମଧ୍ୟରେ ଖେଳା ଯାଇଥିବା ୨୮ ଦିନିକିଆକୁ ବିଚାରକୁ ନେଲେ ପ୍ରଶଂସକ ମଙ୍ଗଳବାର ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତକୁ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦୀର୍ଘ ବ୍ୟବଧାନ ପରେ ମଙ୍ଗଳବାର ଏକଦିବସୀୟ କ୍ରିକେଟ୍‌କୁ ଫେରିବେ। ତା’ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଷ୍ଟିଭେନ୍ ସ୍ମିଥଙ୍କ ମଧ୍ୟରେ ହେବାକୁ ଥିବା ଲଢ଼େଇ ବେଶ୍ ମଜାଦାର ହେବ। ଶ୍ରୀଲଙ୍କା ଶୃଙ୍ଖଳାରେ ବିଶ୍ରାମ ନେବା ପରେ ଉପଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ। ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆସନ୍ତା ୧୭ ତାରିଖରେ ରାଜକୋଟ ଏବଂ ୧୯ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ବିପକ୍ଷରେ ୧୩୭ ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୫୦ ଏବଂ ଅଷ୍ଟ୍ରେଲିଆ ୭୭ ଦିନିକିଆ ଜିତିଛି। ୧୦ ମ୍ୟାଚ୍‌ର ଫଳାଫଳ ମିଳିନି।

କାକର ଚିନ୍ତା, ଓଦା ବଲ୍‌ରେ ଅଭ୍ୟାସ କଲା ଅଷ୍ଟ୍ରେଲିଆ
ମୁମ୍ବାଇରେ ସଂପ୍ରତି ପର୍ଯ୍ୟାପ୍ତ କାକର ପାତ ହେଉଛି। ଭାରତ-ଅଷ୍ଟ୍ରେଲିଆ ଦିବା/ରାତ୍ର ମ୍ୟାଚ୍ ମଧ୍ୟ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ଅଷ୍ଟ୍ରେଲୀୟ ଖେଳାଳିମାନେ ଗତ ଦୁଇ ଦିନ ହେବ ଓଦା ବଲ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। କାକର ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ ବୋଲି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ କହିଛନ୍ତି। ତେବେ ସେ ମଙ୍ଗଳବାର ଚୂଡ଼ାନ୍ତ ଦଳରେ ଖେଳିବାର ସମ୍ଭାବନା କମ୍ ରହିଛି। ଅଷ୍ଟ୍ରେଲିଆ ଜୋସ୍ ହାଜେଲଉଡ୍, ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ।

କୋହଲି ତଳେ ବ୍ୟାଟିଂ କରିପାରନ୍ତି
ଭାରତୀୟ କ୍ରିକେଟ୍ ଦଳ ପାଖରେ ଏବେ ରୋହିତ ଶର୍ମା, ଶିଖର ଧାୱନ ଓ ଲୋକେଶ ରାହୁଲଙ୍କ ରୂପରେ ୩ ଜଣ ବିଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ତେବେ ଏହା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସେ ମଧ୍ୟ ଏହି ତିନି ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବାକୁ ଚାହାନ୍ତି। ସମାଧାନର ସୂତ୍ର ଭାବେ କୋହଲି ନିଜେ ତୃତୀୟ ସ୍ଥାନ ଛାଡ଼ି ତଳେ ବ୍ୟାଟିଂ କରିବାର ସଙ୍କେତ ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ମଙ୍ଗଳବାର ରୋହିତ, ଶିଖର ଏବଂ ରାହୁଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଆମେ କିଭଳି ଦଳ ନେଇ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଛୁ, ତା ଉପରେ ନିର୍ଭର କରେ। ହୁଏତ ମୁଁ ତଳେ ବ୍ୟାଟିଂ କରିପା‌ରେ। ଏଥିରେ ମୋର କୌଣସି ଆପତ୍ତି ନାହିଁ। ମୁଁ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରୁନି। ଯେ କୌଣସି ସ୍ଥାନରେ ବ୍ୟାଟିଂ କରି ପାରିବି ବୋଲି ଭାବୁଛି। ଏଭଳି ହେଲେ ମଧ୍ୟକ୍ରମରେ ଶ୍ରେୟସ୍‌ ଆୟର ଏବଂ ମନୀଷ ପାଣ୍ଡେଙ୍କ ମଧ୍ୟରୁ କେହି ବି ଖେଳି ପାରନ୍ତି। ହେଲେ ଶ୍ରେୟସ୍‌ଙ୍କ ପଲ୍ଲା ନିଶ୍ଚିତ ଭାବେ ଭାରି ରହିବ। ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ସହ ଶାର୍ଦୁଲ ଠାକୁର ଓ ନଭଦୀନ ସୈନିଙ୍କ ମଧ୍ୟରୁ ଜଣେ ଖେଳି ପାରନ୍ତି। ଏମାନଙ୍କ ସହ ରବୀନ୍ଦ୍ର ଜାଦେଜା ଏବଂ ଦୁଇ କଚଟି ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଖେଳି ପାରନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ମିଚେଲ ଷ୍ଟାର୍କ ବଡ଼ ବିପଦ ହୋଇ ପାରନ୍ତି।

ଷଷ୍ଠ ସ୍ଥାନ ନୂଆ ଚିନ୍ତା
ଶ୍ରେୟସ୍ ଆୟରଙ୍କୁ ନିୟମିତ ସୁଯୋଗ ମିଳିବା ପରେ ଭାରତୀୟ କ୍ରିକେଟ୍ ଦଳର ୪ ନମ୍ବର ସ୍ଥାନକୁ ନେଇ ଥିବା ଚିନ୍ତା ଆପାତତଃ ଦୂର ହୋଇଛି। ତେବେ ଷଷ୍ଠ ସ୍ଥାନକୁ ନେଇ ପୁଣି ସମସ୍ୟା ସୃଷ୍ଟି ହୋଇଛି। କାରଣ ୨୦୧୯ ମସିହା ପରଠାରୁ ଏହି ସ୍ଥାନରେ ବ୍ୟାଟିଂ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରାଇକ୍ ରେଟ୍ ସେତେଟା ଭଲ ନାହିଁ। ଏହି ସ୍ଥାନରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ୯୧.୪୭ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଛନ୍ତି। ଯାହା ଦିନିକିଆ କ୍ରିକେଟ୍‌ର ପ୍ରତିଷ୍ଠିତ ଓ ବଡ଼ ଦଳ ଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି। ଏହି ସମୟ ମଧ୍ୟରେ ପାକିସ୍ତାନ (୧୦୪.୫), ଅଷ୍ଟ୍ରେଲିଆ (୧୦୪.୬୪), ୱେଷ୍ଟଇଣ୍ଡିଜ୍ (୯୬.୫୭), ଇଂଲଣ୍ଡ (୯୬.୧୬), ନ୍ୟୁଜିଲାଣ୍ଡ (୯୫.୬୮) ଭାରତଠାରୁ ଅଧିକ ଗତିରେ ରନ୍ କରିଛନ୍ତି। ଏଣୁ ସାଧାରଣତଃ ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା କେଦାର ଯାଦବଙ୍କ ଉପରେ ଏବେ ଅଧିକ ଚାପ ରହିଛି। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଭଲ ପ୍ରଦର୍ଶନ ନକଲେ ତାଙ୍କ ସ୍ଥାନ ଟଳମଳ ହେବାର ଢେର ଆଶଙ୍କା ଅଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋ‌କେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, କେଦାର ଯାଦବ, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମରା, ଶାର୍ଦୁଲ ଠାକୁର, ମହମ୍ମଦ ସାମି।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, ଆଷ୍ଟନ ଆଗର, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋସ୍ ହାଜେଲଉଡ୍, ମାର୍ନସ ଲବୁସାନେ, କେନ୍ ରିଚାର୍ଡସନ୍, ଷ୍ଟିଭେନ ସ୍ମିଥ୍, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍ ୱାର୍ନର, ଆଦାମ ଜାମ୍ପା

ବ୍ୟାଟିଂ ଉପଯୋଗୀ ପିଚ୍
ୱାଙ୍ଖଡ଼େ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ମଙ୍ଗଳବାର ମଧ୍ୟ ଏହି ଧାରା ବଜାୟ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ କାକର ପଡ଼ିବାର ଆଶଙ୍କାକୁ ଆଖି ଆଗରେ ରଖି ଟସ୍ ଜିତିବା ସହ ପ୍ରଥମେ ବୋଲିଂ କରିବାର ସମ୍ଭାବନା ଅଧିକ ରହିଛି। ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ମୁମ୍ବାଇର ପାଗ ମୁଖ୍ୟତଃ ଶୁଖିଲା ରହିବ।

ସମ୍ବନ୍ଧିତ ଖବର