ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଆଜି, ଏସ୍‌ସିଏରେ ଏକଦିବସୀୟ ମ୍ୟାଚ୍ ଜିତିନି ଭାରତ

ଏସ୍‌ସିଏରେ ଏକଦିବସୀୟ ମ୍ୟାଚ୍ ଜିତିନି ଭାରତ

ରାଜକୋଟ: ମୁମ୍ବାଇରେ ମହାଲଜ୍ଜାର ଶିକାର ହୋଇଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାର ଅଷ୍ଟ୍ରେଲିଆ ସହିତ ଦ୍ବିତୀୟ ଦିନିକିଆ ଖେଳିବ। ୱାଙ୍ଖ୍‌ଡେରେ ୧୦ ୱିକେଟ୍‌ ପରାଜୟ ପରେ ଭାରତୀୟ ଦଳର ନିୟମିତ ୩ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ବିରାଟ କୋହଲି ଆଉ ପରୀକ୍ଷାନିରୀକ୍ଷା ନ କରି ନିଜସ୍ବ ସ୍ଥାନରେ ବ୍ୟାଟିଂ କରିବାକୁ ଫେରିବା ସମ୍ଭାବନା ଅଧିକ। ଭାରତ ୦-୧ରେ ପଛୁଆ ଥିବାରୁ ୩ ମ୍ୟାଚ୍‌ ଶୃଙ୍ଖଳାରେ ବଞ୍ଚି ରହିବା ଲାଗି ଏଠାରେ ‘କର ବା ମର’ ପରିସ୍ଥିତିରେ ପଡ଼ିଛି। ଅନ୍ୟପକ୍ଷରେ ବିରାଟ ବାହିନୀର ବିରାଟ ଆତ୍ମବିଶ୍ବାସକୁ ଚୁରମାର୍ କରି ଦେଇଥିବା ଅରୋନ୍‌ ଫିଞ୍ଚ୍‌ଙ୍କ ଦଳ ଭାରତ ମାଟିରେ ଲଗାତାର ଶୃଙ୍ଖଳା ବିଜୟୀ ହେବା ଲକ୍ଷ୍ୟରେ ରହିବ। ୩ ମ୍ୟାଚ୍‌ ଶୃଙ୍ଖଳା ହୋଇଥିବାରୁ ଭାରତକୁ ଏହି ମ୍ୟାଚ୍‌କୁ ଛାଡ଼ିଦେଲେ ଆଉ ପ୍ରତ୍ୟାବର୍ତନ କରିବାକୁ ସୁଯୋଗ ମଧ୍ୟ ମିଳିବ ନାହିଁ।

ମୁମ୍ବାଇରେ ଭାରତୀୟ ଦଳ ଏହାର ଫର୍ମରେ ଥିବା ୩ ଖେଳାଳି ରୋହିତ ଶର୍ମା, କେଏଲ୍‌ ରାହୁଲ, ଶିଖର ଧାୱନଙ୍କୁ ଖେଳାଇବା ଯୋଜନା କରିଥିବାରୁ କୋହଲି ୩ ନମ୍ବର ସ୍ଥାନ ତ୍ୟାଗ କରି ୪ ନମ୍ବରରେ ବ୍ୟାଟିଂ କରିଥିଲେ। ହେଲେଏହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ଭାରତୀୟ ବୋଲରମାନେ ମଧ୍ୟ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱାର୍ନର ଏବଂ ଆରୋନ୍‌ ଫିଞ୍ଚ୍‌ଙ୍କ ୱିକେଟ୍ ବାହାର କରିବାରେ ବିଫଳ ହେବାରୁ ଉଭୟ ଅପରାଜିତ ଶତକ ହାସଲ କରିଥିଲେ। ଫଳରେ ଭାରତ ଭିନ୍ନ ରଣକୌଶଳରେ ଶୁକ୍ରବାର ପଡିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ଆହତ ଋଷଭ ପନ୍ତଙ୍କ ବଦଳରେ ଭାରତ ମନୀଷ ପାଣ୍ଡେ କିମ୍ବା କେଦାର ଯାଦବଙ୍କୁ ଖେଳାଇବା ସମ୍ଭାବନା ରହିଛି। ନବାଗତ ଶିଭମ ଦୁବେଙ୍କୁ ସୁଯୋଗ ମିଳିବ କି ନାହିଁ ଦେଖିବାର ଅଛି। ପ୍ରତ୍ୟାବର୍ତନ ପରଠାରୁ ଯଶପ୍ରୀତ୍ ବୁମରା ପ୍ରଭାବୀ ରହୁନଥିବାରୁ ଆଉ ଏକ ପରୀକ୍ଷାର ସମ୍ମୁଖୀନ ହେ‌ବେ। ଦ୍ରୁତ ବୋଲିଂରେ ଶାର୍ଦୁଲ ଠାକୁରଙ୍କ ବଦଳରେ ନଭଦୀପ ସୈନିଙ୍କୁ ଖେଳାଇବା ଯୋଜନା ମଧ୍ୟ ଚାଲିଛି। ଅଷ୍ଟ୍ରେଲିଆର ଆତ୍ମବିଶ୍ବାସ କିନ୍ତୁ ମୁମ୍ବାଇ ବିଜୟ ପରେ ଆକାଶଛୁଆଁ ରହିଛି। ଅଷ୍ଟ୍ରେଲିଆ ମଧ୍ୟ ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍‌ଙ୍କୁ ଖେଳାଇବା ଖସଡ଼ା ପ୍ରସ୍ତୁତ କରୁଛି। ଭାରତ କିନ୍ତୁ ୨୦୧୭ରେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ ହାରିବା ପରେ ୨-୧ରେ ଶୃଙ୍ଖଳା ଜିତିବା ଭଳି ପ୍ରଦର୍ଶନକୁ ଦୋହରାଇବା ନେଇ ଆଶା ରଖିଛି।

ପିଚ୍‌: ୱାଙ୍ଖ୍‌ଡେ ପିଚ୍‌ଠାରୁ ରାଜକୋଟ ପିଚ୍‌ ଅଧିକ ଫ୍ଲାଟ ରହିଛି ଏବଂ ଏଠାରେ ବି ରନ୍‌ ବର୍ଷିବ‌ ବୋଲି ପୂର୍ବାନୁମାନ କରାଯାଇଛି। ସେହି ଦୃ‌ଷ୍ଟିରୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭଲ ପ୍ରାରମ୍ଭ ପାଇଲେ ନିଶ୍ଚିତ ବଡ଼ ସ୍କୋର୍‌ ଛିଡ଼ା କରିବାର ସମ୍ଭାବନା ରହିବ।

ପରିସଂଖ୍ୟାନ: ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ନିକଟରୁ ଲଗାତାର ୪ ଦିନିକିଆ ହାରିଥିବାରୁ ଏହାକୁ ଭାଙ୍ଗିବା ଆଶାରେ ରହିବ। ବିରାଟ କୋହଲି ଗୋଟିଏ ଶତକ ହାସଲ ମାରିଲେ ସଚିନ‌ ତେନ୍ଦୁଲକରଙ୍କ ଘରୋଇ ଶତକ କୀର୍ତ୍ତିମାନର ସମକକ୍ଷ ହୋଇପାରିବେ।

ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ, ରୋହିତ ଶର୍ମା, ଲୋକେଶ ରାହୁଲ୍ (ୱିକେଟରକ୍ଷକ), ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ/ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି/ନଭଦୀପ ସୈନି, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌, ଡେଭିଡ୍‌ ୱାର୍ନର, ମାର୍ନସ ଲବୁସାନ୍, ଷ୍ଟିଭେନ୍ ସ୍ମିଥ୍‌, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ଆ‌ଷ୍ଟନ୍ ଟର୍ନର, ଆଷ୍ଟନ୍ ଆଗର୍‌, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, କେନ୍‌ ୱିଲିୟମ୍‌ସନ୍‌, ଆଦାମ ଜାମ୍ପା।

ଏସ୍‌ସିଏରେ ଏକଦିବସୀୟ ମ୍ୟାଚ୍ ଜିତିନି ଭାରତ
ସୌରାଷ୍ଟ୍ର କ୍ରିକେଟ୍ ସଂଘ (ଏସ୍‌ସିଏ) ପଡ଼ିଆରେ ଦୁଇଟି ଦିନିକିଆ ଖେଳି ଦୁଇଟି ଯାକରେ ପରାଜିତ ହୋଇଛି ଭାରତ। ଏଣୁ ଶୁକ୍ରବାର ଶୃଙ୍ଖଳା ବଞ୍ଚାଇବା ସହ ଏଠାରେ ପ୍ରଥମ ବିଜୟ ହାସଲ କରିବା ସୁଯୋଗ କୋହଲି ବାହିନୀ ପାଖରେ ରହିବ। ଏସ୍‌ସିଏ ପଡ଼ିଆରେ ଭାରତ ପ୍ରଥମ ଥର ପାଇଁ ୨୦୧୩ ଜାନୁଆରି ୧୧ ତାରିଖରେ ଖେଳିଥିଲା। ଇଂଲଣ୍ଡ ବିପକ୍ଷ ଏହି ରୋମାଞ୍ଚକର ମ୍ୟାଚ୍‌କୁ ଭାରତ ୯ ରନ୍‌ରେ ହାରି ଯାଇଥିଲା। ଏହା ପରେ ୨୦୧୫ ଅକ୍ଟୋବର ୧୮ରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ମୁକାବିଲାକୁ ଟିମ୍ ଇଣ୍ଡିଆ ୧୮ ରନ୍‌ରେ ହାରି ଯାଇଥିଲା। ଅନ୍ୟପକ୍ଷରେ ରାଜକୋଟରେ ଅଷ୍ଟ୍ରେଲିଆ ଏକଦିବସୀୟ କ୍ରିକେଟ୍‌ରେ ଅପରାଜେୟ ରହିଛି। ରାଜକୋଟର ପୁରୁଣା ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏସ୍‌ସିଏରେ ଖେଳିଥିବା ଏକମାତ୍ର ଟ୍ବେଣ୍ଟି-୨୦କୁ ଅଷ୍ଟ୍ରେଲିଆ କିନ୍ତୁ ହାରିଛି। ଭାରତ ଏହି ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା। ରାଜକୋଟରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ୧୯୮୬ ମସିହା ଅକ୍ଟୋବର ୭ ତାରିଖରେ ଖେଳିଥିଲା। ଏହି ଏକଦିବସୀୟ ମ୍ୟାଚ୍‌କୁ କଙ୍ଗାରୁ ଦଳ ୭ ୱିକେଟରେ ଜିତି ନେଇଥିଲା। ୨୬୧ ରନ୍‌ର ବିଜୟ ଲକ୍ଷ୍ୟକୁ ସେମାନେ ସହଜରେ ହାସଲ କରି ନେଇଥିଲେ। ୨୦୧୩ ଅକ୍ଟୋବର ୧୦ରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ରେ ଭାରତ ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା।

ସମ୍ବନ୍ଧିତ ଖବର