ଚତୁଷ୍କୋଣୀୟ ଶୃଙ୍ଖଳା: ଇଣ୍ଡିଆ ‘ବି’ର ଦ୍ୱିତୀୟ ବିଜୟ

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଚତୁଷ୍କୋଣୀୟ ଶୃଙ୍ଖଳାରେ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଇଣ୍ଡିଆ ‘ବି’ ଦଳ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା-ଏ ଦଳକୁ ୩୦ ରନ୍‌ରେ ପରାସ୍ତ କରିଥିବା ‘ବି’ ଦଳ ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ଇଣ୍ଡିଆ-ଏ ଦଳକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଦେଇଛି। ଟସ୍‌ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ‘ଏ’ ଦଳ ଅମ୍ବାଟି ରାୟୁଡୁଙ୍କ ୪୮, କୃଷ୍ଣପ୍ପା ଗୌତମଙ୍କ ୩୫, ସଞ୍ଜୁ ସାମ୍‌ସନ୍‌ଙ୍କ ୩୨ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ୨୦ ରନ୍‌ ସତ୍ତ୍ୱେ ୪୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ କରିଥିଲା ୨୧୭ ରନ୍‌। ଏମ୍‌ ପ୍ରସିଦ୍ଧ କୃଷ୍ଣ (୪/୫୦), ସତିଶ ଗୋପାଳ (୨/୩୮) ‘ବି’ ଦଳର ସଫଳ ବୋଲର ରହିଥିଲେ। ଜବାବରେ ମୟଙ୍କ ଅଗ୍ରଓ୍ଵାଲ (୧୨୪ ରନ୍‌, ୧୧୪ ବଲ୍‌, ୧୪ ଚୌକା ଓ ୩ ଛକା)ଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ଶୁଭମନ୍‌ ଗିଲ୍‌ଙ୍କ ୪୨, ଇଶାଙ୍କ କୃଷ୍ଣନ୍‌ଙ୍କ ୨୫ ଓ ମନୀଷ ପାଣ୍ଡେଙ୍କ ଅପରାଜିତ ୨୧ ରନ୍‌ ବଳରେ ‘ବି’  ଦଳ ୫୩ ବଲ୍‌ ପୂର୍ବରୁ ୭ ଓ୍ଵିକେଟ୍‌ ଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ‘ବି’ ଦଳ ୪୧.୧ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୧୮ ରନ୍‌ କରିନେଇଥିଲା। ‘ବି’ ଦଳ ଲଗାତାର ଦ୍ୱିତୀୟ ବିଜୟ ସହ ମୋଟ ୧୨ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଥିଲା ବେଳେ ପ୍ରଥମ ପରାଜୟ ସହ ‘ଏ’ ଦଳ ୯ ପଏଣ୍ଟ୍‌ ପାଇ ଦ୍ୱିତୀୟରେ ରହିଛି। ଏହି ପ୍ରତିଯୋଗିତାର ପ୍ରଥମ ଦୁଇଟି ଲେଖାଏଁ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ଯାଇଥିବାରୁ ଅଂଶଗ୍ରହଣକାରୀ ୪ ଦଳକୁ ୪ ପଏଣ୍ଟ୍‌ ଲେଖାଏଁ ମିଳିଥିଲା।ପ୍ରତିଯୋଗିତାର ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଏ ଦଳ ୩୨ ରନ୍‌ରେ ଦକ୍ଷିଣ ଆଫ୍ରିକା-ଏ ଦଳକୁ ପରାସ୍ତ କରିଥିଲା। ଅଧିନାୟକ ଟ୍ରାଭିସ୍‌ ହେଡ୍‌ (୧୧୦)ଙ୍କ ଶତକ ସାଙ୍ଗକୁ ଲାବୁଶ୍ଚାଙ୍ଗ୍‌ (୬୫)ଙ୍କ ଅର୍ଧଶତକ, ଡିଜେ ସର୍ଟ (୪୯) ଓ ମ୍ୟାଟ୍‌ ରେନ୍‌ସ (ଅପରାଜିତ ୪୨)ଙ୍କ ମୂଲ୍ୟବାନ ଅବଦାନ ବଳରେ ଅଷ୍ଟ୍ରେଲିଆ ୫ ଓ୍ଵିକେଟ୍‌ ବିନିମୟରେ କରିଥିଲା ୩୨୨ ରନ୍‌। ଜବାବରେ ଦକ୍ଷିଣ ଆଫ୍ରିକା ୪୮.୪ ଓଭରରେ ୨୯୦ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅଧିନାୟକ ଖାୟା ଜୋଣ୍ଡୋ (୧୧୭, ୧୦୪ ବଲ୍‌)ଙ୍କ ଦମ୍‌ଦାର ଶତକ ଓ କ୍ଲୋଏଟେ (୫୦)ଙ୍କ ଅର୍ଧଶତକ ବେକାର ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିପ୍‌ସନ୍‌ ୩ ଓ ହେଡ୍‌ ୨ ଓ୍ଵିକେଟ୍‌ ନେଇ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଅଷ୍ଟ୍ରେଲିଆ ଏଥି ସହିତ ପ୍ରଥମ ବିଜୟ ପାଇଥିଲା ବେଳେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଅଷ୍ଟ୍ରେଲିଆ ୮ ଓ ଦକ୍ଷିଣ ଆଫ୍ରିକା ୪ ପଏଣ୍ଟ୍‌ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଆସନ୍ତା ୨୭ ତାରିଖ ନିଜ ନିଜର ଅନ୍ତିମ ମ୍ୟାଚ୍‌ରେ ଇଣ୍ଡିଆ-ବି ଓ ଅଷ୍ଟ୍ରେଲିଆ-ଏ ଏବଂ ଇଣ୍ଡିଆ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମୁହାଁମୁହିଁ ହେବେ। ଏହାପରେ ୨୯ ତାରିଖରେ ତୃତୀୟ ସ୍ଥାନ ଏବଂ ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର