ନିଦାହାସ ଟ୍ରଫି: ଓ୍ଵାସିଙ୍ଗଟନ୍‌ଙ୍କୁ ୩ଟି ଓ୍ଵିକେଟ୍‌, ବାଂଲାଦେଶ ବିପକ୍ଷରେ ଭାରତ ୧୭ ରନ୍‌ରେ ବିଜୟୀ, ଫାଇନାଲ୍‌ରେ ପ୍ରବେଶ

କଲମ୍ବୋ: ଭାରତର ଓ୍ଵାସିଙ୍ଗଟନ୍‌ ସୁନ୍ଦର ଚମତ୍କାର ବୋଲିଂ କରି ବାଂଲାଦେଶର ୩ଟି ଓ୍ଵିକେଟ୍‌ ନେବା ପରେ ଭାରତ ନିଦାହାସ ଟ୍ରଫିର ୫ମ ମ୍ୟାଚ୍‌କୁ ୧୭ ରନ୍‌ରେ ଜିତିଛି। ଏଥି ସହିତ ଭାରତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲରେ ପ୍ରବେଶ କରିଛି। ଶ୍ରୀଲଙ୍କାର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ଆରମ୍ଭ କରିଥିଲା। ଦଳ ୨୦ ଓଭରରେ ୬ଟି ଓ୍ଵକେଟ ହରାଇ ୧୫୯ ରନ୍‌ ସଂଗ୍ରହ କରିଛି। ବାଂଲାଦେଶ ୧୨ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୩୫ ରନ୍‌ରେ ୨ୟ ଓ୍ଵିକେଟ୍‌, ୪୦ ରନ୍‌ରେ ୩ୟ ଓ୍ଵିକେଟ୍‌, ୬୧ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୨୬ ରନ୍‌ରେ ୫ମ ଓ୍ଵିକେଟ ହରାଇଥିଲା। ୧୫୦ ରନ୍‌ରେ ବାଂଲାଦେଶ ୬ଟି ଓ୍ଵିକେଟ୍‌ ହରାଇ ଥିଲା।

ତମିମ୍‌ ଇକ୍‌ବାଲ୍‌(୨୭) ଓ୍ଵାସିଂଟନ୍‌ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ ଲିଟନ୍‌ ଦାସ(୭) ସୁନ୍ଦରଙ୍କ ବଲ୍‌ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ସେହିଭଳି ସୁନ୍ଦରଙ୍କ ଅନ୍ୟତମ ଶିକାର ହୋଇଥିଲେ ସୌମ୍ୟ ସରକାର(୧)। ୧୧ ରନ୍‌ ସଂଗ୍ରହ କରିବା ପରେ ମହମ୍ମଦୁଲ୍ଲା, ଯୁଜବେନ୍ଦ୍ର ଚହଲଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ସବୀର ରହମାନ୍‌(୨୬) ଶାର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ପୂର୍ବରୁ ଭାରତ ପ୍ରଥମ ଇନିଂସରେ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ବାଂଲାଦେଶକୁ ୧୭୭ ରନ୍‌ ଟାର୍ଗେଟ ଦେଇଥିଲା। ଓପନର ରୋହିତ ଶର୍ମା(୮୯) ଓ ଶିଖର ଧାଓ୍ଵନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରଥମ ଓ୍ଵିକେଟ୍‌ରେ ୭୦ ରନ୍‌ ସଂଗ୍ରହ କରିବା ପରେ ଶିଖର ଧାଓ୍ଵନ(୩୫) ରୁବେଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ବାଂଲାଦେଶର ୨ୟ ଶିକାର ହୋଇଥିଲେ ସୁରେଶ ରାଇନା(୪୭)। ସେ ରୁବେଲଙ୍କ ବଲ ସୌମ୍ୟ ସରକାରଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨ ରନ୍‌ ସଂଗ୍ରହ କରିଛନ୍ତି। ଭାରତ ୨ୟ ଓ୍ଵକେଟରେ ୧୭୬ ରନ୍‌ ସଂଗ୍ରହ କରିଥିଲା। ୩ୟ ଓ୍ଵିକେଟ୍‌ରେ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ଶର୍ମା, ରୁବେଲଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର