ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନାକୁ ଦାବିଲା ଭାରତ

ଚାମ୍ପିଅନ୍ସ ଟ୍ରଫିରେ କ୍ରମାଗତ ଦ୍ୱିତୀୟ ବିଜୟ

ବ୍ରେଦା (ନେଦରଲାଣ୍ଡ): ଚଳିତ ଷଡ଼ ରାଷ୍ଟୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ପିଆର୍‌ ଶ୍ରୀଜେସ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର ଅଲିମ୍ପିକ୍ସ ବିଜେତା ତଥା ବିଶ୍ୱ ମାନ୍ୟତାର ଦ୍ୱିତୀୟ ଆର୍ଜେଣ୍ଟିନାକୁ ହରାଇ ବଡ଼ ସଫଳତା ପାଇଛି। ହର୍‌ମନ୍‌ପ୍ରୀତ୍‌ ସିଂହ ଓ ମନ୍‌ଦୀପ୍‌ ସିଂହଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଭାରତ ୨-୧ରେ ଆର୍ଜେଣ୍ଟିନାକୁ ପରାସ୍ତ କରି ଲାଗାତାର ଦ୍ୱିତୀୟ ବିଜୟ ହାସଲ କରିନେଇଛି। ଏଥି ସହିତ ଭାରତ ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଛି। ଦୁଇ ଦିନରେ ଦୁଇଟି ବିଜୟ ପାଇଥିବା ଭାରତ ମଧ୍ୟ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ପୁଣି କ୍ରମାଗତ ବିଜୟ ଯୋଗୁଁ ମନୋବଳ ବଢ଼ାଇ ପାରିଥିବା ଭାରତ ମଧ୍ୟ ପ୍ରଥମ ଥର ଲାଗି ଚାମ୍ପିଅନ୍‌ସ ଟ୍ରଫି କବ୍‌ଜା କରିବା ଦିଗରେ ଅଗ୍ରସର ହୋଇଛି।

ପ୍ରଥମ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା ବେଳେ ପ୍ରଥମାର୍ଧରେ ହିଁ ମ୍ୟାଚ୍‌ର ତିନିଟିଯାକ ଗୋଲ୍‌ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍‌ଟି କର୍ନରରୁ ଗୋଲ୍‌ କରି ହର୍‌ମନ୍‌ପ୍ରୀତ୍‌ ଭାରତ ପାଇଁ ଅଭିଯାନ ଆରମ୍ଭ କରିଥିଲା ବେଳେ ମନ୍‌ଦୀପ୍‌ ସିଂହଙ୍କ ଫିଲ୍‌ଡ ଗୋଲ୍‌ ଭାରତର ଗୋଲ୍‌ ସଂଖ୍ୟା ୨ରେ ପହଞ୍ଚାଇ ଦେଇଥିଲା। ହର୍‌ମନ୍‌ପ୍ରୀତ୍‌ ମ୍ୟାଚ୍‌ର ୧୭ ମିନିଟ୍‌ ଏବଂ ମନ୍‌ଦୀପ୍‌ ୨୮ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲେ। ତେବେ ୨ ଗୋଲ୍‌ ପଛରେ ରହି ପ୍ରବଳ ଚାପରେ ପଡ଼ିଯାଇଥିବା ଆର୍ଜେଣ୍ଟିନା ପାଇଁ ଗୋଞ୍ଜାଲୋ ପିଲେଟ୍‌ ୩୦ ମିନିଟ୍‌ରେ ପେନାଲ୍‌ଟି କର୍ନର ଜରିଆରେ ଗୋଟିଏ ଗୋଲ୍‌ ଶୁଝି ଦେବାରୁ ବ୍ୟବଧାନ କମିଥିଲା। ଏହାସତ୍ତ୍ୱେ ଭାରତ ପ୍ରଥମାର୍ଧ ଶେଷରେ ୨-୧ ଗୋଲ୍‌ରେ ଆଗୁଆ ରହିଥିଲା। ମାତ୍ର ଦ୍ୱିତୀୟାର୍ଧରେ କୌଣସି ଗୋଲ୍‌ ନହେବାରୁ ଭାରତ ୨-୧ରେ ବିଜୟ ହାସଲ କରିନେଲା। ଏହି ମ୍ୟାଚ୍‌ର ଶେଷ ୫ ମିନିଟ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳ ଗୋଲ୍‌ କରିବା ପ୍ରୟାସରେ ବିଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ଫଳସ୍ୱରୂପ ଭାରତୀୟ ଦଳର ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ୫୫ ମିନିଟ୍‌ରେ ହଳଦିଆ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲା ବେଳେ ଆର୍ଜେଣ୍ଟିନାର ଜୁଲିଆନ୍‌ ଗିଲାର୍ଡି ୫୬ ମିନିଟ୍‌ରେ ସବୁଜ କାର୍ଡ ପାଇଁ ପଡ଼ିଆ ଛାଡ଼ିଥିଲେ। ଫଳରେ ଉଭୟ ଦଳ ଯଥାକ୍ରମେ ଶେଷ ୫ ଓ ୪ ମିନିଟ୍‌ରେ ୧୦ ଜଣ ଲେଖାଏଁ ଖେଳାଳିଙ୍କୁ ଖେଳିଥିଲେ। ଏହାସତ୍ତ୍ୱେ ଦ୍ୱିତୀୟାର୍ଧରେ କେହି କାହାରିକୁ ଗୋଲ୍‌ ଦେବାରେ ସମର୍ଥ ହୋଇନଥିଲେ। ଭାରତ ତା’ର ତୃତୀୟ ତଥା ପରବର୍ତୀ ମ୍ୟାଚ୍‌ ୨୭ ତାରିଖ ଦିନ ଗତଥରର ବିଜେତା ଅଷ୍ଟ୍ରେଲିଆ ସହ ଖେଳିବ।

ସମ୍ବନ୍ଧିତ ଖବର