୧୩୭ ରନ୍‌ରେ ଅଷ୍ଟ୍ରେଲିଆକୁ ପରାଜିତ କରି ଭାରତ ବକ୍ସିଙ୍ଗ୍‌ ଡେ’ ଟେଷ୍ଟ୍‍ ବିଜୟୀ

ମେଲ୍‌ବର୍ଣ୍ଣ: ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଚାଲିଥିବା ବକ୍ସିଙ୍ଗ୍‌ ଡେ’ ଟେଷ୍ଟ୍‍ରେ ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାଜିତ କରି ଭାରତ ଐତିହାସିକ ବିଜୟ ହାସଲ କରିଛି। ମେଲ୍‌ବର୍ଣ୍ଣ ଠାରେ ବର୍ଷା ଲାଗିରହିବାରୁ ମ୍ୟାଚ୍‌ର ପ୍ରଥମ ପର୍ଯ୍ୟାୟ ଚାଲିପାରି ନ ଥିଲା, କିନ୍ତୁ ପ୍ରଥମ ଦୁଇ ଘଣ୍ଟା ପରେ ପାଗ ବଦଳିବାରୁ ଶେଷରେ ପୂର୍ବାହ୍ନ ୭: ୨୫ରେ ଖେଳ ଆରମ୍ଭ ହୋଇଥିଲା।

ଖେଳ ଆରମ୍ଭ ହେବାର କିଛି ସମୟ ପରେ ୨୨ ମିନିଟ ମଧ୍ୟରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆକୁ ୨୬୧ ରନରେ ଅଲଆଉଟ୍ କରି ପାଭଲିଅନକୁ ଫେରାଇ ଦେଇଥିଲେ। ଜସପ୍ରୀତ ବୁମରାଙ୍କୁ ମିଳିଥିଲା ପ୍ରଥମ ସଫଳତା ସେ କୁମିନ୍ସଙ୍କୁ ୬୩ ରନରେ ଥିବାବେଳେ ଆଉଟ୍ କରିଥିଲେ। ଏହାପରେ ଇଶାନ୍ତ ଶର୍ମା ଲଥନ୍ ଲିଅନଙ୍କୁ ଆଉଟ୍ କରି ଭାରତକୁ ବିଜୟ ଦେଇଥିଲେ।

ଭାରତ କେବେ ଅଷ୍ଟ୍ରେଲିଆରେ ବକ୍ସିଙ୍ଗ୍‌ ଡେ’ ଟେଷ୍ଟ୍‍ ଜିଣି ନ ଥିଲା। କିନ୍ତୁ, ଏବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୧୩୭ ରନ୍‌ରେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ମ୍ୟାଚ୍‌ରେ ଭାରତ ୩୯୯ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ତା’ର ମୁକାବିଲା କରିବାକୁ ଯାଇ ୨୬୧ ରନ୍‌ ବିନିମୟରେ ସମସ୍ତ ଖେଳାଳିଙ୍କୁ ହରାଇଥିଲା। ଜସ୍‌ପ୍ରୀତ୍‌ ବୁମ୍‌ରା ୫୩ ରନ୍‌ ବିନିମୟରେ ୩ ଉଇକେଟ୍‌ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ମଧ୍ୟ ୮୨ ରନ୍‌ ଦେଇ ୩ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଈଶାନ୍ତ ଶର୍ମା ଏବଂ ମହମ୍ମଦ ଶାମି ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ୍‌ ନେଇଛନ୍ତି।

୧୯୮୫ ମସିହାରେ ଭାରତ ପ୍ରଥମେ ବକ୍ସିଙ୍ଗ୍‌ ଟେଷ୍ଟ୍‍ ଖେଳିଥିଲା। ସେବେଠାରୁ ଭାରତ ଏହି ଖେଳରେ ହାରି ଆସୁଥିଲା ବା ଖେଳ ଡ୍ର’ ରହି ଆସୁଥିଲା। ୪ ଟେଷ୍ଟ୍‍ ସିରିଜ୍‌ରେ ଭାରତ ୨-୧ରେ ଅଗ୍ରଣୀ ରହିଛି। ଜାନୁଆରୀ ୩ ତାରିଖରେ ଏସ୍‌ସିଜି ଠାରେ ଫାଇନାନ୍‌ ମ୍ୟାଚ୍‌ ଖେଳାଯିବ।

ପର୍ଥ ଟେଷ୍ଟ ପରାଜୟ ପରେ ମେଲବର୍ଣ୍ଣ ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରମାନେ ଭରପୁର ସହଯୋଗ କରିଛନ୍ତି। ଅଧିନାୟକ କୋହଲି, ମୟଙ୍କ ଅଗ୍ରଓ୍ଵାଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହିତ ଚେତେଶ୍ୱର ପୂଜାରାଙ୍କ ଶତକ ସହିତ ବୋଲଂ କ୍ଷେତ୍ରରେ ଜସ୍‌ପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଦେଜାଙ୍କ ସହିତ ସାମି ଓ ଇଶାନ୍ତ ଶର୍ମାଙ୍କ ମାପଚୁପ ବୋଲିଂ ଆଗରେ ଏକ ପ୍ରକାର ଆତ୍ମସମର୍ପଣ କରିଥିବା ଅଷ୍ଟ୍ରେଲିଆ ଦଳ ସମ୍ପୂର୍ଣ୍ଣ ଟେଷ୍ଟରେ ନିଜ ମୁଣ୍ଡ ଉପରେ ଥିବା ବୋଝକୁ ଓହ୍ଲାଇ ନ ପାରି ଶେଷରେ ପରାଜୟ ସ୍ୱୀକାର କରିଛି।

ଭାରତ ପ୍ରଥମ ଇନିଙ୍ଗରେ ବିଶାଳ ୪୪୩ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ଜବାବରେ ଅଷ୍ଟ୍ରେଲିଆ ବୋଲର ମାନେ ଜସ୍‌ପ୍ରୀତ ବୁମ୍‌ରାଙ୍କ ଶାଣୀତ ବୋଲଇଂର ମୁକାବିଲା କରି ପାରି ନ ଥିଲେ। ଫଳରେ ବୁମ୍‌ରା ମାତ୍ର ୩୩ରନ୍‌ ବିନିମୟରେ ଅଷ୍ଟ୍ରେଲିଆର ୬ଟି ଓ୍ଵିକେଟ ଦଖଲ କରିବା ସହିତ ଅଷ୍ଟ୍ରେଲିଆର ସ୍କୋରକୁ ପ୍ରଥମ ଇନିଙ୍ଗସରେ ୧୫୧ରନରେ ସୀମିତ ରଖିଥିଲେ। ପରେ ଅଷ୍ଟ୍ରେଲିଆ ବୋଲରମାନେ ଯଦିଓ ଭାରତୀୟ ବ୍ୟାଟିଂର ଦ୍ୱିତୀୟ ଇନିଙ୍ଗସ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ, ମାତ୍ର ସେତେବେଳକୁ ଭାରତ ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ରନ୍‌ର ବିରାଟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରି ସାରିଥିଲା। ଭାରତ ଦ୍ୱିତୀୟ ପାଳି ମଧ୍ୟ ୧୯୬/୮ରେ ଘୋଷଣା କରି ଅଷ୍ଟ୍ରଲିଆ ବିରୋଧରେ ମନସ୍ତାତ୍ତ୍ୱିକ ଚାପ ସୃଷ୍ଟି କରିଥିଲା। ତେବେ ଖେଳର ୪ର୍ଥ ଦିବସରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌କୁ ପ୍ରଥମରୁ ଝଟକା ଲାଗିଥିଲା। ପ୍ରଥମ ପାଳିରେ ୬ ଓ୍ଵକେଟ୍‌ ନେଇଥିବା ଜସ୍‌ପ୍ରୀତ ବୁମ୍‌ରା ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗସର ଦ୍ୱିତୀୟ ଓଭରରେ ଫିଞ୍ଚ୍‌ଙ୍କୁ ଆଉଟ୍‌ କରି ଭାରତ ପାଇଁ ପ୍ରଥମ ଖୁସି ଆଣି ଦେଇଥିଲେ। ସେହିପରି ଖେଳର ୧୦ମ ଓଭରରେ ରବୀନ୍ଦ୍ର ଜାଦେଜା ହାରିସଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଅଷ୍ଟ୍ରେଲିଆ ଦଳର ଖଓ୍ଵାଜା ଓ ସନ୍‌ ମାର୍ସ ଧର୍ଯ୍ୟର ସହିତ ବ୍ୟାଟିଂ କରି ପରାଜୟ ଏଡାଇବା ପାଇଁ ସଂଘର୍ଷ ଚଳାଇଥିଲେ। ତେବେ ମହମ୍ମଦ ସାମି ଖଓ୍ଵାଜାଙ୍କୁ ୩୩ରନ୍‌ରେ ଆଉଟ୍‌ କରିବା ପରେ ପୁଣି ଅଷ୍ଟ୍ରେଲିଆ ସଙ୍କଟରେ ପଡ଼ିଥିଲା। ତା ପରେ ନିୟମିତ ବ୍ୟବଧାନରେ ଅଷ୍ଟ୍ରେଲିଆର ଓ୍ଵକେଟ ପତନ ଘଟିଥିଲା।

ସମ୍ବନ୍ଧିତ ଖବର