ବାଂଲାଦେଶକୁ ହରାଇଲା ଭାରତ

ଦୁବାଇ: ଏସିଆ କପ୍‌ର ସୁପର-୪ ମୁକାବିଲାରେ ଭାରତ ୭ ଓ୍ଵିକେଟ୍‌ରେ ବାଂଲାଦେଶକୁ ହରାଇ ଦେଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶକୁ ୧୭୩ ରନ୍‌ରେ ସୀମିତ ରଖିଥିବା ଭାରତୀୟ ଦଳ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଅର୍ଧଶତକ ବଳରେ ୮୨ ବଲ୍‌ ପୂର୍ବରୁ ଭାରତ ସହଜରେ ବିଜୟୀ ହୋଇଯାଇଛି। ୧୭୩ ରନ୍‌କୁ ପିଛା କରିଥିବା ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ ପୁଣି ଏକ ଅର୍ଧଶତକୀୟ ଭାଗୀଦାରି କରିଥିଲେ। ଧାଓ୍ଵନ (୪୦, ୪୭ ବଲ୍‌, ୪ ଚୌକା, ୧ ଛକା) ଲଗାତାର ପାଳିରେ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ରୋହିତ ଶର୍ମା କିନ୍ତୁ କ୍ରମାଗତ (୮୩*, ୧୦୪ ବଲ୍‌, ୫ ଚୌକା, ୩ ଛକା) ଅର୍ଧଶତକ ହାସଲ କରି ନେଇଥିଲେ। ଅମ୍ବାତି ରାୟୁଡୁ (୧୩)ଙ୍କ ପରେ ରୋହିତଙ୍କ ସହ ଯୋଗ ଦେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୩, ୩୬ ବଲ୍‌) ତୃତୀୟ ଓ୍ଵିକେଟ୍‌ରେ ୬୪ ରନ୍‌ ଯୋଡ଼ିଥିଲେ। ୩୬.୨ ଓଭରରେ ଭାରତ ୩ ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରି ନେଇଥିଲା। ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା। ରବିବାର ଭାରତ ନିଜର ପରବର୍ତୀ ମୁକାବିଲାରେ ପୁଣି ପାକିସ୍ତାନକୁ ଭେଟିବ।

ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହଂକଂ ଏବଂ ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇ ସୁପର୍‌ ଫୋର୍‌ ଆସିଥିବା ଭାରତୀୟ ବୋଲରମାନେ ମଧ୍ୟ ପ୍ରଥମରୁ ବାଂଲା ବ୍ୟାଟସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ଭୁବନେଶ୍ୱର କୁମାର ପଞ୍ଚମ ଓଭରରେ ଲିଟନ୍‌ ଦାସଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେବା ପରେ ଯଶପ୍ରୀତ୍‌ ବୁମରା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ନଜମୁଲ୍‌ ହୋସେନ୍‌ ସାନ୍ତୋଙ୍କୁ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ଉଭୟ ସମାନ ୭ ରନ୍‌ ଲେଖାଏଁ କରିଥିଲେ। ଏହା ପରେ ଚମକିଥିଲେ ଦଳକୁ ଫେରିଥିବା ବାମହାତୀ ସ୍ପିନର୍‌ ରବୀନ୍ଦ୍ର ଜାଦେଜା। ବାଂଲାଦେଶର ପରବର୍ତୀ ୩ ଓ୍ଵିକେଟ୍‌କୁ ନେଇଥିଲେ ଏହି ଅଲରାଉଣ୍ଡର୍‌। ସକିବ୍‌ ଅଲ୍‌ ହାସନ୍‌ (୧୭, ୧୨ ବଲ୍‌, ୩ ଚୌକା), ମହମ୍ମଦ ମିଥୁନ (୯) ଏବଂ ଅଭିଜ୍ଞ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ମୁସଫିକର ରହିମ୍‌ (୨୧)ଙ୍କୁ ଆଉଟ୍‌ କରି ଜାଦେଜା ତାଙ୍କ ସ୍ପିନ୍‌ ଯାଦୁରେ ବାଂଲାଦେଶକୁ ବାନ୍ଧି ଦେଇଥିଲେ। ଫଳରେ ବାଂଲାଦେଶ ୬୫ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇ ଦେଇଥିଲା। ବାଂଲା ଆଉ ପ୍ରତ୍ୟାବର୍ତନ କରିପାରିନଥିଲା। ନିମ୍ନକ୍ରମରେ କେବଳ ମହମ୍ମଦୁଲ୍ଲା (୨୫, ୫୧ ବଲ୍‌, ୩ ଚୌକା), ଅଧିନାୟକ ମସରାଫ୍‌ ମୋର୍ତାଜା (୨୬, ୩୨ ବଲ୍‌, ୨ ଛକା) ଏବଂ ମେହିଦି ହାସନ୍‌ ମିରାଜ (୪୨, ୫୦ ବଲ୍‌, ୨ ଚୌକା, ୨ ଛକା)ଙ୍କ ଆକ୍ରାମକ ବ୍ୟାଟିଂ କାରଣରୁ ବାଂଲାଦେଶ ସମ୍ମାନଜନକ ଭାବେ ୧୭୩ ରନ୍‌ରେ ପହଞ୍ଚିପାରିଥିଲା। ଆହତ ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଦଳକୁ ପ୍ରତ୍ୟାବର୍ତନ କରିଥିବା ରବୀନ୍ଦ୍ର ଜାଦେଜା ଚମତ୍କାର ବୋଲିଂ ଚିତ୍ର (୧୦-୦-୨୯-୪) ପାଇଥିଲେ। ଭାରତର ଦୁଇ ନୂଆ ବଲ୍‌ ବୋଲର ଭୁବନେଶ୍ୱର କୁମାର (୧୦-୧-୩୨-୩) ଏବଂ ଯଶପ୍ରୀତ୍‌ ବୁମରା (୯.୧-୧-୩୭-୩) ଅବଶିଷ୍ଟ ୬ ଓ୍ଵିକେଟ୍‌କୁ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର