ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ବନ୍ଦନାଙ୍କ ଯୁଗଳ ଗୋଲ୍‌

ଚୀନ୍‌କୁ ୩-୧ରେ ହରାଇଲା ଭାରତ

ଡଙ୍ଘେ ସିଟି (କୋରିଆ): ପଞ୍ଚମ ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଜାପାନକୁ ୪-୧ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଓଡ଼ିଆ ଝିଅ ସୁନିତା ଲାକ୍ରାଙ୍କ ଦଳ ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ବି ଅନ୍ୟତମ ଶକ୍ତିଶାଳୀ ଦଳ ତଥା ନିଜଠୁ ଉଚ୍ଚ ମାନ୍ୟତା ଚୀନ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଏଥି ସହିତ ଦଶମ ମାନ୍ୟତା ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ସହ ଅପରାଜେୟ ଧାରାକୁ ଲମ୍ବାଇଛି। ବନ୍ଦନା କାଟାରିୟାଙ୍କ ଯୁଗଳ ଗୋଲ୍‌ ହିଁ ଭାରତ ବିଜୟର ଶ୍ରେୟ ପାଇଛି। ଅଭିଜ୍ଞ ଅଗ୍ରଭାଗ ଖେଳାଳି ବନ୍ଦନା ମ୍ୟାଚ୍‌ର ଚତୁର୍ଥ ଓ ଏକାଦଶ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଅଗ୍ରଣୀ ଦେବା ପରେ ଡ୍ରାଗ୍‌ ଫ୍ଲିକ୍‌ ବିଶେଷଜ୍ଞ ଗୁର୍‌ଜିତ୍‌ କୌର ୫୧ ମିନିଟ୍‌ରେ ପେନାଲ୍‌ଟି କର୍ନର ଜରିଆରେ ତୃତୀୟ ଗୋଲ୍‌ କରି ଅଷ୍ଟମ ମାନ୍ୟତା ତଥା ବିପଦପୂର୍ଣ୍ଣ ଚୀନ୍‌ ଦଳକୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ବିଶେଷକରି ଓଡ଼ିଆ ଝିଅ ଲିଲିମା ମିଞ୍ଜ୍‌, ନଭ୍‌ଜୋତ୍‌ କୌର ଏବଂ ଉଦିତା ଦମ୍‌ଦାର ପ୍ରଦର୍ଶନ କରି ବନ୍ଦନା ଓ ଗୁର୍‌ଜିତ୍‌ଙ୍କୁ ଗୋଲ୍‌ କରିବାରେ ସହାୟତା କରିଥିଲେ। ଚୀନ୍‌ ପକ୍ଷରୁ ଏକମାତ୍ର ଗୋଲ୍‌ ୧୫ ମିନିଟ୍‌ରେ େଓ୍ଵନ୍‌ ଡାନ୍‌ ଶୁଝି ପାରିଥିଲେ। ତେବେ ଚୀନ୍‌ ଲାଗ ଲାଗ ୪ ପେନାଲ୍‌ଟି କର୍ନର ପାଇଥିଲେ ମଧ୍ୟ ସବିତାଙ୍କ ଚମତ୍କାର ଗୋଲ୍‌ରକ୍ଷଣ ହିଁ ସବୁ ପ୍ରୟାସକୁ ଭଣ୍ଡୁର କରିଦେଇଥିଲା। ଦୁଇଟି ଗୋଲ୍‌ କରିଥିବା ବନ୍ଦନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମହିଳା ଦଳର ପ୍ରଦର୍ଶନରେ ନୂଆ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ ଖୁବ୍‌ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବିଜୟ ସହ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ନିଜ ସ୍ଥାନ ଦୃଢ଼ କରିନେଇଛି। ଆସନ୍ତାକାଲି ପୁଲ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଭାରତର ମୁକାବିଲା ମାଲେସିଆ ସହ ହେବ। ବୁଧବାରର ଅନ୍ୟ ଏକ ମୁକାବିଲାରେ ମାଲେସିଆ ୩-୨ ଗୋଲ୍‌ରେ ଜାପାନକୁ ପରାସ୍ତ କରିଦେଇଛି।

ସମ୍ବନ୍ଧିତ ଖବର