ଆୟର୍ଲାଣ୍ଡ୍‌କୁ ୭୬ ରନ୍‌ରେ ହରାଇଲା ଭାରତ

ଡବ୍‌ଲିନ୍‌: ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାଓ୍ଵନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଦୁଇ ସ୍ପିନର ୟୁଜ୍‌ବେନ୍ଦର ଚହଲ୍‌ ଓ କୁଲ୍‌ଦୀପ୍‌ ଯାଦବଙ୍କ ଯାଦୁଗରୀ ବୋଲିଂ ନିକଟରେ ତିଷ୍ଠି ପାରିଲାନି ଆୟର୍ଲାଣ୍ଡ୍‌ ଦଳ। ରୋହିତ ଓ ଶିଖର ପ୍ରଥମ ଓ୍ଵିକେଟ୍‌ରେ ୧୬ ଓଭରରୁ ୧୬୦ ରନ୍‌ ଆଦାୟ କରିବା ପରେ ଚହଲ୍‌ ଓ କୁଲ୍‌ଦୀପ୍‌ ଯୋଡ଼ି ୫୯ ରନ୍‌ ବ୍ୟୟ କରି ୭ ଓ୍ଵିକେଟ୍‌ ବାଣ୍ଟିନେବାରୁ ଆୟର୍ଲାଣ୍ଡ୍‌ ୧୩୨ ରନ୍‌ରେ ସୀମିତ ରହିଗଲା। ଫଳରେ ଭାରତ ଏହି ମ୍ୟାଚ୍‌କୁ ଅତି ସହଜରେ ଜିତି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଲା। ବୁଧବାର ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ଆୟର୍ଲାଣ୍ଡ୍‌ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ହେଲେ ଏହି ନିଷ୍ପତ୍ତି ଶକ୍ତିଶାଳୀ ଭାରତୀୟ ଦଳକୁ ବିଶେଷ ପ୍ରଭାବିତ କରିପାରିନଥିଲା। ପାଳି ଆରମ୍ଭ କରିଥିବା ରୋହିତ ଓ ଶିଖର ଆକ୍ରମଣକୁ ଅସ୍ତ୍ର କରିଥିଲେ। ଦୁହେଁ ଆୟର୍ଲାଣ୍ଡ୍‌ ବୋଲରଙ୍କୁ ପ୍ରହାର କରି ଓଭର ପିଛା ୧୦ ହାରରେ ରନ୍‌ ସଂଗ୍ରହ କରିଚାଲିଥିଲେ। ଯାହାଫଳରେ ପ୍ରଥମ ଓ୍ଵିକେଟ୍‌ରେ ୧୬ ଓଭରରେ ୧୬୦ ରନ୍‌ ଆଦାୟ ହୋଇଥିଲା। ଏତିକିବେଳେ ଶିଖର ଧାଓ୍ଵନ୍‌ (୭୪ ରନ୍‌, ୪୫ ବଲ୍‌, ୫ ଚୌକା ଓ ୫ ଛକା) ପାଭିଲିୟନ୍‌ ଫେରି ଯାଇଥିଲେ। କିନ୍ତୁ ରୋହିତ ତାଙ୍କ ଆକ୍ରାମକ ରୂପ ଜାରି ରଖି ଶତକ ଆଡକୁ ଅଗ୍ରସର ହୋଇଥିଲେ। ମାତ୍ର ୬୧ ବଲ୍‌ରୁ ୮ ଚୌକା ଓ ୫ ଛକା ସହାୟତାରେ ୯୭ ରନ୍‌ କରିଥିଲା ବେଳେ ବୋଲ୍‌ଡ ହୋଇଯାଇଥିଲେ। ସେ ଶେଷ ଓଭରର ତୃତୀୟ ବଲ୍‌ରେ ଆଉଟ୍‌ ହୋଇଥିଲା ବେଳେ ସେହି ଓଭରରେ ପିଟର ଚେଜ୍‌ ୩ ଓ୍ଵିକେଟ୍‌ ଝଡ଼ାଇ ଦେଇଥିଲେ। ଦ୍ୱିତୀୟ ବଲ୍‌ରେ ମହେନ୍ଦ୍ର ସିଂହ ଧୋନି (୧୧) ଓ ପଞ୍ଚମ ବଲ୍‌ରେ ଅଧିନାୟକ ବିରାଟ କୋହଲି (୦)ଙ୍କୁ ଆଉଟ୍‌ କରି ଭାରତର ରନ୍‌ ଗତିକୁ ରୋକିଥିଲେ। ଏହା ପୂର୍ବରୁ ସୁରେଶ ରାଇନା (୧୦)ଙ୍କୁ ମଧ୍ୟ ଶିକାର କରିଥିବା ଚେଜ୍‌ ଆୟର୍ଲାଣ୍ଡ୍‌ର ସଫଳ ବୋଲର ଭାବେ ୪/୩୫ର ବୋଲିଂ ଚିତ୍ର ପାଇଥିଲେ। ଶେଷ ଓଭରର ଶେଷ ବଲ୍‌କୁ ମନୀଷ ପାଣ୍ଡେ ଛକା ମାରିବାରୁ ଭାରତ ପାଳି ୨୦୮/୫ ହୋଇଥିଲା।

ଜବାବରେ ଭାରତର ସ୍ପିନ୍‌ ଯାଦୁକୁ ବୁଝିବାରେ ଆୟର୍ଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ମାନେ ବିଫଳ ହୋଇଥିଲେ। କୁଲ୍‌ଦୀପ୍‌ ୨୧ ରନ୍‌ରେ ୪ ଏବଂ ଚହଲ୍‌ ୩୮ ରନ୍‌ରେ ୩ ଓ୍ଵିକେଟ୍‌ ଅକ୍ତିଆର କରି ଆୟର୍ଲାଣ୍ଡ୍‌ର ବିପର୍ଯ୍ୟୟ ଘଟାଇଥିଲେ। ଜସ୍‌ପ୍ରୀତ୍‌ ବୁମ୍‌ରା ୧୯ ରନ୍‌ରେ ମଧ୍ୟ ୨ ଓ୍ଵିକେଟ୍‌ ନେଇଥିଲେ। ଏକା ଜେମ୍‌ସ ସାନନ୍‌ କିଛି ସମୟ ଭାରତୀୟ ବୋଲରଙ୍କୁ ପ୍ରହାର କରି ଅର୍ଧଶତକ ପୂରଣ କରିବା ବ୍ୟତୀତ ଅନ୍ୟ କେହି ତିଷ୍ଠିବା ସମ୍ଭବ ହୋଇନଥିଲା। ସାନନ୍‌ ୩୫ ବଲ୍‌ରୁ ୫ ଚୌକା ଓ ୪ ଛକା ଜରିଆରେ ୬୦ ରନ୍‌ କରିବା ଆୟର୍ଲାଣ୍ଡ୍‌ ପାଳିର ଉଲ୍ଲେଖନୀୟ ଥିଲା। ମାତ୍ର ଦଳ ୯ ଓ୍ଵିକେଟ୍‌ ବିନିମୟରେ ୧୩୨ ରନ୍‌ କରିପାରିଥିଲା। ଫଳରେ ଭାରତ ୭୬ ରନ୍‌ରେ ମ୍ୟାଚ୍‌ ଜିତି ଯାଇଥିଲା। କୁଲ୍‌ଦୀପ ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ୨୦୮/୫ (ରୋହିତ ଶର୍ମା-୯୭, ଶିଖର ଧାଓ୍ଵନ୍‌-୭୪. ପିଟର ଚେଜ୍‌-୪/୩୫)। ଆୟର୍ଲାଣ୍ଡ୍‌ ୧୩୨/୯ (ଜେମ୍‌ସ ସାନନ୍‌-୬୦, କୁଲ୍‌ଦୀପ୍‌ ଯାଦବ-୪/୨୧, ୟୁଜ୍‌ବେନ୍ଦର ଚହଲ୍‌-୩/୩୮, ଜସ୍‌ପ୍ରୀତ୍‌ ବୁମ୍‌ରା-୨/୧୯)।

ସମ୍ବନ୍ଧିତ ଖବର