ଚାମ୍ପିଅନ୍ସ ଟ୍ରଫି ହକି: ଭାରତ-ନେଦରଲାଣ୍ଡ ମ୍ୟାଚ୍‌ ୧-୧ରେ ଡ୍ର, ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ବେଦ୍ରା (ନେଦରଲାଣ୍ଡ): ଭାରତ ଚାମ୍ପିଅନ୍ସ ଟ୍ରଫି ହକିରେ ୮ ପଏଣ୍ଟ ହାସଲ କରି ଫାଇନାଲରେ ପହଞ୍ଚିଛି। ଆୟୋଜକ ନେଦରଲାଣ୍ଡ ସହିତ ଶନିବାର ନିଜର ଶେଷ ରାଉଣ୍ଡ ରବିନ ମ୍ୟାଚ୍‌ ୧-୧ରେ ଡ୍ର କରିଛି। ଫଳରେ ଆଠ ଥର ବିଜେତା ଭାରତ କ୍ରମାଗତ ଭାବରେ ଦ୍ୱିତୀୟ ଥର ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି। କାଂସ୍ୟ ପଦକ ପାଇଁ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହେବ।

ଭାରତ ଏପର୍ଯ୍ୟନ୍ତ ୨ଟି ବିଜୟ, ଗୋଟିଏ ପରାଜୟ ଓ ୨ଟି ଡ୍ର ସହିତ ନମ୍ବର ତାଲିକାରେ ୨ୟ ସ୍ଥାନରେ ରହିଛି। ଗତ ଥର ବିଜେତା ଏବଂ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ୧୦ ପଏଣ୍ଟ ସହିତ ଶୀର୍ଷରେ ରହିଛି ଓ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ପହଞ୍ଚି ସାରିଛି। ୬ଟି ଦେଶକୁ ନେଇ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ରାଉଣ୍ଡ ପର୍ଯ୍ୟାୟରେ ଖେଳାଯାଇଥିବା ତାଲିକାର ପ୍ରଥମ ୨ଟି ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଫାଇନାଲରେ ସ୍ଥାନ ମିଳିଥାଏ।

ରାଉଣ୍ଡ ମ୍ୟାଚରେ ଗୁରୁବାର ଭାରତ ଓ ବେଲଜିୟମ ମ୍ୟାଚ ୧-୧ରେ ଡ୍ର ହୋଇଥିଲା। ପୂର୍ବରୁ ଭାରତ ୪-୦ରେ ପାକିସ୍ତାନକୁ ଓ ଅଲମ୍ପିକ ଚାମ୍ପିଅନ ଅର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଥିଲା। କିନ୍ତୁ ଭାରତକୁ ୨-୩ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବାକୁ ପଡ଼ିଛି।

ହକି ଇଣ୍ଡିଆର ବିଜୟ ପରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର