ରୋମାଞ୍ଚକ ମୁକାବିଲାରେ ୬ ରନ୍‌ରେ ଭାରତ ଜିତିଲା ଶୃଙ୍ଖଳା

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ବୁମରାଙ୍କୁ ୩ଟି ଓ ଚହଲଙ୍କୁ ୨ଟି ଓ୍ଵିକେଟ

କାନପୁର: ଶେଷ ୫ ଓଭରରେ ବୋଲରଙ୍କ ପ୍ରଭାବକୁ ସମ୍ମୁଖୀନ ହୋଇ ପାରି ନ ଥିବା ନ୍ୟୁଜିଲାଣ୍ଡ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ୬ ରନ୍‌ରେ ଭାରତ ଠାରୁ ପରାସ୍ତ ହୋଇଛି। ଦ୍ୱିତୀୟ ପାଳିରେ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୩୩୧ ରନ୍‌ ସଂଗ୍ରହ କରିଛି। ଏଥି ସହିତ ଭାରତ ୩ଟି ମ୍ୟାଚ ବିଶିଷ୍ଟ ଅନ୍ତିମ ଦିନିକିିଆରେ ବିଜୟୀ ହୋଇ ୨-୧ରେ ଶୃଙ୍ଖଳାକୁ ନିଜର ନାମରେ କରି ନେଇଛି। ଭାରତୀୟ ବୋଲର ଯଶପ୍ରିତ ବୁମରାଙ୍କୁ ୩ଟି ଓ ଚହଲଙ୍କୁ ୨ଟି ଓ୍ଵିକେଟ ମିଳିଛି। ସେହିଭଳି ଭୁବନେଶ୍ୱର କୁମାର ଗୋଟିଏ ଓ୍ଵିକେଟ ନେଇଥିଲେ।

ନ୍ୟୁଜିଲାଣ୍ଡର ୭ମ ଓ୍ଵିକେଟ ୩୨୬ରନ୍‌ରେ ୪୯.୪ଓଭରରେ ଯଶପ୍ରିତ ବୁମରାଙ୍କ ବଲକୁ ସେଣ୍ଟନର, ଶିଖର ଧାଓ୍ଵାନଙ୍କୁ କ୍ୟାଚ ଦେଇଥିଲେ। ଭୁବନେଶ୍ୱର କୁମାର ୪୬.୫ଓଭରରେ ନ୍ୟୁଜିଲାଣ୍ଡ ୩୦୬ ରନ୍‌ରେ ଥିବା ବେଳେ ୫ମ ଓ୍ଵିକେଟରେ ହେନରି ନିକଲ୍ସ(୩୭)ଙ୍କୁ ବୋଲ୍ଡ କରିବା ପରେ ମ୍ୟାଚ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଥିଲା। ଷଷ୍ଠ ଓ୍ଵିକେଟରେ ଲାଥାମ (୬୫ ରନ୍‌) ସଂଗ୍ରହ କରି ମହେନ୍ଦ୍ର ସିଂହ ଓ ଯଶପ୍ରିତ ବୁମରାଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ସେତେବେଳକୁ ୪୭.୫ ଓଭରରେ ନ୍ୟୁଜିଲାଣ୍ଡର ସ୍କୋର ୩୧୨ ରନ୍‌ ଥିଲା। ୨୪୭ ରନ୍‌ରେ ନ୍ୟୁଜିଲାଣ୍ଡ ୪ର୍ଥ ଓ୍ଵିକେଟ ଭାବରେ ରସ୍‌ ଟେଲର(୩୯)କୁ ୪୦.୧ଓଭରରେ ହରାଇଥିଲା। ଯଶପ୍ରିତ ବୁମରାଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇ ଟେଲର ଆଉଟ ହୋଇଥିଲେ।

ଭାରତର ୩ୟ ଶିକାର ହୋଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌(୬୪)। ୨୮.୪ ଓଭରେ ୧୬୮ ରନ୍‌ ପରେ ଓ୍ଵିଲିୟମସନ୍‌ ବୋଲର ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳିବାକୁ ଯାଇ ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ ୧୫୩ ରନ୍‌ରେ ୨ୟ ଓ୍ଵିକେଟ(୨୪.୨ଓଭର)ରେ ହରାଇଥିଲା। କୋଲିନ ମୋନରୁ(୭୫)ଙ୍କୁ ଯୁଜବେନ୍ଦ୍ର ଚହର ବୋଲ୍‌ଡ କରିଥିଲେ।

ନ୍ୟୁଜିଲାଣ୍ଡ ୫.୧ ଓଭରରେ ୪୪ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିଲା। ଭାରତର ଯଶପ୍ରିତ ବୁମରାଙ୍କ ୫୦ତମ ଦିନିକିଆ ଶିକାର ହୋଇଥିଲେ ନ୍ୟୁଜିଲାଣ୍ଡର ଓପନ୍‌ର ମାର୍ଟିନ ଗୁପଟିଲ୍‌। ଗୁପଟିଲ୍‌ ୧୪ଟି ବଲ ଖେଳି ୧୦ ରନ୍‌ ସଂଗ୍ରହ କରିବା ପରେ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇଥିଲେ। ୭ଓଭରରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ଵିକେଟ ହରାଇ ୫୦ ରନ୍‌ ସଂଗ୍ରହ କରିଥିଲା।

ପ୍ରଥମ ପାଳିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୧୧୩) ଓ ଓପନର୍‌ ରୋହିତ ଶର୍ମା(୧୪୭)ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହାରଇ ପ୍ରଥମ ପାଳିରେ ୩୩୭ ରନ୍‌ ସଂଗ୍ରହ କରିଛି। ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ରବିବାର କୋହଲି କ୍ୟାରିୟରର ୩୨ତମ ଶତକ ହାସଲ କରିଥିବା ବେଳେ ରୋହିତ କ୍ୟାରିୟରର ୧୫ତମ ଶତକ ହାସଲ କରିଛନ୍ତି। ୨୦୧୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍‌ ପୂରା କରିଥିବା ବେଳେ କୋହଲି ୯୦୦୦ ରନ୍‌ ପୂରା କରିଛନ୍ତିି। ରୋହିତ ୧୭୨ତମ ଦିନିକିଆ ଖେଳିଥିବା ବେଳେ କୋହଲିଙ୍କ ଏହା ହେଉଛି ୨୦୨ ତମ ମ୍ୟାଚ। କେଦାର ଯାଧବ ୧୮ ରନ୍‌ ସଂଗ୍ରହ କରି ଇନିଂସର ଶେଷ ବଲରେ ଆଦାମ ମିଲେନଙ୍କ ବଲ ମାର୍ଟିନ ଗୁପଟିଲକୁ କ୍ୟାଚ ଦେଇଥିବା ବେଳେ ଦିନେଶ କାର୍ତ୍ତିକ(୪) ଅପରାଜିତି ହୋଇ ପାଭଲିୟନକୁ ଫେରିଥିଲେ।

ସୁପର ସଣ୍ଡେରେ କୋହଲିଙ୍କ କମାଲ: ୯ ବର୍ଷରେ ୯୦୦୦ ରନ୍‌


କାନପୁର: ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ରେକର୍ଡ ଅତିକ୍ରମ କରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୯୦୩୦ ରନ୍‌) ଦିନିକିଆ କ୍ୟାରିୟରର ୯୦୦୦ ରନ୍‌ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କରେ ରବିବାର ପୂରଣ କରିଛନ୍ତି। ମ୍ୟାଚ ପ୍ରତି ୫୫.୯୦ ହାରରେ କୋହଲି ଏହି ବିରାଟ ରନ୍‌ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଅନ୍ତିମ ଦିନିକିଆରେ କୋହଲି ଏହା ପୂରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ କୋହଲି ୯ ବର୍ଷରେ ଏହି ରନ୍‌ ପୂରଣ କରିଛନ୍ତି। କୋହଲିଙ୍କ ଏହା ହେଉଛି ୨୦୨ତମ ମ୍ୟାଚ। ଜାତୀୟ ରାଜଧାନୀ ଦିଲ୍ଲୀରେ ଜନ୍ମଲାଭ କରିଥିବା ୨୮ ବର୍ଷିଅ ଖେଳାଳି ୧୭୫ ତମ ଦିନିକିଆରେ ୭୦୦୦ ରନ୍‌ ପୂରା କରିଥିବା ବେଳେ କେରଳର କୋଚି ଷ୍ଟାଡିୟମରେ ୨୦୧୩ ନଭେମ୍ବର ୨୧ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦିନିକିଆରେ ୫୦୦୦ ରନ୍‌ ପୂରା କରିଥିଲେ। ବର୍ଷ ୨୦୦୮ ଅଗଷ୍ଟ ୧୮ରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ପାଦ ଥାପିଥିବା କୋହଲି କୋଚିରେ ୧୨୦ ତମ ମ୍ୟାଚରେ ୮୬ ରନ୍‌ ସଂଗ୍ରହ କରିବା ସହିତ ସେହି ସ୍ମତି ସାଉଟି ଥିଲେ।

କୋହଲି ଏପର୍ଯ୍ୟନ୍ତ ୧୯୪ଟି ଇନିଂସରେ ବ୍ୟାଟିଂ କରିଛନ୍ତି। ସର୍ବେଚ୍ଚ ୧୮୩ ରନ୍‌ ସଂଗ୍ରହ କରିଥିବା ଟିମ୍‌ ଇଣ୍ଡିଆର ଏହି ଯୁବ ଅଧିନାୟକ ୩୨ଟି ଶତକ ହାସଲ କରିଥିବା ବେଳେ ୪୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିଭଳି ସେ ୮୩୯ଟି ଚୌକା ମାରିଥିବା ବେଳେ ୯୯ ଟି ଛକା ମାରିଛନ୍ତି।

ମହେନ୍ଦ୍ର ସିଂହ ଧୋନି ୪୧.୧ଓଭରରେ ଦଳର ସ୍କୋର ୩୩୧ ରନ୍‌ ଥିବା ବେଳେ ଆଦାମ ମିଲନେଙ୍କ ବଲ କୋଲିନ ମୁନରୋଙ୍କୁ କ୍ୟାଚ ଦେଇଥିଲେ। ପାଭଲିୟନ ଫେରିବା ପୂର୍ବରୁ ସେ ୨୫ ରନ୍‌ ସଂଗ୍ରହ କରିଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ଥିଲା ଭାରତ ପାଇଁ ୪ର୍ଥ କ୍ଷତି। ଦଳର ସ୍କୋର ୩୦୨ ଥିବା ବେଳେ ସେ ୧୦୬ଟି ବଲ ଖେଳି ଟମ୍‌ ସାଉଦୀଙ୍କ ବଲ କେନ୍‌ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ।

ରୋହିତ ନ୍ୟୁଜିଲାଣ୍ଡର ୨ୟ ଶିକାର ହୋଇଥିଲେ। ସେ ଦଳର ସ୍କୋର ୨୫୯ (୪୧.୨ଓଭର) ଥିବା ବେଳେ ମିଚେଲ ସାଣ୍ଟନର୍‌ଙ୍କ ବଲ ଟିମ୍‌ ସାଉଦୀଙ୍କୁ କ୍ୟାଚ ଦେଇଥିଲେ। ୨୭୩ ରନ୍‌ରେ ଭାରତର ୩ୟ ଓ୍ଵିକଟେରେ ହାର୍ଦିକ ପାଣ୍ଡ୍ୟା ୮ ରନ୍‌ କରି ମିଚେଲ ସାଣ୍ଟନର୍‌ଙ୍କ ବଲ ଟିମ୍‌ ସାଉଦୀଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ଭାରତର ପ୍ରଥମ ଓ୍ଵିକେଟ ୨୯ ରନ୍‌(୬.୧ଓଭର) ଓପନର ଶିଖର ଧାଓ୍ଵନ (୧୪) ୨୦ ଟି ବଲ ଖେଳି ପାଭଲିୟନ ଫେରି ଯାଇଥିଲେ। ସେ ଟିମ୍‌ ସାଉଦୀଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ କେନ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ। ।

 

 

ସମ୍ବନ୍ଧିତ ଖବର