ଭାରତ ଅପରାଜେୟ, ବିଶ୍ବକପ୍‌ରେ ୭-୦ : ପାକିସ୍ତାନ ଧରାଶାୟୀ

ମାଞ୍ଚେଷ୍ଟରରେ ରୋହିତ ସୁପରହିଟ୍‌, କୋହଲିଙ୍କ ଦ୍ରୁତତମ ୧୧,୦୦୦, ପ୍ରଥମ ବିଶ୍ବକପ୍ ବଲ୍‌ରେ ବିଜୟଙ୍କୁ ୱିକେଟ୍

0

ମାଞ୍ଚେଷ୍ଟର : ବିଶ୍ବକପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତର ଆଧିପତ୍ୟ ଅତୁଟ ରହିଛି। ରବିବାର ମାଞ୍ଚେଷ୍ଟରର ବର୍ଷା ପ୍ରଭାବିତ ହାଇଭୋଲଟେଜ୍ ମହାମୁକାବିଲାକୁ ଭାରତ ଡକୱର୍ଥ/ଲୁଇସ୍ ନିୟମରେ ୮୯ ରନ୍‌ରେ ଜିତି ନେଇଛି। ତା’ ସହ ପାକିସ୍ତାନ ବିପକ୍ଷ ବିଶ୍ବକପ୍ ବିଜୟ ସଂଖ୍ୟାକୁ ୭-୦କୁ ବଢ଼ାଇଛି। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ବି ନେଇଛି। ଦୁଇ ବର୍ଷ ତଳେ ଲଣ୍ଡନରେ ସେହି ମ୍ୟାଚ୍ ହାରିବାର ଦୁଃଖକୁ ମାଞ୍ଚେଷ୍ଟରରେ ଦୂର କରିଛି।

ରବିବାର ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ବର୍ଷା ଲୁଚକାଳି ଖେଳ ଖେଳିଥିଲା। ଭାରତ କିନ୍ତୁ ପାକିସ୍ତାନକୁ ଲେଉଟାଣିର କୌଣସି ସୁଯୋଗ ଦେଇ ନଥିଲା। ରୋହିତ ଶର୍ମାଙ୍କ ଧମାକାଦାର ଶତକ ସହାୟତାରେ ପ୍ରଥମେ ୩୩୬/୫ର ବିଶାଳ ସ୍କୋର କରି ନେଇଥିଲା। ଏହା ପରେ ବିଜୟ ଶଙ୍କର, କୁଲଦୀପ ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ କମାଲରେ ୧୬୫ ରନ୍‌ରେ ୬ଜଣ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲା। ପାକିସ୍ତାନ ପାଳିର ୩୫ ଓଭର ପରେ ପରେ ବର୍ଷା ଆରମ୍ଭ ହୋଇ କିଛି ସମୟ ପରେ ଛାଡ଼ି ଯାଇଥିଲା। ସେଥିପାଇଁ ଏହି ଦଳକୁ ୪୦ ଓଭରରେ ୩୦୨ ରନ୍‌ର ପୁନଃ ନିର୍ଧାରିତ ଲକ୍ଷ୍ୟ ମିଳିଥିଲା। ପାକିସ୍ତାନ ସେହି ୬ ୱିକେଟ୍ ହରାଇ ୨୧୨ ରନ୍ କରିବା ସହ ଭାରତଠାରୁ ବିଶ୍ବକପ୍‌ରେ ଲାଗାତାର ସପ୍ତମ ପରାଜୟ ବରଣ କରିଥିଲା। ଭାରତ ବିଜୟ ପୂର୍ବରୁ ପକ୍କା ‌ହୋଇ ସାରିଥିଲା ବେଳେ କେବଳ ଯାହା ଔପଚାରିକତା ପୂରଣ ହୋଇଥିଲା। ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସାରା ବିଶ୍ବର ନଜର ଥିବା ଏହି ମ୍ୟାଚ୍ ଜିତିବା ପରେ ଭାରତ ବିଶ୍ବକପର ୪ ମୁକାବିଲାରୁ ୭ ପଏଣ୍ଟ ପାଇ ତାଲିକାର ତୃତୀୟକୁ ଉଠିଛି। ଅନ୍ୟପକ୍ଷରେ ୧୦ ଦଳୀୟ ପ୍ରତିଯୋଗିତାରେ ପାକିସ୍ତାନ (୩ ପଏଣ୍ଟ) ତୃତୀୟ ପରାଜୟ ବରଣ କରି ତଳୁ ଦ୍ବିତୀୟ ସ୍ଥାନରେ ରହିଛି। ରବିବାର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗଙ୍କ ଭଳି ମହାନ ଖେଳାଳି ସହ ଦର୍ଶକ ଗ୍ୟାଲେରିରେ ହଜାର ହଜାର ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତି ଓଲ୍ଡ ଟ୍ରାଫର୍ଡ ମାହୋଲକୁ ମନ୍ତ୍ରମୁଗ୍ଧ କରିଥିଲା। ଭାରତ ବିଜୟ ଦେଶ ଓ ବିଦେଶରେ ଥିବ ଭାରତୀୟ ସମର୍ଥକଙ୍କ ଖୁସିକୁ ଦ୍ବିଗୁଣିତ କରି ଦେଇଥିଲା।

ପ୍ରମୁଖ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ସେ ମାତ୍ର ୨.୪ ଓଭର ବୋଲିଂ କରିପାରିଥିଲେ। ଭୁବିଙ୍କ ଓଭର ପୂରଣ କରିଥିବା ବିଜୟ ଶଙ୍କର ନିଜ ପ୍ରଥମ ବଲ୍‌ରେ ଇମା‌ମ-ଉଲ୍-ହକ (୭)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ଏହା ପରେ ଫକର ଜମନ (୬୨) ଓ ବାବର ଆଜମ (୪୮) ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଉଭୟ ବିପଜ୍ଜନକ ହେବା ପୂର୍ବରୁ କୁଲଦୀପ ଯାଦବ ତାଙ୍କ କମାଲ ଦେଖାଇଥିଲେ। ସେ ହିଁ ଖେଳର ମୋଡ଼ ବଦଳାଇ ଦେଇଥିଲେ। କୁଲଦୀପଙ୍କ ଅଫ୍‌ ଷ୍ଟମ୍ପରେ ଥିବା ବଲ୍ ହଠାତ୍ ଘୂରିଥିଲା। ବାବର କିଛି ବୁଝିବା ପୂର୍ବରୁ ତାଙ୍କ ଷ୍ଟମ୍ପ ଉଡ଼ି ଯାଇଥିଲା। ନିଜ ପରବର୍ତୀ ଓଭରରେ କୁଲଦୀପ ସେଟ୍ ବ୍ୟାଟ୍ସମ୍ୟାନ୍ ଜମନଙ୍କୁ ସ୍ପିନ୍ ଯୋଡ଼ିଦାର ୟୁଜବେନ୍ଦ୍ର ଚହଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହା ପରେ ହାର୍ଦିକ ପାଣ୍ଡ୍ୟା ବୋଲିଂ ପରାକ୍ରମରେ ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍ ନେଇ ପାକିସ୍ତାନ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ମହମ୍ମଦ ହାଫିଜ (୯)ଙ୍କୁ ଡିପ୍ ସ୍କୋୟାର ଅଞ୍ଚଳରେ ଶଙ୍କରଙ୍କ ହାତରେ କ୍ୟାଚ୍ କରାଇ ପାଣ୍ଡ୍ୟା ପ୍ରଥମେ ତାଙ୍କ ହୋ‌ସ୍ ଉଡ଼ାଇ ଦେଇଥିଲେ। ପର ବଲ୍‌ରେ ଅଭିଜ୍ଞ ସୋଏବ ମଲ୍ଲିକ (୦) ତାଙ୍କ ଶିକାର ହୋଇଥିଲେ। ଅତିରିକ୍ତ ଉଚ୍ଛାଳରେ ଚକିତ ହୋଇ ଯାଇଥିବା ମଲ୍ଲିକ ଗୋଟିଏ ହାତରେ ସଟ୍ ଖେଳି ପ୍ଲେଡ୍ ଅନ୍ ହୋଇ ଯାଇଥିଲେ। ମିନି ବିପର୍ଯ୍ୟୟ ସହ ୧୨ ରନ୍‌ରେ ୪ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ପାକିସ୍ତାନ ୱିକେଟ୍ ପତନ ଧାରା ସେତିକିରେ ଅଟକି ନଥିଲା। ଶଙ୍କର ପୁଣି ଥରେ ବୋଲିଂକୁ ଫେରି ପାକ୍ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ୩୫ ଓଭରରେ ଖେଳ ଅଟକି ପୁଣି ଥରେ ଆରମ୍ଭ ହେବା ବେଳକୁ ପାକିସ୍ତାନକୁ ୩୦ ବଲ୍‌ରୁ ୧୦୨ ରନ୍ କରିବାର ଥିଲା। ଇମଦ ୱାସିମ (୪୬*) ଓ ସଦାବ ଖାନ୍ (୨୦*) ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ହେଲେ ବିଜୟ ଲକ୍ଷ୍ୟର ଆଖ ପାଖରେ ବି ପହଞ୍ଚି ପାରି ନଥିଲେ।

ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଟସ୍ ହାରିବା ହିଁ ଭାରତ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଥିଲା। ପାକ୍ ବୋଲରଙ୍କୁ ପିଚରୁ ଆଦୌ ସହାୟତା ମିଳି ନଥିଲା। ଫଳରେ ସେମାନେ ଭାରତକୁ ପ୍ରାରମ୍ଭିକ ଝଟ୍‌କା ଦେଇ ପାରି ନଥିଲା। ଏଥିଲାଗି ପାକିସ୍ତାନକୁ ୨୩.୫ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶତକହାସଲକାରୀ ରୋହିତ ଶର୍ମା (୧୪୦ ରନ୍, ୧୧୩ ବଲ୍, ୧୪ ଚୌକା, ୩ ଛକା) ନୂଆ ସାଥୀ ଲୋକେଶ ରାହୁଲ (୫୭ ରନ୍, ୭୮ ବଲ୍, ୩ ଚୌକା, ୨ ଛକା)ଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ୧୩୬ ରନ୍ ଯୋଡ଼ିବା ସହ ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ରାହୁଲଙ୍କୁ ୱାହାବ ରିଆଜ ଶିକାର କରିବା ପରେ ରୋହିତ ଅଧିନାୟକ ବିରାଟ କୋହଲି (୭୭ ରନ୍, ୬୫ ବଲ୍, ୭ ଚୌକା)ଙ୍କ ସହ ମିଶି ଭାରତ ପାଳିକୁ ଆଗେଇ ନେଇଥିଲେ। ରୋହିତ-କୋହଲି ଦ୍ବିତୀୟ ୱିକେଟ୍‌ରେ ୯୮ ରନ୍ ଯୋଡ଼ିଥିଲେ। କୋହଲି ରବିବାର ଦିନିକିଆରେ ୧୧,୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୨୬ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ଏକଦା ୩୫୦ ରନ୍ କରିବାର ଆଶା ଥିବା ଭାରତ ଶେଷ ୧୦ ଓଭରରେ ପର୍ଯ୍ୟାପ୍ତ ରନ୍ କରି ପାରି ନଥିଲା। ଫଳରେ ୩୩୬/୫ରେ ଅଟକି ଯାଇଥିଲା। ବିଶ୍ବକପ୍ ପଦାର୍ପଣ କରିଥିବା ବିଜୟ ଶଙ୍କର (୧୫* ରନ୍, ୧୫ ବଲ୍) ତୁଳନାତ୍ମକ ଭାବେ ମନ୍ଥର ବ୍ୟାଟିଂ କରିଥିଲେ। କେଦାର ଯାଦବ ୯ ରନ୍‌ରେ ଅପରାଜିତ ରହିଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ବଡ଼ ପାଳିର ଆଶାଥିଲେ ମଧ୍ୟ ସେ ମାତ୍ର ୧ ରନ୍‌ରେ ସୀମିତ ରହିଥିଲେ। ବର୍ଷା ପାଇଁ ଭାରତ ପାଳି ମଧ୍ୟ ୪୭ତମ ଓଭରରେ ଅଟକି ପୁଣି ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.