ଚହଲଙ୍କୁ ୪ ଓ କୁଳଦୀପଙ୍କୁ ୩ ଓ୍ଵିକେଟ, ଶ୍ରୀଲଙ୍କାକୁ ୮୮ରନ୍‌ରେ ହରାଇଲା ଭାରତ

ଇନ୍ଦୋର ଟି-୨୦ : ୨-୦ରେ ଶୃଙ୍ଖଳା

ଇନ୍ଦୋର: ୟୁଜବେନ୍ଦ୍ର ଚହଲଙ୍କ ୪ ଓ୍ଵିକେଟ୍‌ ଓ କୁଳଦୀପ ଯାଦବଙ୍କ ୩ ଓ୍ଵିକେଟ୍‌ ବଳରେ ଭାରତ ୧୭୨ ରନ୍‌ରେ ଶ୍ରୀଲଙ୍କାକୁ ଅଟକାଇ ଦେଇଛି। ଫଳରେ ଭାରତ ୮୮ ରନ୍‌ରେ ଶ୍ରୀଲଙ୍କାକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ପରାସ୍ତ କରିବା ସହିତ ଏହି ଶୃଙ୍ଖଳାକୁ ନିଜର କରିପାରିଛି। ଶ୍ରୀଲଙ୍କା ୧୭.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ସିରିଜ୍‌ ହାରିଛି।

ଦ୍ୱିତୀୟ ପାଳିରେ ୨୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ୧୭.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି।

ପୂର୍ବରୁ ଟିମ୍‌ ଇଣ୍ଡିଆର ଓପନର ତଥା ଅଧିନାୟକ ରୋହିତ ଶର୍ମା(୧୧୮ ରନ୍‌, ୧୨ଟି ଚୌକା ଓ ୧୦ଟି ଛକା) ଓ ସାଥି ଓପନର ଲୋକେଶ ରାହୁଲ(୮୯ ରନ୍‌, ୫ଟି ଚୌକା, ୬ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ଟି ଓ୍ଵିକେଟ ହରାଇ ୨୬୦ରନ୍‌ ସଂଗ୍ରହ କରିଥିଲା। ପ୍ରଥମ ଥର ପାଇଁ ଟି-୨୦ ଖେଳା ଯାଇଥିବା ମ୍ୟାଚରେ ଦର୍ଶକମାନେ ଛକା ଓ ଚୌକା ଦେଖିବାର ମଜା ନେଇଥିଲେ। ଭାରତର ବ୍ୟାଟ୍ସମ୍ୟାନ ସମୁଦାୟ ୨୧ଟି ଚୌକା ଓ ୨୧ଟି ଛକା ମାରିଥିଲେ।

୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ କରିଥିଲା। ଭାରତ ପ୍ରଥମ ଓ୍ଵିକେଟରେ ରୋହିତ ଶର୍ମାଙ୍କୁ ୧୬୫ ରନ୍‌(୧୨.୪ଓଭର)ରେ ହରାଇଥିଲା। ରୋହିତ ୪୩ଟି ବଲ ଖେଳି ଦୁଷ୍ମନ୍ତ ଚମିରାଙ୍କ ବଲ ଅକିଲ ଧନଞ୍ଜୟଙ୍କୁ କ୍ୟାଚ ଦେଇଥିଲେ। ୧୮.୩ ଓଭରରେ ଶ୍ରୀଲଙ୍କାର ୨ୟ ଶିକାର ହୋଇଥିଲେ ଲୋକେଶ ରାହୁଲ। ସେ ନୂଆନ ପ୍ରଦୀପଙ୍କ ବଲ ନିରୋସନା ଡିକଓ୍ଵାଲାଙ୍କୁ କ୍ୟାଚ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ବଲ ଖେଳି ୧୦ ରନ୍‌ ସଂଗ୍ରହ କରିବା ପରେ ନୂଅନ ପ୍ରଦୀପଙ୍କ ବଲ ସଦିରାଙ୍କୁ କ୍ୟାଚ ଦେଇଥିଲେ। ସେତେବେଳକୁ ଭାରତର ସ୍କୋର ୧୯ ଓଭରରେ ୨୫୩ ରନ୍‌ ଥିଲା। ସେହିପରି ଭାରତ ୪ର୍ଥ ଓ୍ଵିକେଟରେ ୨୫୪ ରନ୍‌ରେ ଶ୍ରେୟସ ଆୟାର ଏଲବିଡବ୍ଲୁ ହୋଇଥିଲେ। ଆୟାର ଥିରସା ପେରାରାଙ୍କ ଶିକାର ହୋଇଥିଲେ। ପେରାରା ଇନିଂସର ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନି(୨୮)ଙ୍କୁ ବୋଲ୍ଡ କରିଥିଲେ। ଦିନେଶ କାର୍ତ୍ତିକ ଶେଷ ୨ଟି ବଲରୁ ୫ ରନ୍‌ ସଂଗ୍ରହ କରି ଭାରତର ସ୍କୋରକୁ ୨୬୦ ରନ୍‌ରେ ପହଞ୍ଚାଇ ଥିଲେ।

ରୋହିତ କ୍ୟାରିୟରର ୨ୟ ଶତକ (୧୦୧ ରନ୍‌, ୩୫ ବଲ) ହାସଲ କରିଛନ୍ତି। ପୂର୍ବରୁ ସେ ୨୩ଟି ବଲରେ ଅର୍ଦ୍ଧଶତକ(୫୩ ରନ୍‌) ହାସଲ କରିଥିଲେ। ସେହିଭଳି ଲୋକେଶ ରାହୁଲ କ୍ୟାରିୟରର ୩ୟ ଅର୍ଦ୍ଧଶତକ(୫୧)କୁ ୩୫ଟି ବଲ୍‌ରେ ପୂରା କରିଥିଲେ। ଭାରତର ସ୍କୋର ୮.୪ ଓଭରରେ ୧୦୦ ରନ୍‌ ଓ ୧୫.୫ ଓଭରରେ ୨୦୦ ରନ୍‌ ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର